ସାରା ବିଶ୍ବ କୋଭିଡ19 ମହାମାରୀ ସହିତ ମୁକାବିଲା କରୁଥିବା ବେଳେ ଗତ କିଛି ସପ୍ତାହ ତଳେ ଭାରତ ଓ ଇଣ୍ଡୋନେସିଆର ଦ୍ବିପାକ୍ଷିକ ସମ୍ବନ୍ଧରେ ଉପୁଜିଥିବା ମତଭେଦ ଦୂର ହେବ ବୋଲି ଉଭୟ ଦେଶ ଆଶା ବାନ୍ଧିଛନ୍ତି । ଦିଲ୍ଲୀରେ ସଙ୍ଗଠିତ ଦଙ୍ଗା ସମ୍ପର୍କରେ ଇଣ୍ଡୋନେସିଆର ଉଦ୍ବେଗ ଜଣାଇବା ଲାଗି ପନ୍ଦର ଦିନ ତଳେ ଜାକର୍ତ୍ତାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତଙ୍କୁ ଇଣ୍ଡୋନେସିଆର ବୈଦେଶିକ ମନ୍ତ୍ରଣାଳୟ ସମନ କରିଥିଲା । ଦଙ୍ଗାରେ 50 ଜଣଙ୍କ ପ୍ରାଣହାନି ଘଟିଥିଲା ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁସଲମାନ ଥିଲେ । ଗତ ଦୁଇ ସପ୍ତାହରେ ଇଣ୍ଡୋନେସିଆରେ ବଡ଼ ଧରଣର ଭାରତ ବିରୋଧୀ ପ୍ରଦର୍ଶନ ଆୟୋଜିତ ହୋଇଥିଲା । ଏଫ୍ପିଆଇ, ଜିଏନ୍ପିଏଫ୍ ଏବଂ ପିଏ212 ଭଳି କଠୋରପନ୍ଥୀ ଇସ୍ଲାମ ସଂଗଠର ଆୟୋଜନରେ ଜାକର୍ତ୍ତାରେ ଅବସ୍ଥିତ ଭାରତୀୟ ଦୂତାବାସ ଏବଂ ମେଡାନର ଭାରତୀୟ କନ୍ସୁଲେଟ୍ ପରିସର ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୂର୍ବରୁ ଏହି ତିନିଟି ସଂଗଠନର ଅଧ୍ୟକ୍ଷମାନଙ୍କ ଦ୍ବାରା ସ୍ବାକ୍ଷରିତ ଏକ ମିଳିତ ପ୍ରେସ୍ ବିବୃତିରେ କୁହାଯାଇଥିଲା ଯେ “ଭାରତୀୟ ମୁସଲମାନଙ୍କ ବିରୋଧରେ ବିଭିନ୍ନ ବର୍ବର କାଣ୍ଡ ଭିଆଇବା ଲାଗି ଅନେକ ହିନ୍ଦୁ ଚରମପନ୍ଥୀ ଗୋଷ୍ଠୀ ଦ୍ବାରା ପ୍ରୟୋଗ କରାଯାଉଥିବା ନାଗରିକତା ଆଇନକୁ ପ୍ରତ୍ୟାହାର କରି ନେବାକୁ ଆମେ ଭାରତ ସରକାରଙ୍କୁ ଅନୁରୋଧ କରୁଛୁ ।”
ହେଲେ, ଇଣ୍ଡୋନେସିଆର ବିଭିନ୍ନ ସୂତ୍ରରୁ ପ୍ରକାଶ ଯେ କେବଳ ଉଦ୍ବେଗ ସମ୍ପର୍କିତ ‘ବାର୍ତ୍ତା ଜ୍ଞାପନ’ ନିମନ୍ତେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ କରାଯାଇଥିଲା ଏବଂ ଏହାର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ଘେରି ରହିଥିବା ଉତ୍ତେଜନା ପ୍ରଶମିତ କରିବାରେ ଭାରତ ସମର୍ଥ ହେବ ବୋଲି ଜାକର୍ତ୍ତା ବିଶ୍ବାସ କରେ । ଇଣ୍ଡୋନେସିଆର ଜଣେ ଅଧିକାରୀ କହିଲେ, “ନାଗରିକ ସମାଜ ଏବଂ ଅନ୍ୟାନ୍ୟ ଅନେକ ସଂଗଠନ ପକ୍ଷରୁ ଏକ ବାର୍ତ୍ତା ଦିଆଯାଇଥିଲା ଏବଂ ସେହି ସବୁ ବାର୍ତ୍ତାକୁ ଆମେ (ଭାରତ ସରକାରଙ୍କୁ) ଜଣାଇ ଦେଇଛୁ । ଲୋକେ ଉଦ୍ବେଗ ପ୍ରକାଶ କରିଛନ୍ତି, କିନ୍ତୁ ଇଣ୍ଡୋନେସିଆ ସରକାରଙ୍କର ଦୃଢ଼ ବିଶ୍ବାସ ଯେ ଆମେ ଏହାକୁ ଅତିକ୍ରମ କରିବାରେ ସଫଳ ହେବୁ । କାରଣ ଆମେ ଉଭୟ ବହୁମତବାଦୀ ଏବଂ ଗାଣତାନ୍ତ୍ରିକ ଦେଶ ।”
ମିଳିଥିବା ଖବର ମୁତାବକ, ନାଗରିକତା ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ରେଜିଷ୍ଟର ବିରୋଧରେ ସାରା ଭାରତରେ କିଛି ସମୟ ପାଇଁ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ଦିଲ୍ଲୀରେ କେତେକ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିଲା ଏବଂ ସେ ସମୟରେ ମହମ୍ମଦ ଜୁବେର ନାମକ ଜଣେ ମୁସଲମାନ ବ୍ୟକ୍ତିଙ୍କ ଚେହେରା ସାମନାକୁ ଆସିଥିଲା, ଯାହାଙ୍କୁ ଦାଢ଼ି ରଖିଥିବା ଏବଂ ଗୋଲ୍ ଛୋଟ ଟୋପି ବା ସ୍କଲ୍ କ୍ୟାପ୍ ପିନ୍ଧିଥିବା କାରଣରୁ ଦକ୍ଷିଣପନ୍ଥୀ ଜାତୀୟତାବାଦୀ ଗୋଷ୍ଠୀର ଲୋକଙ୍କ ଦ୍ବାରା ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା ଏବଂ ଏହି ଘଟଣା ପରେ ଉଠିଥିବା ପ୍ରତିବାଦର ସ୍ବରକୁ ଶାନ୍ତ କରିବା ପାଇଁ ଇଣ୍ଡୋନେସିଆର କୂଟନୈତିକ ପଦକ୍ଷେପ ପ୍ରଭାବଶାଳୀ ଢଙ୍ଗରେ ସଂପାଦିତ ହୋଇଥିଲା, କିନ୍ତୁ ଶୁକ୍ରବାର ବେଳକୁ ଜାକର୍ତ୍ତାରେ ପ୍ରତିବାଦର ଧାରା ଧିମେଇ ଯାଇଥିବ ବୋଲି ଅନେକ ସୂତ୍ରରୁ ଆଶା ପ୍ରକାଶ ପାଇଛି । ଗତ ଶୁକ୍ରବାର ଦିନ ଭାରତୀୟ ଦୂତାବାସ ବାହାରେ 1100 ପୋଲିସ କର୍ମଚାରୀ ମୁତୟନ ଏବଂ ବ୍ୟାରିକେଡ୍ କରି ଯାନବାହନ ଯାତାୟାତକୁ ନିୟନ୍ତ୍ରଣ କରିବା ପରେ ଏହା ସମ୍ଭବ ହୋଇଛି । ଅତୀତରେ ପାଲେଷ୍ଟାଇନ୍ ପ୍ରସଙ୍ଗକୁ କେନ୍ଦ୍ର କରି ଆମେରିକା ଦୂତାବାସ ବାହାରେ ପ୍ରତିବାଦ ସମୟର ଘଟଣାକୁ ବାଦ୍ ଦେଲେ ଇଣ୍ଡୋନେସିଆରେ କୌଣସି ବିଦେଶୀ ଦୂତାବାସର ସୁରକ୍ଷା ଲାଗି ପ୍ରଥମ ଥର ପାଇଁ ଏଭଳି ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା ।
ଏହା ମଧ୍ୟ ଆଶା କରାଯାଉଛି ଯେ, ବାର୍ତ୍ତାଳାପ ଜରିଆରେ ଇଣ୍ଡୋନେସିଆରେ ବସବାସ କରୁଥିବା ସଂଖ୍ୟାଲଘୁ ଭାରତୀୟ ମୁସଲମାନଙ୍କ ମଧ୍ୟରେ ଲାଗି ରହିଥିବା ଉଦ୍ବେଗ ଦୂର କରିବା ସକାଶେ ଇଣ୍ଡୋନେସିଆରେ ସବୁଠାରୁ ଅଧିକ ପ୍ରଭାବଶାଳୀ ଇସଲାମ ସଂଗଠନ ଏମ୍ୟୁଆଇ (ଇଣ୍ଡୋନେସିଆନ୍ ଉଲେମା କାଉନ୍ସିଲ) ଭଳି କେତେକ ସଂଗଠନ ସହିତ ନୂଆଦିଲ୍ଲୀ ଆଲୋଚନା କରିବ । ଏମ୍ୟୁଆଇ ଏ ପର୍ଯ୍ୟନ୍ତ ରାଜରାସ୍ତା ଉପରେ ଭାରତ ବିରୋଧରେ ପ୍ରଦର୍ଶନ କରିନାହିଁ । ହେଲେ, ନିକଟରେ ଏମ୍ୟୁଆଇ ଦ୍ବାରା ପ୍ରଦତ୍ତ ଏକ ଶାଣିତ ବିବୃତିରେ, ଭାରତକୁ ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ପଠାଇବା ସହିତ ଅନ୍ତର୍ଜାତୀୟ ଆଇନ ଏବଂ ପ୍ରଥା ଅନୁସାରେ ସଂଖ୍ୟାଲଘୁ ସଂପ୍ରଦାୟର ସୁରକ୍ଷା ଦିଗରେ କଠୋର ପଦକ୍ଷେପ ନେବାକୁ ମିଳିତ ଜାତିସଙ୍ଘକୁ ଅନୁରୋଧ କରାଯାଇଥିଲା । ଏହି ବିବୃତିରେ ନାଗରିକତା ସଂଶୋଧନ ଆଇନକୁ ଭେଦଭାବପୂର୍ଣ୍ଣ ବୋଲି ଉଲ୍ଲେଖ କରାଯିବ ସହିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଗୃହୀତ ପ୍ରସ୍ତାବକୁ ସମ୍ମାନ ଜଣାଇ ଜାମ୍ମୁ ଓ କାଶ୍ମୀରରେ ଜନମତ ସଂଗ୍ରହ କରିବା ଲାଗି ଭାରତ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଭାରତୀୟ ମୁସଲମାନଙ୍କ ବିରୋଧରେ ଦେଖାଦେଇଥିବା ସ୍ଥିତି ଲାଗି ରହିଲେ ଭାରତରୁ ଆମଦାନି ହେଉଥିବା ସାମଗ୍ରୀକୁ ଇଣ୍ଡୋନେସିଆର ମୁସଲମାନମାନେ ବର୍ଜନ କରିବେ ବୋଲି ଏହି ବିବୃତିରେ ଧମକ ଦିଆଯିବା ସହିତ ନୂଆଦିଲ୍ଲୀ ସହିତ ସମସ୍ତ ସଂପର୍କ ଛିନ୍ନ କରିବା ଲାଗି ଇଣ୍ଡୋନେସିଆ ସରକାରଙ୍କୁ କୁହାଯାଇଥିଲା ।
ଗତ କିଛି ବର୍ଷ ହେଲା, ଇସ୍ଲାମିକ ଦେଶ ସମୂହ ସଂଗଠନ (ଓଆଇସି)ରେ କାଶ୍ମୀର ପ୍ରସଙ୍ଗରେ ଇଣ୍ଡୋନେସିଆ ଭାରତ ପ୍ରତି ‘ସମ୍ବେଦନଶୀଳ; ଏବଂ ‘ସହାନୁଭୂତିପୂର୍ଣ୍ଣ’ ମନୋଭାବ ପ୍ରଦର୍ଶନ କରିଆସିଛି । ମିଳିତ ଜାତିସଂଘରେ ଆତଙ୍କବାଦୀ ମାସୁଦ ଅଜହରକୁ ତାଲିକାଭୁକ୍ତ କରିବାକୁ ସମର୍ଥନ କରିଛି ଏବଂ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ସର୍ବପ୍ରଥମେ ନିନ୍ଦା କରିଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ରହିଛି । ଭାରତରେ ସଙ୍ଘଠିତ ଘଟଣାବଳୀ ପ୍ରତି ଜାକର୍ତ୍ତାର ଆନୁଷ୍ଠାନିକ ପ୍ରତିକ୍ରିୟାରେ ‘ସୂକ୍ଷ୍ମ ପାର୍ଥକ୍ୟ’ ଥିବା ଓ ‘ସୁଚିନ୍ତିତ’ ଶବ୍ଦ ପ୍ରୟୋଗ ଲକ୍ଷ୍ୟ କରାଯାଇଛି ବୋଲି ଅନେକ ସୂତ୍ର ଜୋର ଦେଇ କହନ୍ତି ।
ସମ୍ବେଦନଶୀଳ ଘଟଣାବଳୀ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଜାକର୍ତ୍ତାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଏ ସପ୍ତାହରେ ଉପ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବା ଆଶା ରହିଛି । ଉପ ରାଷ୍ଟ୍ରପତି ଏମ୍ୟୁଆଇର ଜଣେ ସଦସ୍ୟ ମଧ୍ୟ । 2018 ଅକ୍ଟୋବରରେ ଏକ ଅନ୍ତଃ-ଧର୍ମ ବାର୍ତ୍ତାଳାପ ଆୟୋଜନ କରିବାକୁ ଭାରତ ଓ ଇଣ୍ଡୋନେସିଆ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରତି ବର୍ଷ ଆୟୋଜିତ ହେବାକୁ ଥିବା ଏହି ପ୍ରସ୍ତାବିତ ବାର୍ତ୍ତାଳାପ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଅନେକ ସୂତ୍ର ମତ ଦିଅନ୍ତି ଯେ, ଦ୍ବିପାକ୍ଷିକ ସମ୍ବନ୍ଧରେ ଦେଖାଦେଇଥିବା ଧାର୍ମିକ ଉତ୍ତେଜନାକୁ ପ୍ରଶମିତ କରିବା ଦିଗରେ ଏ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଏହି ବାର୍ତ୍ତାଳାପ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ । କିନ୍ତୁ, ବର୍ତ୍ତମାନ ପରିସ୍ଥିତିରେ କରୋନା ଭାଇରସ୍ ପ୍ରାଦୁର୍ଭାବରେ ସାରା ବିଶ୍ବ ପୀଡ଼ିତ ହୋଇଥିବାରୁ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସବୁ ପ୍ରକାର ଦ୍ବିପାକ୍ଷିକ କାର୍ଯ୍ୟକ୍ରମ ସ୍ଥଗିତ ରହିଛି । ଏହି ସ୍ଥଗିତ ରହିଥିବା ବୈଠକ ମଧ୍ୟରେ ରହିଛି, ପୂର୍ବ ନିର୍ଦ୍ଧାରିତ ବୈଦେଶିକ ବିଭାଗର ପରାମର୍ଶ ବୈଠକ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଇଣ୍ଡୋନେସିଆର ରାଜନୈତିକ, ସୁରକ୍ଷା ଓ ମାନବାଧିକାର ସମନ୍ବୟକାରୀ ମନ୍ତ୍ରୀଙ୍କ ସ୍ତରରେ ପ୍ରସ୍ତାବିତ ସୁରକ୍ଷା ସଂପର୍କିତ ଦ୍ବିତୀୟ ଆଲୋଚନା । ବର୍ତ୍ତମାନ ପାଇଁ କେବଳ ନିଜ ନିଜର ଦୂତାବାସ ଜରିଆରେ ବାର୍ତ୍ତାଳାପ ଜାରି ରଖିବା ଉପରେ ଉଭୟ ଦୃଷ୍ଟି ଦେଉଛନ୍ତି ।
ସରକାରୀ ସୂତ୍ର ଆହୁରି କହିଛନ୍ତି ଯେ, “ଭାରତ ସହ ସଂପର୍କକୁ ମଜଭୁତ କରିବା ସକାଶେ ଇଣ୍ଡୋନେସିଆ ବିଦେଶ ନୀତିର ଲକ୍ଷ୍ୟ ଅବ୍ୟାହତ ରହିଛି ।” ଇତ୍ୟବସରରେ, ଦିଲ୍ଲୀରେ ଦଙ୍ଗା କରାଇବା ପାଇଁ ACT (ଆକ୍ସି ସେପାଟ ଟାଂଗାପ୍) ନାମକ ଇଣ୍ଡୋନେସିଆର ଏକ ବେସରକାରୀ ସଂସ୍ଥା ଅର୍ଥ ଯୋଗାଣ କରୁଥିବା ଅଭିଯୋଗକୁ ଗୁଇନ୍ଦା ସୂତ୍ରରୁ ପ୍ରାପ୍ତ ଖବର ବୋଲି ଉଲ୍ଳେଖ କରି କେତେକ ଭାରତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଇଣ୍ଡୋନେସିଆର ସୂତ୍ର ଖାରଜ କରିଛନ୍ତି । ଏହି ଅଭିଯୋଗକୁ ଅସ୍ବୀକାର କରି ACT ଏକ ଆନୁଷ୍ଠାନିକ ବିବୃତି ଜାରି କରିଥିବା ବେଳେ, କୌଣସି ସରକାରୀ ମାଧ୍ୟମ ଏହି ପ୍ରସଙ୍ଗକୁ ଉଠାଇ ନାହିଁ କିମ୍ବା ଏଥିରେ ଥିବା ଅଭିଯୋଗକୁ ସମର୍ଥନ କରିବା ଦିଗରେ କୌଣସି ପ୍ରମାଣ ଦିଆଯାଇନାହିଁ ବୋଲି ଅନେକ ସୂତ୍ର ପ୍ରକାଶ କରିଛନ୍ତି ।
ସ୍ମିତା ଶର୍ମା, ନୂଆଦିଲ୍ଲୀ