ଡେରାଡୁନ: ବିଶ୍ବ ପ୍ରସିଦ୍ଧ କେଦାରନାଥ ଧାମର ପୁରୋହିତମାନେ ଦେଶର ଅନେକ ସହରରେ ଫସି ରହିଛନ୍ତି । ପ୍ରାୟ 50ରୁ ଉର୍ଦ୍ଧ୍ବ ପୁରୋହିତମାନେ ଦେଶର ଅନେକ ସହର ଦିଲ୍ଲୀ, କୋଲକତା, ମୁମ୍ବାଇ, ଲକ୍ଷ୍ନୌ, ଚଣ୍ଡିଗଡ, ଭୁବନେଶ୍ବର, ଜାମ୍ମୁ, ଗ୍ବାଲିୟର,ଜୟପୁର,ପୁଷ୍କର, ଚିତ୍ରକୂଟ, ବାରାବଙ୍କି ସମେତ ଅନେକ ସ୍ଥାନରେ ଫସି ରହିଛନ୍ତି ।
ସୂଚନାଥାଉକି, କେଦାରନାଥ ଧାମର ଦ୍ବାର ବନ୍ଦ ହେବା ପରେ ସେଠାକାର ତୀର୍ଥ ପୁରୋହିତମାନେ ଧର୍ମର ପ୍ରଚାର-ପ୍ରସାର ପାଇଁ ଦେଶ ସାରା ଭ୍ରମଣ କରିବାକୁ ବାହାରି ପଡନ୍ତି । 6 ମାସ ପରେ ବାବା କେଦାରନାଥଙ୍କ ଦ୍ବାର ଖୋଲିବା ସମୟରେ ଧାମକୁ ଫେରିଥାନ୍ତି । କିନ୍ତୁ ଚଳିତବର୍ଷ ମହାମାରୀ କୋରୋନା ଯୋଗୁଁ ଲକଡାଉନ ଜାରି ହେବାରୁ ସମସ୍ତେ ଅନ୍ୟ ସହରରେ ଫସି ରହି ଯାଇଛନ୍ତି । ଏପଟେ ଲକଡାଉନ ସତ୍ତ୍ବେ କେଦାରନାଥ ଧାମର ଦ୍ବାର ନିର୍ଦ୍ଧାରିତ ସମୟରେ 29 ଏପ୍ରିଲକୁ ଖୋଲିବ ।
ଏବେ ଲକଡାଉନ କାରଣରୁ ଫସି ରହିଥିବା ଅନେକ ପୁରୋହିତ ନିଜ ଘରକୁ ଫେରି ପାରିବେନାହିଁ । ଏଥିସହ ସେମାନଙ୍କର ଆର୍ଥିକ ସ୍ଥିତ ଦୁର୍ବଳ ହେବାରେ ଲାଗିଛି । ଏନେଇ ତୀର୍ଥ ପୁରୋହିତ ସମାଜ କେଦାରନାଥ ବିଧାୟକଙ୍କୁ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ