ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ସହପାଠୀ । ହାଇଦ୍ରାବାଦର ହୟାତନଗର ଥାନା ଅଞ୍ଚଳରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ତାଙ୍କ ୫ ଜଣ ସହପାଠୀ ଦୁଷ୍କର୍ମ କରିବା ଭିଡିଓ ଉତ୍ତୋଳନ କରିଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ଗତ ଅଗଷ୍ଟ ମାସରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା । ତେବେ ବର୍ତ୍ତମାନ ପୋଲିସ ନିକଟରେ ପୀଡ଼ିତାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାପରେ ଘଟଣା ପଦାକୁ ଆସିଛି । ଅଭିଯୁକ୍ତ ଛାତ୍ର ଏହି କାଣ୍ଡ ଘଟାଇବା ପରେ, କାହାରିକୁ କହିଲେ ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ । ଏହାର ୧୦ ଦିନ ପରେ ପୁଣି ଛାତ୍ରୀଙ୍କ ସହ ସମ୍ପୃକ୍ତ ୫ ଛାତ୍ର ଗଣଦୁଷ୍କର୍ମ କରିଥିଲେ । ଭୟରେ ଘରେ କାହାରିକୁ ଜଣାଇଥିଲେ ପୀଡ଼ିତା ।
ଏହାପରେ ଅଭିଯୁକ୍ତ ଛାତ୍ର ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ କରିଛନ୍ତି । ପରିବାରବର୍ଗ ଏହାକୁ ନେଇ ଅବଗତ ହେବାପରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସ ୫ ଛାତ୍ରଙ୍କୁ ଗିରଫ କରିଛି । ସମସ୍ତ ଛାତ୍ର ନାବାଳକ ବୋଲି ଜଣା ପଡ଼ିଛି । ଏମାନଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଛାତ୍ରଙ୍କୁ ବାଳସୁଧାର ଗୃହକୁ ପଠାଇଛି ପୋଲିସ ।