ନୂଆଦିଲ୍ଲୀ: କୋରୋନା ଭାଇରସ୍ର ମୁକାବିଲା ପାଇଁ ଏକ ଜାତୀୟ ରଣନୀତି ପ୍ରସ୍ତୁତି ସକାଶେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍ଫରେନ୍ସରେ ବୈଠକ କରିଛନ୍ତି । ଏହି ଅବସରରେ, ଦଳମତ ନିର୍ବିଶେଷରେ ବିରୋଧୀ ଦଳ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦାବି କରିଥିଲେ ଯେ, ଏହି ବିଶ୍ବବ୍ୟାପୀ ମହାମାରୀ ବିରୋଧରେ ଲଢ଼ିବାକୁ ଅଧିକ ସମ୍ବଳ ଯୋଗାଡ଼ କରିବା ଲାଗି ତୁରନ୍ତ ରାଜ୍ୟର ସାମଗ୍ରୀ ଓ ସେବା କର ବା ଜିଏସ୍ଟି ବାବଦ ପ୍ରାପ୍ୟ ଦିଆଯାଉ ଏବଂ ସେମାନଙ୍କ ଋଣ ସୀମା ବୃଦ୍ଧି କରାଯାଉ ।
ଅନ୍ୟାନ୍ୟ କେତେକ ଦେଶ ଭଳି ଆମ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଅଚାନକ ବୃଦ୍ଧି କ୍ଷେତ୍ରରେ ସମ୍ଭାବ୍ୟ କଷ୍ଟକର ପରିସ୍ଥିତିର ମୁକାବିଲା ଲାଗି ଅଧିକ ଡାକ୍ତରୀ ପରୀକ୍ଷା ଉପକରଣ ଏବଂ ଭେଣ୍ଟିଲେଟର ଯୋଗାଇକୁ ମଧ୍ୟ ରାଜ୍ୟମାନେ ଦାବି କରିଥିଲେ । କୋଭିଡ୍-19 କିମ୍ବା SARS-Cov-2 ନାମରେ ମଧ୍ୟ ପରିଚିତ ନୋଭେଲ କରୋନା ଭାଇରସ୍ ସଂକ୍ରମଣରେ ଭାରତରେ 50ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି ଏବଂ ସାରା ବିଶ୍ବରେ ମୋଟ 48,500ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ତିନି ମାସ ଭିତରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 10 ଲକ୍ଷ ପାଖାପାଖି ପହଞ୍ଚିଛି ।
ପଶିମବଙ୍ଗ, କେରଳ, ପଞ୍ଜାବ ଏବଂ ଆନ୍ଧ୍ର ପ୍ରଦେଶ ଭଳି ଚାରିଟି ବିରୋଧୀ ଦଳ ଶାସିତ ରାଜ୍ୟର ନେତାମାନଙ୍କ ସହ ଇଟିଭି ଭାରତ ଗୁରୁବାର ଦିନ କଥାବାର୍ତ୍ତା କରିଛି । ଏହି ନେତାମାନଙ୍କ ମଧ୍ୟରେ ଦୁଇ ଜଣ ଅର୍ଥମନ୍ତ୍ରୀ ଏବଂ ଲୋକସଭା ଏବଂ ରାଜ୍ୟସଭାର ଜଣେ ଲେଖାଏଁ ହିସାବରେ ଶାସକ ଦଳର ଦୁଇ ଜଣ ସାଂସଦ ସାମିଲ ଥିଲେ । ସେମାନେ ସମସ୍ତେ କେନ୍ଦ୍ର ପାଖରେ ପଡ଼ି ରହିଥିବା ଜିଏସ୍ଟି କ୍ଷତିଭରଣା ବାବଦ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ଏବଂ ଆର୍ଥିକ ଉତ୍ତରଦାୟିତ୍ବ ଏବଂ ବଜେଟ ପରିଚାଳନା ବା FRBM ଆଇନ ଅନୁସାରେ କେନ୍ଦ୍ର ଦ୍ବାରା ସ୍ଥିରୀକୃତ ଋଣ ସୀମା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦେଇଥିଲେ । ଏହି ଆଇନ ଅନୁସାରେ କୌଣସି ରାଜ୍ୟର ଋଣ କ୍ଷମତା ସେହି ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା GDPର 3%ରେ ସୀମିତ ରଖାଯାଇଛି ।
ପଞ୍ଜାବର ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ କହିଥିଲେ ଯେ, ଯଦି କେନ୍ଦ୍ର GST ପ୍ରାପ୍ୟ ଏବଂ ବକେୟା ପ୍ରାପ୍ୟ
ବାବଦରେ ରହିଥିବା ମୋଟ 6,000 କୋଟି ଟଙ୍କା ପ୍ରଦାନ କରେ, ତେବେ ତାଙ୍କ ରାଜ୍ୟ ନିଜେ ନିଜେ କୋଭିଡ୍-19 ସର୍ବବ୍ୟାପୀ ମହାମାରୀର ମୁକାବିଲା କରିପାରିବ । କେରଳର ଅର୍ଥମନ୍ତ୍ରୀ ଥୋମାସ ଆଇଜାକ, ତୁରନ୍ତ ରାଜ୍ୟର GST କ୍ଷତିଭରଣା ବାବଦ ପ୍ରାପ୍ୟ ପ୍ରଦାନ କରିବା ସହିତ FRBM ଆଇନ ଅନୁସାରେ 27,000 କୋଟି ଟଙ୍କାରେ ସୀମିତ ରଖାଯାଇଥିବା ରାଜ୍ୟର ଋଣ ସଂଗ୍ରହ କ୍ଷମତା ବୃଦ୍ଧି କରିବା ଉପରେ ଜୋର ଦେଇଥିଲେ ।
ଇଟିଭି ଭାରତକୁ ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ କହିଛନ୍ତି ଯେ, “କେନ୍ଦ୍ର ଆମ GST କ୍ଷତିଭରଣା ବାବଦ ପ୍ରାପ୍ୟ ଏବଂ ବକେୟା ପ୍ରାପ୍ୟ ଦେଇଦେଲେ ଆମେ ନିଜେ ନିଜେ କରୋନା ଭାଇରସ୍ର ମୁକାବିଲା କରିପାରିବୁ ।” ବୈଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ବିଭିନ୍ନ ରାଜ୍ୟକୁ GST ବାବଦ ପ୍ରାପ୍ୟ ଦେବାରେ କେନ୍ଦ୍ର ବିଳମ୍ବ କରିଥିବା ବେଳେ ତାଙ୍କ ରାଜ୍ୟକୁ ଠିକ୍ ସମୟରେ GST କ୍ଷତିଭରଣା ବାବଦ ପ୍ରାପ୍ୟ ଦେବା ଲାଗି ଗତ ବର୍ଷ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନେକ ଥର ପତ୍ର ଲେଖାଯାଇଛି । ଏଥି ସହିତ ତାଙ୍କ ସହିତ ଅନେକ ବୈଠକରେ ଯୋଗ ଦେଇଥିବା କେରଳର ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍, କରୋନା ଭାଇରସ୍ ମୁକାବିଲା କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ସହାୟତା ଦେଉ ନାହାନ୍ତି ବୋଲି ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲେ ।
କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍ କହିଲେ, “ଆପଣ ହୁଏତ ଆଶ୍ଚର୍ଯ୍ୟାନ୍ବିତ ହେବେ ଯେ, କେବଳ NHM (ଜାତୀୟ ସ୍ବାସ୍ଥ୍ୟ ଅଭିଯାନ) ବାବଦରେ ସ୍ବାଭାବିକ ଅଂଶ ଦେବା ବ୍ୟତୀତ କୋଭିଡ୍ ବିରୋଧରେ ଲଢ଼ିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୌଣସି ସହାୟତା ଦେଇନାହାନ୍ତି ।” ସେ କହିଲେ, ସବୁ ରାଜ୍ୟ ସରକାର ଦୁର୍ଦ୍ଦଶା ଭୋଗୁଛନ୍ତି ଏବଂ ସେମାନଙ୍କ ରାଜସ୍ବ ସଂଗ୍ରହ ଦ୍ରୁତ ହାରରେ ହ୍ରାସ
ପାଇଥିବା ବେଳେ ବ୍ୟୟଭାର ବଢ଼ିବାରେ ଲାଗିଛି । ଇଟିଭି ଭାରତକୁ ଥୋମାସ ଆଇଜାକ କହିଛନ୍ତି, “ଅତି କମ୍ରେ କେନ୍ଦ୍ର ଆମକୁ ଯାହା ଦେବା କଥା ତାହା ହିଁ ଦେଇଦେବା ଉଚିତ । ମୁଁ କିଛି ଅଧିକ ଦେବାକୁ କହୁନାହିଁ । ସେଥିପାଇଁ ଅପେକ୍ଷା କରାଯାଇପାରେ, କିନ୍ତୁ GST କ୍ଷତିଭରଣା ବାବଦ ପ୍ରାପ୍ୟ
ସେମାନେ ଦେଇଦେବା ଉଚିତ । କ’ଣ ପାଇଁ ସେମାନେ ଏପଟ ସେପଟ କରି ବିଳମ୍ବ କରୁଛନ୍ତି । ଏଇଟା ସେମାନଙ୍କର କର୍ତ୍ତବ୍ୟ, ସେମାନେ ଏହାକୁ ଏଡ଼ାଇ ଯାଇପାରିବେ ନାହିଁ ।” ଥୋମାସ ଆଇଜାକଙ୍କ ମତାମତ ସହ ସ୍ବର ମିଳାଇ ମତ ଦିଅନ୍ତି ପଶ୍ଚିମ ବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସର ଜଣେ ରାଜ୍ୟସଭା ସଦସ୍ୟ ।
ରାଜ୍ୟସଭା ସଦସ୍ୟ ଜଣକ କହିଛନ୍ତି, “GST କ୍ଷତିଭରଣା ବାବଦରେ ବାକି ପଡ଼ିଥିବା 28,000 କୋଟି ଟଙ୍କା ସହିତ ଅନ୍ୟ କେତେକ କେନ୍ଦ୍ରୀୟ ଯୋଜନା ବାବଦ ବକେୟା ଅର୍ଥ ଏବଂ ପୂର୍ବରୁ ବୁଲବୁଲ ଝଡ଼ବାତ୍ୟା ଯୋଗୁଁ କ୍ଷୟକ୍ଷତି ଭରଣା ଦିଗରେ ଘୋଷିତ ସହାୟତା ପ୍ୟାକେଜ୍ ବାବଦ ଅର୍ଥ ତୁରନ୍ତ ଦେବା ଲାଗି କେନ୍ଦ୍ର ସରକାରଙ୍କୁ ଆମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ କରିଛନ୍ତି ।”
ନିଜ ନାମ ପ୍ରକାଶ ନ କରିବାକୁ ଅନୁରୋଧ କରି ପଶ୍ଚିମ ବଙ୍ଗର ଏହି ତୃଣମୂଳ କଂଗ୍ରେସ ରାଜ୍ୟସଭା ସଦସ୍ୟ ଇଟିଭି ଭାରତକୁ କହିଛନ୍ତି ଯେ, “ଏଗୁଡ଼ିକ ନ୍ୟାୟସଂଗତ ଦାବି । ଏହା ନୁହେଁ ଯେ ଆମେ କିଛି ଅଧିକ ପାଇବାକୁ ଦାବି କରୁଛୁ ।” ସେ ଆହୁରି କହିଲେ, “ମୁଁ ଭାବୁଛି, ଏଭଳି ସଂକଟପୂର୍ଣ୍ଣ ସମୟରେ କେନ୍ଦ୍ର ଯଦି ଏହାର କିଛି ଭାଗ ଦେଇଦିଏ, ତେବେ ଏହା କରୋନା ଭାଇରସ୍ ସର୍ବବ୍ୟାପୀ ମହାମାରୀର ମୁକାବିଲା ଦିଗରେ ପଶ୍ଚିମ ବଙ୍ଗ ସରକାରଙ୍କୁ ସାହାଯ୍ୟ କରିବ ।” ହେଲେ, ଆନ୍ଧ୍ର ପ୍ରଦେଶର ଜଣେ ଯୁବ ଲୋକସଭା ସଦସ୍ୟ ଲାବୁ କ୍ରିଷ୍ଣା ଦେବରାୟାଲୁ ଏହି ମତାମତ ସହ ସମ୍ମତ ନୁହଁନ୍ତି
ଯେ, କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କେବଳ GST କ୍ଷତିଭରଣା ବାବଦ ପ୍ରାପ୍ୟ ଦେଇଦେଲେସେମାନେ ଏହି ବିଶ୍ବବ୍ୟାପୀ ମହାମାରୀର ମୁକାବିଲା ଦିଗରେ ସକ୍ଷମ ହେବେ । ୱାଇଏସ୍ଆର୍ ସାଂସଦ ଲାବୁ ଶ୍ରୀକ୍ରିଷ୍ଣା ଈଟିଭି ଭାରତକୁ କହିଛନ୍ତି, “ ଯେ କୌଣସି କ୍ଷେତ୍ରରେ ହେଲେ ବି କେନ୍ଦ୍ର ସରକାର GST ବାବଦ ପ୍ରାପ୍ୟ ଦେଇଦେବେ । କିନ୍ତୁ ଶିଳ୍ପ ସଂସ୍ଥାଗୁଡ଼ିକର ପୁନରୁଦ୍ଧାର ଦିଗରେ କୌଣସି ସଂଗଠିତ ଯୋଜନା ବ୍ୟତୀତ ଏହା ପର୍ଯ୍ୟାପ୍ତ ହେବ ବୋଲି ମୁଁ ଭାବୁନାହିଁ ।”
ଲକ୍ଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଆସନ୍ନ ରାଜସ୍ବ ସଙ୍କଟ
GST କ୍ଷତିଭରଣା ବାବଦ ପାଣ୍ଠି ମିଳିବାରେ ବିଳମ୍ବ ହେବା ବୃହତ୍ ସମସ୍ୟାର ଏକ ଅଂଶ ମାତ୍ର । କେତେକ ରାଜ୍ୟ ସେମାନଙ୍କ କର୍ମଚାରୀଙ୍କୁ ମଜୁରି ଏବଂ ଦରମା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନ୍ସନ ଦେବା କ୍ଷେତ୍ରରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲଙ୍କ କହିବା ଅନୁସାରେ ରାଜ୍ୟ ସରକାର ଏ ମାସରେ ଠିକ୍ ସମୟରେ ଦରମା ଦେବାରେ ସକ୍ଷମ ହେବେ କିନ୍ତୁ, ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବାରୁ ଏବଂ ରାଜ୍ୟର ରାଜସ୍ବ
ସଂଗ୍ରହ ପ୍ରଭାବିତ ହୋଇଥିବାରୁ ପରବର୍ତ୍ତୀ ମାସରୁ ଆଗକୁ ସରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଇଟିଭି ଭାରତକୁ ମନପ୍ରୀତ ବାଦଲ କହିଲେ ଯେ, “ଟିକସ ବାବଦରେ ଟଙ୍କାଟିଏ ହେଲେ ଆସୁନାହିଁ । ପେଟ୍ରୋଲ, ଡିଜେଲ ଓ ମଦ ବିକ୍ରି ହେଉନାହିଁ । ସେହିଭଳି ଜମିଜମା କାରବାର ହେଉ ନଥିବାରୁ ଷ୍ଟାମ୍ପ୍ ଏବଂ ପଞ୍ଜୀକରଣ ଡ୍ୟୁଟି ମଧ୍ୟ ଖାଲି ହୋଇଗଲାଣି । ସରଳ ଭାଷାରେ ରାଜ୍ୟର କିଛି ହେଲେ ଆୟ ହେଉନାହିଁ ।” ଦୀର୍ଘକାଳ ଧରି ଲକ୍ଡାଉନ୍ ଯୋଗୁଁ ରାଜ୍ୟ ସରକାରଙ୍କ ବହୁ ପରିମାଣର ରାଜସ୍ବ ହରାଇବାର ସମ୍ଭାବନା ଉପରେ କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ ମଧ୍ୟ ଗୁରୁତ୍ବାରୋପ କରିଥିଲେ ଏବଂ ଏହା ଫଳରେ ଦରମା ଏବଂ ମଜୁରି ପ୍ରଦାନ ପ୍ରଭାବିତ ହେବ ବୋଲି କହିଥିଲେ ।
ଇଟିଭି ଭାରତକୁ ଥୋମାସ ଆଇଜାକ କହିଲେ, “ଏହି କାରଣରୁ ହିଁ ସବୁ ରାଜ୍ୟ ଦରମା କାଟ୍ ଏବଂ ଅନ୍ୟାନ୍ୟ କେତେକ ପଦକ୍ଷେପ ନେଉଛନ୍ତି । ଯଦି ଆପଣ କରୋନା ବିରୋଧରେ ଲଢ଼ିବାକୁ ଚାହାଁନ୍ତି, ଯଦି ଆପଣ କରୋନା ବିରୋଧୀ ଲଢ଼େଇକୁ ନେଇ ଗମ୍ଭୀରତାର ସହ ଚିନ୍ତା କରୁଛନ୍ତି, ତେବେ ରାଜ୍ୟଗୁଡ଼ିକୁ ଅଧିକ ଅର୍ଥ ଦିଅନ୍ତୁ ।”
ରାଜ୍ୟ ପାଇଁ ଆର୍ଥିକ ନିଅଣ୍ଟ ପରିମାଣରେ ଧାର୍ଯ୍ୟଲକ୍ଷ୍ୟ କୋହଳ କରିବା ଆବଶ୍ୟକ
FRBM ଆଇନ ଅନୁସାରେ ରାଜ୍ୟଗୁଡ଼ିକ ପାଇଁ ଆର୍ଥିକ ନିଅଣ୍ଟର ଲକ୍ଷ୍ୟ ରାଜ୍ୟ GDPର 3%ରେ ଧାର୍ଯ୍ୟ ହୋଇଥିବା ବେଳେ ଏହି ସୀମାକୁ କୋହଳ କରିବା ଉପରେ କେରଳ, ପଶ୍ଚିମ ବଙ୍ଗ ଏବଂ ପଞ୍ଜାବର ନେତାମାନେ ଗୁରୁତ୍ବ ଦେଇଥିଲେ । ସେମାନେ କହିଲେ ଯେ ଦୀର୍ଘକାଳ ଧରି ଲକ୍ଡାଉନ୍ ଯୋଗୁଁ ଅର୍ଥନୀତି ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି ଏବଂ ରାଜ୍ୟ ସ୍ତରରେ ମଧ୍ୟ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପୁଜିବ । ଏଭଳି ଜଟିଳ ସ୍ଥିତିର ମୁକାବିଲା କରିବା ଲାଗି ସମ୍ବଳ ସଂଗ୍ରହ ଦିଗରେ ଏହା ରାଜ୍ୟଗୁଡ଼ିକୁ ସାହାଯ୍ୟ କରିବ । କେରଳ ଓ ପଶ୍ଚିମ ବଙ୍ଗର ନେତାମାନେ ଆର୍ଥିକ ନିଅଣ୍ଟ ପରିମାଣର ଧାର୍ଯ୍ୟଲକ୍ଷ୍ୟ ସୀମା 3%ରୁ 5%କୁ ବଢ଼ାଇବା ଉଚିତ ବୋଲି କହିଥିଲେ । ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ କୌଣସି ସଂଖ୍ୟା ଉପସ୍ଥାପନ କରି ନଥିଲେ । କିନ୍ତୁ କେନ୍ଦ୍ର ଭଳି ରାଜ୍ୟଗୁଡ଼ିକ ନିଜେ ନିଜେ ସେମାନଙ୍କର ଆର୍ଥିକ ନିଅଣ୍ଟିଆ ସ୍ଥିତିର ଧାର୍ଯ୍ୟଲକ୍ଷ୍ୟ ସୀମାକୁ କୋହଳ କରିପାରିବେ ନାହିଁ କି ଅଧିକ ସମ୍ବଳ ସଂଗ୍ରହ ପାଇଁ ନୋଟ୍ ଛାପି ପାରିବେ ନାହିଁ ବୋଲି ଗୁରୁତ୍ବ ଆରୋପ କରି କହିଥିଲେ ।
ଇଟିଭି ଭାରତକୁ ଥୋମାସ ଆଇଜାକ କହିଛନ୍ତି, “ସେମାନେ ରାଜ୍ୟଗୁଡ଼ିକୁ ଅଧିକ ଋଣ କରିବା ଲାଗି ଅନୁମତି ଦେବା ଉଚିତ । କେନ୍ଦ୍ରର ଆର୍ଥିକ ନିଅଣ୍ଟ 3% ବଦଳରେ ପାଖାପାଖି 4% ହେବ । ତେଣୁ ସେମାନେ ମୁକୁଳି ଯିବାର ବାଟ ରହିଛି ଏବଂ ପୂର୍ବରୁ ସେମାନେ ଏହାର ଉପଯୋଗ କରିଛନ୍ତି ଏବଂ ରାଜ୍ୟଗୁଡ଼ିକ ପାଇଁ ସେମାନେ ସେଇ ଏକା କଥା କରିବା ଉଚିତ ।” ରାଜ୍ୟର ଆର୍ଥିକ ନିଅଣ୍ଟ ପରିମାଣର ଧାର୍ଯ୍ୟଲକ୍ଷ୍ୟକୁ 5%କୁ ବୃଦ୍ଧି କରିବା ଲାଗି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରକୁ ଚିଠି ଲେଖିଛନ୍ତି ବୋଲି ତୃଣମୂଳ କଂଗ୍ରେସର ରାଜ୍ୟସଭା ସଦସ୍ୟ କହିଛନ୍ତି ।
ଇଟିଭି ଭାରତକୁ ସେ କହିଲେ, “FRBM ସୀମାକୁ କୋହଳ କରି 3%ରୁ 5%କୁ ବଢ଼ାଇବା ଲାଗି ଆମେ ଅନୁରୋଧ କରିଛୁ, କିନ୍ତୁ କୌଣସି ଉତ୍ତର ମିଳିନାହିଁ ।” ଅଧିକ ସଂଖ୍ୟକ ଡାକ୍ତରୀ ଯାଞ୍ଚ ଉପକରଣ, ଭେଣ୍ଟିଲେଟର ପାଇଁ ଦାବି ଆଗାମୀ ଦୁଇ-ତିନି ସପ୍ତାହରେ ଯଦି କୋରୋନା ଭାଇରସ୍ରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ହୁଏ, ତେବେ ପରିସ୍ଥିତିର ମୁକାବିଲା ଲାଗି ଅଧିକ ସଂଖ୍ୟକ ପରୀକ୍ଷଣ ଉପକରଣ ବା ଟେଷ୍ଟିଂ କିଟ୍ ଏବଂ ଭେଣ୍ଟିଲେଟରର ଆବଶ୍ୟକତା ଥିବାରୁ ଇଟିଭି ଭାରତ ଯୋଗାଯୋଗ କରିଥିବା ଅନ୍ୟନ ତିନୋଟି ରାଜ୍ୟ ଏଥିପାଇଁ ଦାବି ଉଠାଇଥିଲେ । କେରଳର ଅର୍ଥମନ୍ତ୍ରୀ ଥୋମାସ ଆଇଜାକ କହିଲେ ଯେ ତାଙ୍କ ରାଜ୍ୟ 10 ଲକ୍ଷ ଲୋକଙ୍କୁ ଯାଞ୍ଚ କରିବାକୁ ଚାହୁଁଥିଲା । କିନ୍ତୁ କେରଳ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତରୀ ଯାଞ୍ଚ ଉପକରଣ ନଥିବାରୁ ତାହା ସେମାନେ କରିପାରି ନଥିଲେ ।
କେରଳ ଅର୍ଥମନ୍ତ୍ରୀ କହିଛନ୍ତି, “ଆମ ପାଖରେ ଯଥେଷ୍ଟ ସଂଖ୍ୟାରେ ଟେଷ୍ଟିଂ କିଟ୍ ନାହିଁ, ଆମର ଆଉ ଅଧିକ ଦରକାର । ଆମେ 10 ଲକ୍ଷ ଲୋକଙ୍କୁର ଡାକ୍ତରୀ ଯାଞ୍ଚ କରିବାକୁ ଚାହୁଁଛୁ । କିନ୍ତୁ ଆମ ପାଖରେ ପର୍ଯ୍ୟାପ୍ତ କିଟ୍ ନାହିଁ । ଆମର ଆହୁରି ଅଧିକ କିଟ୍ ଦରକାର । ତାହା ହିଁ ଏବେ ଆମ ପଥ ଅବରୋଧ କରିଛି ।” ଟେଷ୍ଟିଂ କିଟ୍ ଏବଂ ଡାକ୍ତରଖାନା କର୍ମଚାରୀଙ୍କ ଲାଗି ପ୍ରତିରୋଧକ ଉପକରଣ ପାଇବାରେ ବିଭିନ୍ନ ରାଜ୍ୟ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆନ୍ଧ୍ର ପ୍ରଦେଶର ନରସାରାଓପେଟରୁ ଲୋକସଭା ସଦସ୍ୟ ଲାବୁ ଶ୍ରୀ କ୍ରିଷ୍ଣା ଦେବରାୟାଲୁ ଆଲୋକପାତ କରିଥିଲେ । ସେ କହିଲେ, “ବର୍ତ୍ତମାନ ସୁଦ୍ଧା କେଉଁ ଟେଷ୍ଟିଂ କିଟ୍ କେନ୍ଦ୍ର ସରକାରଙ୍କ ସ୍ବୀକୃତି ଲାଭ କରିଛି ସେ ସଂପର୍କରେ ସ୍ପଷ୍ଟ ସୂଚନା ନାହିଁ ।”
ଇଟିଭି ଭାରତକୁ ସେ କହିଛନ୍ତି, “ଟେଷ୍ଟିଂ କିଟ୍ର ଆବଶ୍ୟକତା ହେଉଛି ପ୍ରଥମ କଥା । ଯଦିଓ ଆମେ ସେଗୁଡ଼ିକୁ ଆମଦାନୀ କରିବୁ, ହେଲେ କେନ୍ଦ୍ର ସରକାରଙ୍କୁ ସୂଚାଇ ଦେବାକୁ ପଡ଼ିବ ଯେ ଏହି କିଟ୍ ଗୁଡ଼ିକୁ ରାଜ୍ୟ ଆମଦାନୀ କରିପାରିବେ । ଦ୍ବିତୀୟ କଥା ହେଉଛି, ଡାକ୍ତରଖାନା କର୍ମଚାରୀଙ୍କୁ ପ୍ରତିରୋଧକ ଉପକରଣ ଯୋଗାଣ ଏବଂ ଭେଣ୍ଟିଲେଟରର ଶସ୍ତା ବିକଳ୍ପ ପ୍ରଦାନ ।” ପଶ୍ଚିମ ବଙ୍ଗର ରାଜ୍ୟସଭା ସଦସ୍ୟ ମଧ୍ୟ ଟେଷ୍ଟିଂ କିଟ୍ ଅଭାବଜନିତ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଇଟିଭି ଭାରତକୁ ସେ କହିଛନ୍ତି, “ବର୍ତ୍ତମାନ ଟେଷ୍ଟିଂ କିଟ୍ ଏବଂ ବିଶେଷତଃ ଭେଣ୍ଟିଲେଟରର ଅଭାବ ରହିଛି । ଯଦିଓ, ବର୍ତ୍ତମାନ ସୁଦ୍ଧା ମୃତ୍ୟସଂଖ୍ୟା ଏତେ ବେଶୀ ବଢ଼ିନାହିଁ, ତେବେ ଆଗାମୀ ସପ୍ତାହଗୁଡ଼ିକରେ କ’ଣ ହେବ କେହି ଜାଣିନାହାନ୍ତି।”
ଏହି ବିଶ୍ବବ୍ୟାପୀ ମହାମାରୀକୁ ରୋକିବା ଲାଗି କେନ୍ଦ୍ର ସରକାର ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ୍ରେ ବ୍ୟୟବରାଦ ବଢ଼ାଇବା ଲାଗି କେରଳର ଅର୍ଥମନ୍ତ୍ରୀ ଥୋମାସ ଆଇଜାକ ଦାବି କରିଥିଲେ । ଇଟିଭି ଭାରତକୁ ସେ କହିଛନ୍ତି, “କେନ୍ଦ୍ର ସରକାର NHM (ଜାତୀୟ ସ୍ବାସ୍ଥ୍ୟ ଅଭିଯାନ) ବାବଦ ବ୍ୟୟବରାଦକୁ ବଢ଼ାଇବା ସହିତ ରାଜ୍ୟଗୁଡ଼ିକୁ ଅଧିକ ଅର୍ଥ ପ୍ରଦାନ କରିବା ଉଚିତ । ଏବେ ଦେଶରେ ଏକ ସ୍ବାସ୍ଥ୍ୟ ସଂକଟ ଦେଖାଦେଇଛି । ତେଣୁ ସେମାନେ ପ୍ରଥମେ ଯେଉଁ କାମ କରିବା ଉଚିତ ତାହା ହେଲା ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟବରାଦ ବୃଦ୍ଧି, କିନ୍ତୁ ସେମାନେ ତାହା କରିନାହାନ୍ତି ।”