ଡେରାଡୁନ: ଉତ୍ତରାଖଣ୍ଡର ଚାରି ଧାମ ମଧ୍ୟରୁ ଗୋଟିଏ ହେଉଛି ମା' ଯମୁନେତ୍ରୀଙ୍କ ମନ୍ଦିର । ହେଲେ ରବିବାର ପାଦଚଲା ରାସ୍ତା ଭଣ୍ଡେଲି ନିକଟରେ ଭୂସ୍ଖଳନ ହେବା କାରଣରୁ ଯମୁନେତ୍ରୀ ଅଭିମୁଖେ ଯାତ୍ରା ବନ୍ଦ ହୋଇଯାଇଛି । ଲୋକ ନିର୍ମାଣ ବିଭାଗ ସେହି ସ୍ଥାନରେ ବିକଳ୍ପ ରାସ୍ତା ତିଆରି କାର୍ଯ୍ୟ ଆରମ୍ଭ କରିଛି। ଅଧିକାରୀ କହିଛନ୍ତି ଯେ, ଏହି ରାସ୍ତା ପ୍ରସ୍ତୁତ କରିବାକୁ ଅତି କମରେ ଏକ ସପ୍ତାହ ଲାଗିବ।
ସାର୍ବଜନୀନ କାର୍ଯ୍ୟ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏସକେ ଗର୍ଗ କହିଛନ୍ତି ଯେ, 'ଭୂସ୍ଖଳନ ହେତୁ ରାସ୍ତାଟି କ୍ଷତିଗ୍ରସ୍ତ ହୋଇଛି। ରାସ୍ତାର ପ୍ରାୟ 40 ମିଟର ସଂପୂର୍ଣ୍ଣ ଭୁଶୁଡି ପଡିଛି । ଯେଉଁଥିପାଇଁ ଏଠାରେ ରାସ୍ତାର ପୁନଃ ନିର୍ମାଣର କୌଣସି ସମ୍ଭାବନା ନାହିଁ । ତେଣୁ ଦ୍ୱିତୀୟ ସ୍ଥାନରୁ ଏକ ନୂତନ ପାଦଚଲା ରାସ୍ତା ଏବଂ ସେତୁ ପ୍ରସ୍ତୁତ କରିବାକୁ ପଡିବ । ଏଥିପାଇଁ ବହୁତ ସମୟ ଲାଗିପାରେ । ବର୍ତ୍ତମାନ, ଯମୁନେତ୍ରୀ ଯିବାକୁ ଏକ ଫୁଟ ପାଥ ପ୍ରସ୍ତୁତ ହେଉଛି, ଯାହା ଏକ ସପ୍ତାହ ମଧ୍ୟରେ ପ୍ରସ୍ତୁତ ହେବ' ।
ବଡକୋଟ ଡେପୁଟି କଲେକ୍ଟର ଚତର ସିଂ ଚୌହାନ କହିଛନ୍ତି ଯେ, 'ଯମୁନେତ୍ରୀ ଧାମରେ ପୁରୋହିତ ଏବଂ କର୍ମଚାରୀଙ୍କ ସମେତ 13 ଜଣ ଲୋକ ଉପସ୍ଥିତ ଅଛନ୍ତି। ଏଥିପାଇଁ ମନ୍ଦିର କମିଟି ଦ୍ୱାରା 15 ଦିନର ଖାଦ୍ୟ ସଞ୍ଚୟ ହୋଇସାରିଛି । ଆଗକୁ ଆବଶ୍ୟକ ହେଲେ ଖାଦ୍ୟ ଶସ୍ୟ ବିତରଣ ପାଇଁ ବ୍ୟବସ୍ଥା କରାଯିବ'।