ନୂଆଦିଲ୍ଲୀ: ଦୁଇ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ କର୍ଣ୍ଣାଟକ ପାୱାର କରେଡରରେ ହଟଚମଟ ସୃଷ୍ଟି କରିଛି । ଆଇପିଏସ ଅଫିସର ରୂପା ମୋଦଗିଲ ଓ ଆଇଏଏସ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ଲଢେଇ ସାର୍ବଜନୀନ ହେବା ପରେ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବିନା ପୋଷ୍ଟିଂରେ ଦୁହିଁଙ୍କୁ ସ୍ଥାନାନ୍ତର କରାଯାଇଛି । IPS (ଭାରତୀୟ ପୋଲିସ ସେବା ) ଅଧିକାରୀ ରୂପା ମୋଦଗିଲ ଓ IAS (ଭାରତୀୟ ପ୍ରଶାସନିକ ଅଧିକାରୀ) ରୋହିଣୀ ସିନ୍ଧୁରୀଙ୍କୁ ତାଙ୍କ ପଦରୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ରାଜ୍ୟ ଗୃହମନ୍ତ୍ରୀଙ୍କ ଚେତାବନୀ
ଗତକାଲି (ସୋମବାର) ଦୁଇ ବରିଷ୍ଠ ଅଧିକାରୀଙ୍କ ବିବାଦ ନେଇ ରାଜ୍ୟ ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ନିଜ ପ୍ରତିକ୍ରିୟା ରଖିଥିଲେ । ଆଇପିଏସ ଅଫିସର ରୂପା ମୋଦଗିଲ ଓ ଆଇଏଏସ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ । ଦୁଇ ଅଧିକାରୀଙ୍କ 'ଖରାପ ବ୍ୟବହାର' ଆଦୌ ଗ୍ରହଗଣୀୟ ନୁହେଁ ବୋଲି କହିଥିଲେ ।
ବ୍ୟକ୍ତିଗତ ଫଟୋ ନେଇ ବିବାଦ
ଆଇପିଏସ ଅଧିକାରୀ ରୂପା ମୋଦଗିଲ ଆଇଏଏସ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବାର ଗୋଟିଏ ଦିନ ପରେ ନିଜ ସୋସିଆଲ ମିଡ଼ିଆରେ ରୋହିଣୀଙ୍କ ୭ଟି ବ୍ୟକ୍ତିଗତ ଫଟୋ ସେୟାର କରିଥିଲେ । ଏଥିରେ ସେ ଦାବି କରିଥିଲେ ଯେ, ରୋହିଣୀ ତିନି ପୁରୁଷ ଆଇଏଏସ ଅଧିକାରୀଙ୍କୁ ୨୦୨୧ରୁ ୨୦୨୨ ମଧ୍ୟରେ ଏହି ଫଟୋ ଗୁଡ଼ିକୁ ସେୟାର କରିଥିଲେ । ରୋହିଣୀ ପୁରୁଷ ଅଧିକାରୀଙ୍କୁ ବ୍ୟକ୍ତିଗତ ଫଟୋ ପଠାଇ ସେବା ଆଚରଣ ନିୟମର ଉଲଂଘନ କରିଥିବା ରୂପା ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ରୋହିଣୀଙ୍କ ବିରୋଧରେ ଦୁର୍ନୀତି ନେଇ ୧୯ଟି ଅଭିଯୋଗ ଆଣିଥିଲେ ।
ଅଭିଯୋଗ ମିଥ୍ୟା ବୋଲି କହିଲେ ରୋହିଣୀ ସିନ୍ଧୁରୀ
ଏହି ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ ରୋହିଣୀ ସିନ୍ଧୁରୀ । "ରୂପା ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି । ଯାହା ଅତ୍ୟନ୍ତ ଅପମାନ ଜନକ । ତାଙ୍କର ଏଭଳି କାର୍ଯ୍ୟ ପାଇଁ ମୁଁ ଆଇନର ସହାୟତା ନେବି । ଭାରତୀୟ ଦଣ୍ଡ ସହିଂତା ଆଧାରରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବି ।"
ସେ ଆହୁରି ମଧ୍ୟ କହିଛନ୍ତି, ରୂପା ମୋତେ ବଦନାମ କରିବା ପାଇଁ ସୋସିଆଲ ମିଡି଼ଆରେ ମୋର ବ୍ୟକ୍ତିଗତ ଫଟୋ ସେୟାର କରିଛନ୍ତି । ହ୍ବାଟ୍ସଆପ ଷ୍ଟାଟସରୁ ସ୍କ୍ରିନସଟ ମାରି ରୂପା ମୋ ଫଟୋର ଅପବ୍ୟବହାର କରିଛନ୍ତି ବୋଲି ରୋହିଣୀ କହିଛନ୍ତି । ଏହି ଘଟଣା ନେଇ ଆଇଏଏସ ଅଧିକାରୀ ରୋହିଣୀ ସିନ୍ଧୁରୀ କର୍ଣ୍ଣାଟକ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଇପିଏସ ରୂପାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବା ପାଇଁ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ରୋହିଣୀ ଏହି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ବନ୍ଦିତା ଶର୍ମାଙ୍କ ନିକଟରେ ନିଜର ସ୍ପଷ୍ଟୀକରଣ ରଖି 4 ପୃଷ୍ଠାର ଅଭିଯୋଗ ପତ୍ର ଦାଖଲ କରିଥିଲେ ।