ଲକ୍ଷ୍ନୌ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ରାମଲାଲ ରାହିଙ୍କର ପରଲୋକ ହୋଇଯାଇଛି । 1991ରୁ 1996 ଯାଏଁ କେନ୍ଦ୍ର କ୍ୟାବିନେଟରେ ଗୃହ ରାଷ୍ଟ୍ରମନ୍ତ୍ରୀ ପଦରେ ରହିଥିଲେ ।
ଗୁରୁବାର ଉତ୍ତରପ୍ରଦେଶର ସୀତାପୁରରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାମଲାଲ । ସେ ପିଭି ନରସିଂହ ରାୱ ସରକାର ସମୟରେ 1991ରୁ 1996 ଯାଏଁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ପଦରେ ଦାୟିତ୍ବ ତୁଲାଇଥିଲେ ।
ଉତ୍ତରପ୍ରଦେଶ ସୀତାପୁର ଜିଲ୍ଲାର ଧଖାଡା ଗାଁରେ ହୋଇଥିଲା ରାମଲାଲ ରାହିଙ୍କ ଜନ୍ମ । ରାହି ମିଶ୍ରିଖରୁ 4 ଥର ଲୋକସଭା ସାଂସଦ ଭାବରେ ପ୍ରତିନିଧିତ୍ବ କରିଥିବା ବେଳେ ସୀତାପୁରର ହରଗାଁ ବିଧାନସଭା ଆସନରୁ 2 ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।
2017ରେ କଂଗ୍ରେସର ହାତ ଛାଡି ବିଜେପିରେ ଯୋଗ ଦେଇଥିଲେ ରାମଲାଲ । ହେଲେ ଦୁଇ ବର୍ଷ ପରେ ଅର୍ଥାତ 2019ରେ ପୂନର୍ବାର ସେ କଂଗ୍ରେସକୁ ଫେରିଥିଲେ । ରାମଲାଲଙ୍କ ପୁଅ ସୁରେଶ ରାହି ଏବେ ବିଜେପିର ବିଧାୟକ ଅଛନ୍ତି ।