ନୂଆଦିଲ୍ଲୀ: ଦିଲ୍ଲୀର ରାଧାସ୍ବାମୀ ବ୍ୟାସ ଛତରପୁରରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଟିମ୍ 10 ହଜାରରୁ ଅଧିକ ଶଯ୍ୟା ବିଶିଷ୍ଟ ପ୍ରସ୍ତାବିତ କୋଭିଡ କେୟାର ସେଣ୍ଟରର ଦାୟିତ୍ବ ଗ୍ରହଣ କରିଛନ୍ତି। 26 ଜୁନ ଠାରୁ ରାଜଧାନୀରେ ଏହି ବିଶାଳ କୋଭିଡ୍ କେୟାର ସେଣ୍ଟର ପରିଚାଳନା ପାଇଁ ଆଇଟିବିପି ବୁଧବାର ନୋଡାଲ୍ ଏଜେନ୍ସି ଭାବରେ ଦାୟିତ୍ବ ଗ୍ରହଣ କରିଛି ।
ଅଭିଜ୍ଞ ଡାକ୍ତର ଓ ଆଇଟିବିପିର ପ୍ରଶାସକଙ୍କ ଦଳ ବୁଧବାର ସକାଳେ ରାଧାସ୍ବାମୀ ବ୍ୟାସ ଛତରପୁରର ଏହି କେନ୍ଦ୍ରକୁ ଆସି ଯୁଦ୍ଧକାଳୀନ ଭାବରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆଇଟିବିପି ଦଳ ଦିଲ୍ଲୀ ସରକାର, ଜିଲ୍ଲା ପ୍ରଶାସନର ଅଧିକାରୀ ଓ ଆଶ୍ରମର ବିଭିନ୍ନ ଅଧିକାରୀଙ୍କ ସହ ବାରମ୍ବାର ବୈଠକ କରିଥିଲେ। ଏହି ଅବସରରେ ଦିଲ୍ଲୀ ଜଳ ବୋର୍ଡ ଓ ବିଦ୍ୟୁତ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ।
ବର୍ତ୍ତମାନ ପ୍ରାୟ 2000 ଶଯ୍ୟା ବିଶିଷ୍ଟ ଏହି କେନ୍ଦ୍ର 26 ଜୁନ୍ ଠାରୁ ଆରମ୍ଭ ହେବ । କୋଭିଡ ରୋଗୀଙ୍କ ଅନୁଯାୟୀ ଧୀରେ ଧୀରେ ଏହାର ସଂଖ୍ୟା ବୃଦ୍ଧି ପାଇବ। ଏହାର ସର୍ବାଧିକ କ୍ଷମତା 10 ହଜାର 200 ଶଯ୍ୟା ପର୍ଯ୍ୟନ୍ତ ରହିଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ କେନ୍ଦ୍ର ହେବ, ଯେଉଁଥିରେ 1000 ରୁ ଅଧିକ ଡାକ୍ତର ଯୋଗଦେବେ ବୋଲି ଆଶା କରାଯାଉଛି।
ତେବେ ଆଇଟିବିପିକୁ ସଞ୍ଚାଳନ ଦାୟିତ୍ବ ଦେବା ପଛର ମୁଖ୍ୟ କାରଣ ହେଉଛି, କୋରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ପ୍ରତ୍ୟେକ ସ୍ତରରେ କ୍ବାରେଣ୍ଟାଇନନ କେନ୍ଦ୍ର ଓ କୋରୋନା ରୋଗୀଙ୍କ ଚିକିତ୍ସାରେ ଆଇଟିବିପି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କୋରୋନା ସଂକ୍ରମଣ ବିରୋଧରେ ଚାଲିଥିବା କାର୍ଯ୍ୟରେ ଆଇଟିବିପିର ବିଶେଷ ଅଭିଜ୍ଞତା ମଧ୍ୟ ରହିଛି ।
ଏହି କାରଣରୁ ଗୃହ ମନ୍ତ୍ରଣାଳୟ ଆଇଟିବିପିକୁ ଏହି ବିଶେଷ କାର୍ଯ୍ୟର ଭାର ଦେଇଛି। ଏହି କାର୍ଯ୍ୟରେ ଆଇଟିବିପି ଦିଲ୍ଲୀର ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ବ୍ୟତୀତ ସମସ୍ତ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସର ଡାକ୍ତର ଓ ପାରାମେଡିକାଲ୍ କର୍ମଚାରୀଙ୍କ ସହାୟତା ମଧ୍ୟ ପାଇବେ। ଏହି ବିଶାଳ କୋଭିଡ୍ କେୟାର ସେଣ୍ଟର ଏକ ବୃହତ ଅଞ୍ଚଳରେ କରାଯାଇଛି ଯେଉଁଠାରେ ପରିଚାଳନା, ସୁରକ୍ଷା ତଥା ଡାକ୍ତରଙ୍କ ଏକ ଟିମ୍ ଓ ଅନ୍ୟାନ୍ୟ ପ୍ରକାରର ସୁବିଧା ଯୋଗାଇ ଦିଆଯିବ ।