ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେହି ପସନ୍ଦ କିମ୍ବା ନାପସନ୍ଦ କରିପାରେ । ଏହା ସେମାନଙ୍କ ବ୍ୟକ୍ତିଗତ ସ୍ବାଧୀନତା । କିନ୍ତୁ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବା ଉଚିତ ନୁହେଁ ବୋଲି କହିଛନ୍ତି ଗୁଜୁରାଟ ହାଇକୋର୍ଟ । ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ମୋଦି ଓ ତାଙ୍କ ଦିବଙ୍ଗତ ମା’ ହୀରାବେନଙ୍କ ସମ୍ପର୍କରେ ଆପତ୍ତିଜନକ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିବା ଜଣେ ଅଭିଯୁକ୍ତଙ୍କ ବେଲ ଖାରଜ କରିବା ସହ କୋର୍ଟ ଏହି ଟିପ୍ପଣୀ କରିଛନ୍ତି ।
ଆଜି (ଶନିବାର) ଏହି ମାମଲାର ଶୁଣାଣି ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ନିରଜାର ଦେଶାଇଙ୍କ ଏକକ ଖଣ୍ଡପୀଠରେ ହୋଇଥିଲା । ବିଚାରପତି ଏହି ଟିପ୍ପଣୀ କରିବା ସମୟରେ କହିଥିଲେ, ପ୍ରତ୍ୟେକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ ବା ନାପସନ୍ଦ କରିବା ପାଇଁ ସ୍ବାଧୀନ । ହେଲେ କେହି ତାଙ୍କ ବିରୋଧରେ ଅପମାନିତ କରିବା କିମ୍ବା ଆପତ୍ତିଜନକ ମନ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ ।
ତେବେ ଏହି ମାମଲାରେ ଅଭିଯୁକ୍ତ ଅଫସଲବାଇ କାସମାଭାଇ ଲଖାନୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସେ ଏଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ତାଙ୍କ ଦିବଙ୍ଗତ ମା’ଙ୍କ ସମ୍ପର୍କରେ ମଧ୍ୟ ଅପମାନଜନକ ଟିପ୍ପଣୀ କରିଥିଲେ । ତେବେ କୋର୍ଟ ଏହି ମାମଲାକୁ ଅତି ଗମ୍ଭୀରତାର ସହ ନେବା ସହ ତାଙ୍କୁ ବେଲ ପ୍ରଦାନ କରିବାକୁ ମନା କରିଦେଇଥିଲେ । ଏହା ସହ ଏହି ଟିପ୍ପଣୀ ମଧ୍ୟ କରିଥିଲେ ।
ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ସଭ୍ୟପଦ ହରାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । 2019 ର କର୍ଣ୍ଣାଟକରେ ମୋଦି ସାଙ୍ଗିଆ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାଏର ହୋଇଥିଲା । ସୁରଟ କୋର୍ଟ ରାହୁଲଙ୍କୁ ଏହି ମାମଲାର ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଦଣ୍ଡାଦେଶ ପାଇବା ପରେ ରାହୁଲ ବେଲ ପାଇ ଜେଲ ଯିବାରୁ ବର୍ତ୍ତି ଯାଇଥିଲେ ସୁଦ୍ଧା ସାଂସଦ ପଦ ହରାଇବାକୁ ବାଧ୍ଯ ହୋଇଥିଲେ ।
ନିକଟରେ ଅନ୍ୟ କିଛି ବରିଷ୍ଠ କଂଗ୍ରେସ ନେତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରି ବିବାଦୀୟ ହୋଇଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଷଧର ସାପ ଶବ୍ଦ ବ୍ୟବହାର କରି ବିବାଦ ଘେରକୁ ଆସିଥିଲେ । ପରେ ଅବଶ୍ୟ ସେ କ୍ଷମା ମାଗିଥିଲେ । ଏହାକୁ ନେଇ ବିଜେପି କଂଗ୍ରେସ ଓ ଖଡଗେଙ୍କୁ କଡା ସମାଲୋଚନା କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ