ପୁଡୁଚେରୀ: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ପୁଡୁଚେରୀରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସମ୍ବୋଧନରେ କଂଗ୍ରେସ ହାଇକମାଣ୍ଡ କଲଚରକୁ ନେଇ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କଂଗ୍ରେସ ହାଇକମାଣ୍ଡ ପରମ୍ପରା ଯୋଗୁଁ ପୁଡୁଚେରୀକୁ କ୍ଷତି ହୋଇଛି । ଏଠାକାର ପୂର୍ବ ମୁଖ୍ୟମନ୍ତ୍ରୀ ଦଳର ଛାମୁଆ ନେତାଙ୍କ ଚପଲ ଉଠାଇବାରେ ଏକ୍ସପର୍ଟ ଥିଲେ । ପୁଡୁଚେରୀକୁ ଏପରି ଏକ ସରକାର ମିଳିବାର ଅଧିକାର ରହିଛି, ଯାହାର ହାଇକମାଣ୍ଡ ଏଠାକାର ଜନସାଧାରଣ ହେବା ଦରକାର । ତେବେ ଆଗାମୀ ସରକାର ଜନସାଧାରଣଙ୍କର ହେବ ବୋଲି ଏନଡିଏ ଭରସା ଦେଉଥିବା କହିଛନ୍ତି ମୋଦି ।
ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭେଲୁ ନାରାୟଣ ସ୍ବାମୀ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ବିଷୟ ଉଠାଇଛନ୍ତି । ପିଏମ ମୋଦି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ମିଛ କହିଥିଲେ । ସେ କହିଛନ୍ତି, କିଛିଦିନ ପୂର୍ବେ ଦେଶ ଏକ ଭିଡିଓ ଦେଖିଥିଲା । ଜଣେ ଅସହାୟ ମହିଳା ବାତ୍ୟା ଓ ବନ୍ୟା ସମୟରେ ପୁଡୁଚେରୀ ସରକାରଙ୍କ ଅଣଦେଖାର ଅଭିଯୋଗ କରିଥିଲେ । ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେଶକୁ ସତ କହିବା ପରିବର୍ତ୍ତେ ମହିଳାଙ୍କ ଶବ୍ଦକୁ ଭୁଲ ରୂପେ ଅନୁବାଦ କରିଥିଲେ । ସେ ଜନସାଧାରଣ ଓ ନିଜ ନେତାଙ୍କୁ ମିଛ କହିଥିବା ମୋଦି କହିଛନ୍ତି ।
ପିଏମ ମୋଦି ପ୍ରଶ୍ନ କରିଛନ୍ତି, କଣ ଏଭଳି ଦଳ ଯିଏ ମିଥ୍ୟା ଉପରେ ଆଧାରିତ କେବେ ଜନସାଧାରଣଙ୍କ ସେବା କରିପାରିବ? ଗୁଜୁରାଟ, ଜମ୍ମୁ କାଶ୍ମୀର, ଲେହ ଲଦାଖରେ ହୋଇପାରିବେ, ହେଲେ ପୁଡୁଚେରୀରେ ଜନସାଧାରଣ ଏବେ କଂଗ୍ରେସର ଗଣତନ୍ତ୍ର ବିରୋଧୀ ମାନସିକତାକୁ ଦଣ୍ଡ ଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।