ରାଞ୍ଚି: କୋରୋନା ସଙ୍କଟ ସମୟରେ କେନ୍ଦ୍ର ସମେତ ସମସ୍ତ ରାଜ୍ୟ ସରକାର ବିଭିନ୍ନ ନିୟମ ମାଧ୍ୟମରେ ଲୋକଙ୍କୁ ଏହି ମହାମାରୀରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ସେନେଇ ଅନେକ ରାଜ୍ୟରେ କଠୋର ନିୟମ ପ୍ରଣୟନ କରାଯାଉଛି । ବର୍ତ୍ତମାନ ଏହି ସମୟ ଭିତରେ ଝାଡଖଣ୍ଡରେ ଯଦି କେହି ମାସ୍କ ନ ପିନ୍ଧିବାହାରକୁ ବାହାରେ ତେବେ 1 ଲକ୍ଷ ଟଙ୍କା ଜୋରିମାନା ଦେବା ସହ 2 ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇପାରେ।
ଝାଡଖଣ୍ଡ କ୍ୟାବିନେଟ ସଂକ୍ରାମକ ରୋଗ ଅଧ୍ୟାଦେଶ 2020 ଆଂଶିକ ଭାବେ ପାସ କରିଛି ଯେଉଁଥିରେ ଏହି ନିୟମ କାର୍ଯ୍ୟକାରୀ ହୋଇଛି । ଝାଡଖଣ୍ଡରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏହାକୁ ଦୃଷ୍ଟିରେ ରଖି ହେମନ୍ତ ସୋରେନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଏହି ନିଷ୍ପତ୍ତି ସମ୍ପର୍କରେ ଝାଡଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି ଯେ ଏହି ନିୟମ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ପାରିତ ହୋଇନାହିଁ। ଆଉ ଯଦି କେହି ଦୋଷୀ ସାବ୍ୟସ୍ତ ହୁଏ ତେବେ ଏକ ଲକ୍ଷ ଟଙ୍କା ଜୋରିମାନା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ । ହେଲେ ସ୍ପଟ ଯାଞ୍ଚରେ ଧରାପଡିଥିବା ବ୍ୟକ୍ତି ଏକ ଲକ୍ଷ ଜୋରିମାନା ଦେବେ ନାହିଁ । ଆମ ସରକାର ସମ୍ପୂର୍ଣ୍ଣ ସଚେତନତା ସହ କୋରୋନା ବିରୋଧରେ ଏହି ଅଭିଯାନ ଚଳାଉଛନ୍ତି ।
ବର୍ତ୍ତମାନ ଝାଡଖଣ୍ଡରେ ମୋଟ କୋରୋନା ମାମଲା 6485କୁ ବୃଦ୍ଧି ପାଇଛି ଯେଉଁଥିରୁ 3397 ଟି ସକ୍ରିୟ ମାମଲା ରହିଛି । ଏଥିରେ 3024 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ଏଥିରେ 64 ଜଣ ଲୋକ ପ୍ରାଣ ହରାଇଛନ୍ତି ।