ନୂଆଦିଲ୍ଲୀ: ବିଜୟାଦଶମୀ ଅବସରରେ ରାଷ୍ଟ୍ରିୟ ସ୍ବୟଂସେବକ ସଂଘ ସମସ୍ତ ଦେଶବାସୀଙ୍କୁ ସମ୍ବୋଧିତ କରି ବିଜୟାଦଶମୀର ଶୁଭେଚ୍ଛା ଜଣାଇଛି। ଏହାସହ ସୀମାରେ ଚାଲିଥିବା ବର୍ତ୍ତମାନ ସ୍ଥିତିକୁ ଦେଖି ସଂଘ ପ୍ରମୁଖ ମୋହନ ଭାଗବତ ଚୀନକୁ ଟାର୍ଗେଟ କରିଛନ୍ତି । ମୋହନ ଭାଗବତ କହିଛନ୍ତି ଯେ କୋରୋନା ମହାମାରୀ ପ୍ରସଙ୍ଗରେ ଚୀନର ଭୂମିକା ସନ୍ଦେହଜନକ।
ଅର୍ଥନୈତିକ-ରଣନୈତିକ ଶକ୍ତି ହେତୁ ଚୀନ କିପରି ଭାରତ ସୀମା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କଲା ତାହା ସମଗ୍ର ବିଶ୍ବକୁ ଲୁଚି ରହିନି । ସେ କହିଛନ୍ତି ଯେ, ଚୀନର ଆକ୍ରୋଶ ତଥା ବିସ୍ତାରବାଦୀ ପ୍ରବୃତ୍ତି ଉପରେ ଭାରତର ଦୃଢ ପ୍ରତିକ୍ରିୟା ବେଜିଂକୁ ଚକିତ କରିଦେଇଛି। ପୂର୍ବ ଲଦାଖର ଗାଲୱାନ ଉପତ୍ୟକାରେ ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ଲଢେଇ ବିଷୟରେ ଉଲ୍ଲେଖ କରି ଆରଏସଏସ ମୁଖ୍ୟ କହିଛନ୍ତି ଯେ ଚୀନ, ଭାରତର ସୀମାରେ ଆତଙ୍କ ସୃଷ୍ଟି କରି ସମ୍ବଳର ଅପବ୍ୟବହାର ଏବଂ ଭାରତୀୟ ଅଞ୍ଚଳ ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ବିଶ୍ବକୁ ଜଣା ଅଛି।
ଆରଏସଏସ ଚୀନ ପାଇଁ ଏକ ନୂତନ ବୈଦେଶିକ ନୀତିକୁ ସମର୍ଥନ କରୁଛି ଏବଂ ଏକ ଅର୍ଥନୈତିକ ନୀତି ପ୍ରଣୟନ କରାଯିବା ଉଚିତ୍, ଯାହା ଚୀନରୁ ଆମଦାନୀ ହ୍ରାସ କରିବା ସହ ଦେଶ ସହ ବାଣିଜ୍ୟିକ ସମ୍ପର୍କକୁ ପୁନଃ ସମୀକ୍ଷା କରିବ। ସ୍ବଦେଶୀ ଜାଗରନ୍ ମଞ୍ଚ ପରି ଆରଏସଏସ ସହଯୋଗୀମାନେ ଚୀନ ସାମଗ୍ରୀ ବଏକଟ୍ ଅଭିଯାନ ଆରମ୍ଭ କରିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ ଶ୍ରୀଲଙ୍କା, ବାଂଲାଦେଶ, ବ୍ରହ୍ମାଦେଶ, ନେପାଳ ଭଳି ଆମର ପଡୋଶୀ ଦେଶ ଆମର ବନ୍ଧୁ । ସେମାନଙ୍କ ସହ ଆମର ସମ୍ପର୍କକୁ ତ୍ବରାନ୍ବିତ କରିବା ଉଚିତ୍ । ସେ କୃଷି ଆଇନ ସମ୍ପର୍କରେ ମଧ୍ୟ ନିଜ ମତ ରଖିଥିଲେ । ମୋହନ ଭାଗବତ କହିଛନ୍ତି ଯେ, ଗତ ମାସରେ ସଂସଦ ଦ୍ବାରା ପାରିତ ହୋଇଥିବା ତିନୋଟି କୃଷି ସଂସ୍କାର ଆଇନ ଉପରେ ସରକାର ଦୃଢୋକ୍ତି ପ୍ରକାଶ କରିଛନ୍ତି । ନୂତନ କୃଷି ଆଇନ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦକୁ ଲାଭଜନକ ମୂଲ୍ୟରେ ବିକ୍ରୟ କରିବାକୁ ଏବଂ ମଧ୍ୟସ୍ଥିଙ୍କ ଠାରୁ ମୁକ୍ତ କରିବାକୁ ଅନୁମତି ଦେଇଛି ।
ଅନ୍ୟପକ୍ଷେ ଆରଏସଏସ ଅନୁବନ୍ଧିତ ଭାରତୀୟ କିଷାନ ସଂଗଠନ କିନ୍ତୁ ଏହି ନୂତନ ଆଇନକୁ ବିରୋଧ କରିଛି। ଏଥିସହ ସରକାର ଏମଏସଏମଇ ୟୁନିଟକୁ ଏକ ପ୍ରକାର ସୁରକ୍ଷା ପ୍ରଦାନ କରିବା ଉଚିତ ବୋଲି କହିଛନ୍ତି । ଆର୍ଥିକ ସହାୟତା, ଧାର୍ଯ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଛନ୍ତି।