ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋଟିଏ ପଟେ ମହାରାଷ୍ଟ୍ରରେ କ୍ଷମତା ଲଢେଇ ଚାଲିଥିବା ବେଳେ ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବାର ତାଙ୍କର କୌଣସି ପ୍ରକାର ଲକ୍ଷ୍ୟ ନଥିବା ସେ କହିଛନ୍ତି ।
ଦିଲ୍ଲୀରେ ଆସନ୍ତା ବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବେ କି ବୋଲି ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ କହିଛନ୍ତି, ମୋର ଏଭଳି କୌଣସି ଲକ୍ଷ୍ୟ ନାହିଁ। ମୁଁ ପୂର୍ବରୁ ପ୍ରଶାସନିକ ଅଧିକାରୀ ଥିଲି ଏବଂ ଏବେ ମନ୍ତ୍ରୀ ଭାବେ ଜନତାଙ୍କ ସେବା କରୁଛି। ଦିଲ୍ଲୀରେ ବିଜେପିର ଭଲ ନେତୃତ୍ବ ରହିଛି। ଏଭଳି ବରିଷ୍ଠ ନେତା ଅଛନ୍ତି ଯିଏ ରାଜଧାନୀରେ ବଡ ହୋଇଛନ୍ତି । ମୁଁ ଯେଉଁ ପଦବୀରେ ଅଛି ଖୁସୀରେ ଅଛି ବୋଲି ସେ କହିଛନ୍ତି।
ଶନିବାର ଦିଲ୍ଲୀର ଅଣଅଧିକୃତ କଲୋନୀର ସୀମାକୁ ଆକଳନ କରୁଥିବା ଏକ ୱେବ ପୋର୍ଟାଲର ଉନ୍ମୋଚନ କରିଥିଲେ ହରଦୀପ ସିଂହ । ଏହି ଅବସରରେ ସେ କହିଥିଲେ, ଦିଲ୍ଲୀ ସରକାର ଯେଉଁ କାର୍ଯ୍ୟକୁ 11 ବର୍ଷରେ କରିପାରିନଥିଲେ । ତାହାକୁ ଆମେ 3 ମାସରେ କରିଦେଖାଇଲୁ ବୋଲି ସେ କହିଛନ୍ତି।