ଲକ୍ଷ୍ନୌ: ବସ ବିବାଦ ଯୋଗୁଁ ଗିରଫ ହୋଇଥିବା ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ କୁମାର ଲାଲ୍ଲୁଙ୍କୁ ମିଳିଛି ଅନ୍ତରୀଣ ଜାମିନ । ବୁଧବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଯେଉଁଠି ଏହି ଜାମିନ ମିଳିଥିଲା । ଜୁଲାଇ 16 ଯାଏଁ ଏକ ଆଗ୍ରା କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି ।
ତେବେ କୋର୍ଟ ବାହାରେ ଅଜୟଙ୍କ ସମର୍ଥକ ତଥା କଂଗ୍ରେସ କର୍ମୀ ପ୍ରବଳ ହୋହୋଲ୍ଲା କରିଥିଲେ । ପୂର୍ବରୁ ତାଙ୍କୁ କୋର୍ଟ ନେବାବେଳେ ଆଗ୍ରା ପୋଲିସ ଲାଇନ ବାହାରେ ମଧ୍ୟ ଏମାନେ ବିରୋଧ ପ୍ରଦର୍ଶନ କରିଥିଲେ । ମଙ୍ଗଳବାର ଉତ୍ତରପ୍ରଦେଶ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ ଆୟୋଜନକୁ ନେଇ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।
ଏହି ଅବସରରେ ଲକଡାଉନ ଉଲ୍ଲଙ୍ଘନ ଅଭିଯୋଗରେ ଉତ୍ତରପ୍ରଦେଶ ଓ ରାଜସ୍ଥାନ ସୀମାରୁ ଅଜୟଙ୍କୁ ଗିରଫ କରିଥିଲା ଆଗ୍ରା ପୋଲିସ । ରାଜସ୍ଥାନରୁ ବସ ଆଣି ୟୁପି ସୀମାରେ ପ୍ରବେଶ କରାଇବା ସହ ଗାଜିଆବାଦ ଓ ନୋଏଡାକୁ ନେବାକୁ ଚାହୁଁଥିଲେ ଅଜୟ । ହେଲେ ପୋଲିସ ଏଥିରେ ବାଧା ଦେବା ସହ ତାଙ୍କୁ ଗିରଫ କରିଥିଲା ।
ଉଲ୍ଲେଖଯୋଗ୍ୟ ଯେ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ ଆୟୋଜନକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ଶ୍ରମିକଙ୍କୁ ଘରେ ପହଞ୍ଚାଇବା ପାଇଁ ୟୁପି ସରକାରଙ୍କୁ 1000 ବସର ଲିଷ୍ଟ ଦେଇଥିଲା କଂଗ୍ରେସ । ଯାହାକୁ ସରକାର ଗ୍ରହଣ କରିଥିଲେ । ହେଲେ ଏଥିରୁ କିଛି ଗାଡି ଦୁଇଚକିଆ ଓ ଚାରିଚକିଆ ଥିବାରୁ ଏହାକୁ ବାଦ ଦିଆଯାଇଥିଲା । ଫଳରେ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଏନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ ଦଳ ରାସ୍ତାକୁ ଓହ୍ଲାଇଥିଲା ।
ସୌଜନ୍ୟ@ANI