ଡେରାଡୁନ: ପାହାଡି ରାଜ୍ୟ ଉତ୍ତରାଖଣ୍ଡର ପିଥୌରଗଡ ଜିଲ୍ଲାର ମୁନସ୍ୟାରୀ ତହସିଲ ଅଞ୍ଚଳରେ ପ୍ରବଳ ବରଫପାତ ଯୋଗୁଁ ଚୀନ ସୀମାକୁ ଲାଗିଥିବା ଆଇଟିବିପିର 2ଟି ପୋଷ୍ଟରେ 30 ଜଣ ଯବାନ ଫସି ରହିଛନ୍ତି। ରେଲକୋଟ ପୋଷ୍ଟରେ 11 ଯବାନ ଓ ବୁଗଡିୟାର ପୋଷ୍ଟରେ 12 ଯବାନ ଫସି ରହିଥିବାର ଖବର ମିଳିଛି। ବାରମ୍ବାର ହିମସ୍ଖଳନ ଫଳରେ ରାସ୍ତା ବନ୍ଦ ହୋଇଯିବା କାରଣରୁ ଫସି ରହିଥିବା ଯବାନ ପୋଷ୍ଟ ଖାଲି କରି ପାରୁନାହାଁନ୍ତି।
ପୋଷ୍ଟ ଖାଲି କରିବାକୁ ପଠାଯାଇଥିବା 11 ପୋର୍ଟର ମଧ୍ୟ ବରଫପାତ ଯୋଗୁଁ ଫସି ଯାଇଛି। ହେଲେ ଆଇଟିବିପି ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି। ଡିସେମ୍ବର 12 ତାରିଖରେ ଏହି ଅଞ୍ଚଳରେ 6 ଫୁଟରୁ ଅଧିକ ବରଫପାତ ହୋଇଛି। ହିମସ୍ଖଳନର ଆଶଙ୍କାକୁ ଦୃଷ୍ଟିରେ ରଖି ସେଠାରେ ଅବସ୍ଥାପିତ ଥିବା ଯବାନ ପୋଷ୍ଟରେ ହିଁ ଅଛନ୍ତି। 1990ରେ ହିମସ୍ଖଳନ ଯୋଗୁଁ ବୁଗଡିୟାର ପୋଷ୍ଟରେ 5 ଯବାନଙ୍କ ମୃତ୍ୟୁ ହୋଇଥିଲା।