ନୂଆଦିଲ୍ଲୀ:ଗଣତନ୍ତ୍ର ଦିବସରେ ଦେଶର ରାଜଧାନୀ ଦିଲ୍ଲୀରେ ହେବାକୁଥିବା ଚାଷୀଙ୍କ ଟ୍ରାକ୍ଟର ରାଲିକୁ ମିଳିଛି ଦିଲ୍ଲୀ ପୋଲିସର ଅନୁମତି । ତେବେ ଏନେଇ ସୂଚନା ଦେଇଛନ୍ତି ସ୍ବରାଜ ଇଣ୍ଡିଆର ଯୋଗେନ୍ଦ୍ର ଯାଦବ । ତେବେ ଏହି ରାଲି ଶାନ୍ତିପୂର୍ଣ୍ଣ ରହିବ ବୋଲି କହିଛନ୍ତି ଯୋଗେନ୍ଦ୍ର ।
ସେପଟେ ଆନ୍ଦୋଳନର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଲର୍ଟ ରହିଛି ଦିଲ୍ଲୀ ପୋଲିସ । ଯବାନମାନଙ୍କୁ ମଧ୍ୟ ଗଣତନ୍ତ୍ର ଦିବସରେ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି । ତେବେ ପୂର୍ବରୁ 3ଟି ରାସ୍ତାରେ ଚାଷୀଙ୍କୁ ରାଲି ବାହାର କରିବାକୁ ଅନୁମତି ମିଳିଛି ।
ସାମ୍ବାଦିକ ସମ୍ମିଳନୀରେ ଯୋଗେନ୍ଦ୍ର ଯାଦବ କହିଛନ୍ତି, ରବିବାର ଦିଲ୍ଲୀ ପୋଲିସ ଅଧିକାରୀଙ୍କ ସହ ବୈଠକ ହୋଇଛି । ପୋଲିସ ଟ୍ରାକ୍ଟର ରାଲିକୁ ଅନୁମତି ପ୍ରଦାନ କରିଛି । ତେବେ ଗଣତନ୍ତ୍ର ଦିବସରେ କିସାନ ପରେଡ ଶାନ୍ତିପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି ।
26 ଜାନୁଆରୀରେ ଦିଲ୍ଲୀ ପୋଲିସ ପକ୍ଷରୁ ଟ୍ରାକ୍ଟର ରାଲି ପାଇଁ ଚାଷୀଙ୍କୁ ଅନୁମତି ମିଳିଛି । ସେପଟେ ଦିଲ୍ଲୀ ପୋଲିସ କମିଶନର ସୁରକ୍ଷାକର୍ମୀଙ୍କୁ ସଜାଗ ରହିବାକୁ କହିଛନ୍ତି । ସେ କହିଛନ୍ତି, ଗଣତନ୍ତ୍ର ଦିବସ ପରେଡର ସୁରକ୍ଷା ପାଇଁ ନିୟୋଜିତ ସିଆରପିଏଫର ସମସ୍ତ ଅଧିକାରୀ ପ୍ରସ୍ତୁତ ରହିଛନ୍ତି। ଚାଷୀଙ୍କ ଟ୍ରାକ୍ଟର ରାଲି ସଂପର୍କରେ ଅଧିକାରୀ ତୁରନ୍ତ ଆଇନ ଶୃଙ୍ଖଳା ପାଇଁ ପ୍ରସ୍ତୁତ ହେବା ଉଚିତ ବୋଲି କୁହାଯାଇଛି ।
ଆରମ୍ଭରୁ ହିଁ ଚାଷୀମାନେ ରାଜଧାନୀର ବାହାର ରିଙ୍ଗ ରୋଡରେ ଏକ ରାଲି କରିବା ବିଷୟରେ ଯୋଜନା କରିଥିଲେ, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ପୋଲିସ ଏହି ମାର୍ଗରେ ଟ୍ରାକ୍ଟର ରାଲି କରିବାକୁ ମନା କରିଦେଇଥିଲା। ଟ୍ରାକ୍ଟର ରାଲି ପାଇଁ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ପାରସ୍ପରିକ ସହମତି ଅନୁଯାୟୀ ସିଙ୍ଗୁ ସୀମା, ଟିକୀରି ସୀମା, ନଜଫଗଡ ଓ ଗାଜିପୁର ମାର୍ଗ ସ୍ଥିର ହୋଇଛି ।