ବେଙ୍ଗାଲୁରୁ: ବସଯାତ୍ରୀଙ୍କ ପାଇଁ ବସଷ୍ଟପ୍ଠାରେ ବିଶ୍ରାମାଗାର ରହିଥିବା ଆପଣ ଦେଖିଥିବେ । କେଉଁଠି ଏହି ଯାତ୍ରୀ ବିଶ୍ରାମଗାରର ଅବସ୍ଥା ଶୋଚନୀୟ ମଧ୍ୟ ଦେଖିବାକୁ ମିଳେ । ହେଲେ କର୍ଣ୍ଣାଟକର ମାଙ୍ଗାଲୁରୁରେ ଏକ ହାଇ-ଟେକ ବସ ଷ୍ଟେସନ (Hi-Tech Bus Stop in Karnataka) ଦେଖିବାକୁ ମିଳିଛି । ଯେଉଁଠି ଯାତ୍ରୀଙ୍କ ପାଇଁ ରହିଛି ଅତ୍ୟାଧୁନିକ ସେବା । ମାଙ୍ଗାଲୁରୁ-ଉଡୁପି ଜାତୀୟ ରାଜପଥ କଡ଼ରେ ରହିଛି ଏହି ବସଷ୍ଟପ୍ । ସବୁଠୁ ଖାସ କଥା ହେଉଛି ଯଦି ଏଠାରେ କେଉଁ ମହିଳା ଅସଦାଚରଣର ଶିକାର ହେଉଛନ୍ତି ତେବେ ସେଠାରେ ଥିବା SOS ବଟନ ଦବାଇଲେ ଘଣ୍ଟି ବାଜିବ । ଯାହାଦ୍ବାରା ପୋଲିସ ନିକଟକୁ ସମସ୍ତ ତଥ୍ୟ ଯିବା ସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚିପାରିବ ।
ହାଇଟେକ ବସଷ୍ଟପ୍ର ସୁବିଧା:- ଦକ୍ଷିଣ କନ୍ନଡ ଜିଲ୍ଲାର ସୁରତକଲଠାରେ ରହିଛି ଏହି ଯାତ୍ରୀ ବିଶ୍ରାମାଗାର । ଯାହାର ନାମ ରହିଛି ଗୋବିନ୍ଦା ଦାସ ବସ ଷ୍ଟାଣ୍ଡ (Govinda Das Bus Stand) । ଏହି ବସଷ୍ଟାଣ୍ଡକୁ ସ୍ମାର୍ଟ ଓ ଡିଜିଟାଲ ସୁରତକଲ ସ୍କିମରେ ନିର୍ମାଣ କରାଯାଇଛି । ମାଙ୍ଗାଲୁରୁ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ(MUDA)ଙ୍କ ଦ୍ବାରା ନିର୍ମିତ ହୋଇଛି ଏହି ବସଷ୍ଟପ୍ । ପ୍ରାୟ ୨୦୦ ବର୍ଗକ୍ଷେତ୍ର ବିଶିଷ୍ଟ ସ୍ଥାନରେ ଏହି ବସଷ୍ଟପ ନିର୍ମିତ ହୋଇଥିବା ବେଳେ ପ୍ରାୟ ୩୦ ଲକ୍ଷ ଅର୍ଥ ଖର୍ଚ୍ଚ ହୋଇଛି । ଏଠାରେ ପିଇବା ପାଣିର ସୁବିଧା ସାଙ୍ଗକୁ ୫ଟି ସିସିଟିଭି କ୍ୟାମେରା, ମାଗଣା Wi-fi, SOS ବଟନ୍, ଫ୍ୟାନ, ସିଟି ବସ ଟାଇମ୍, ସୂଚନା ଫଳକ, ଫାୟର ଫାଇଟିଂ ସିଷ୍ଟମ, LED ଲାଇଟ, ସେଲ୍ଫି ପଏଣ୍ଟ, ମୋବାଇଲ ଓ ଲ୍ୟାପଟପ ଚାର୍ଜିଂ ପଏଣ୍ଟ ରହିଛି ।
ଏହା ବି ପଢନ୍ତୁ- ରାସ୍ତା ରୋକିଲା ପୋଲିସ, ବସ ଉପରେ ଚଢି ଲୋକଙ୍କୁ ସମ୍ବୋଧିତ କଲେ ଚନ୍ଦ୍ରବାବୁ ନାଇଡୁ
ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ:- ଏହି ହାଇଟେକ୍ ବସଷ୍ଟପରେ ମହିଳାଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ସେଥିଲାଗି ଏଠାରେ ରହିଛି SOS ବଟନ୍ । ଯଦି କେହି ମହିଳା ଅସଦାଚରଣର ଶିକାର ହୁଅନ୍ତି ତେବେ ସେମାନ ଏହି ବଟନ୍ ଦବାଇବା ମାତ୍ରେ ପୋଲିସ ନିକଟକୁ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜର ଦୃଶ୍ୟ ଚାଲିଯାଏ । ଏହାସହିତ ଘଟଣାସ୍ଥଳରେ ଏକ ସାଇରନ୍ ବାଜିଥାଏ । ସରୁତକଲ ପୋଲିସ ଷ୍ଟେସନକୁ ମେସେଜ ଯିବା ପରେ କଣ୍ଟ୍ରୋଲ ରୁମରେ ସିସିଟିଭି ଫୁଟେଜ ଯାଞ୍ଚ କରି ପୋଲିସ ଘଟଣା ସମ୍ପର୍କରେ ଅବଗତ ହୋଇପାରିବେ ।
ଜନସାଧାରଣଙ୍କ ପ୍ରତିକ୍ରିୟା:- ବସଷ୍ଟପରେ ଏଭଳି ଅତ୍ୟାଧୁନିକ ସୁବିଧା ପାଇବାକୁ ନେଇ ଯାତ୍ରୀ ବେଶ ଖୁସିବ୍ୟକ୍ତ କରିଛନ୍ତି । ଏନେଇ ସ୍ଥାନୀୟ ବାସିନ୍ଦା ମହମ୍ମଦ ଶରିଫ କହିଛନ୍ତି, "ଏହା ଏକ ପ୍ରଶଂସିତ ପଦକ୍ଷେପ । ଏଠାରେ ୱାଇଫାଇ ସାଙ୍ଗକୁ ପିଇବା ପାଣି, ବସିବା ଆଦିର ସୁବିଧା ରହିଛି । ଏହାସହିତ ଏଠାରେ ଶୌଚାଳୟର ବ୍ୟବସ୍ଥା ହେବା ଦରକାର । ଯାହାଦ୍ବାରା ଯାତ୍ରୀମାନେ ଏକ ପ୍ରମୁଖ ସୁବିଧା ପାଇପାରିବେ ।"
ସ୍ଥାନୀୟ ବିଧାୟକଙ୍କ ପ୍ରତିକ୍ରିୟା:- ଏନେଇ ସ୍ଥାନୀୟ ବିଧାୟକ ଡକ୍ଟର ୱାଇ, ଭାରତ ସେଟ୍ଟି କହିଛନ୍ତି, "ବେଙ୍ଗାଲୁରୁକୁ ଯାଉଥିବା ଛାତ୍ର ଓ ରାତ୍ରୀ ସମୟର ଯାତ୍ରୀ ଏଠାକୁ ଆସିଥାନ୍ତି । ଏଠାରେ ସେମାନଙ୍କୁ ମାଗଣା ୱାଇଫାଇର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ମହିଳା ଓ ଶିଶୁଙ୍କ ସୁବିଧା ଲାଗି ଏଠାରେ SOS ବଟନ୍ର ସୁବିଧା ରହିଛି ।"