ମୁମ୍ବାଇ: ବାନ୍ଦ୍ରାରେ ଶତାଧିକ ଶ୍ରମିକଙ୍କ ଉପରେ ଲାଠିଚାର୍ଜ ଘଟଣାକୁ ନେଇ ମୁହଁ ଖୋଲିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ଗୁଜବ ପ୍ରଚାର ହେତୁ ବାନ୍ଦ୍ରାଠାରେ ପ୍ରବାସୀ ଶ୍ରମିକଙ୍କ ସମାବେଶ ହୋଇଥିଲା।
କୋରୋନା ଭାଇରସ୍ ବ୍ୟାପିବାରୁ ରୋକିବା ପାଇଁ ଲକଡାଉନ ଅବଧିକୁ ଦୁଇ ସପ୍ତାହ ବୃଦ୍ଧି କରାଯାଇଥିବା ବେଳେ ଶ୍ରମିକମାନେ ଘରକୁ ଫେରିବା ଆଶାରେ ଏକାଠି ହୋଇଥିଲେ । ତେବେ ପୋଲିସ ବଳ ପ୍ରୟୋଗ କରି ଏହି ମାମଲାକୁ ଶାନ୍ତ କରିଥିଲା ।
ଏଥିସହ ଉଦ୍ଧବ ଠାକରେ କହିଛନ୍ତି ଯେ, କିଛି ଲୋକଙ୍କ ଗୁଜବ ଖବର ଶୁଣି ପ୍ରବାସୀ ଶ୍ରମିକମାନେ ଏକାଠି ହୋଇଥିଲେ । ତେଣୁ ମୁଁ ଚେତାବନୀ ଦେଉଛି ଯେ, ଲୋକଙ୍କ ଭାବନା ସହିତ ଖେଳନ୍ତୁ ନାହିଁ। ସେମାନେ ଗରିବ ଲୋକ।
ତେବେ ଲୋକଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି, ‘ଆମେ ଆପଣଙ୍କ ସହ ଅଛୁ। ଆପଣ ସୁରକ୍ଷିତ ଅଛନ୍ତି। ମୁଁ କେନ୍ଦ୍ର ସରକାରଙ୍କ ସହ କଥାବାର୍ତ୍ତା କରୁଛି। ଆମେ ଆପଣଙ୍କ ଯତ୍ନ ନେଉଛୁ ।’
ଏପଟେ ଆର୍ଥିକ ରାଜଧାନୀରେ ଖାଇବାକୁ ପର୍ଯ୍ୟାପ୍ତ ନଥିବାରୁ ପ୍ରବାସୀ ଶ୍ରମିକମାନେ ଘରକୁ ଯିବାକୁ ଚେଷ୍ଟା କରୁଥିବା କଥାକୁ ଉଦ୍ଧବ ଠାକରେ ଅସ୍ୱୀକାର କରିଛନ୍ତି।
ପ୍ରକାଶ ଥାଉକି, ଗତ ମଙ୍ଗଳବାର ମୁମ୍ବାଇର ପଟେଲ ନଗର ଅଞ୍ଚଳରେ ରହୁଥିବା ଶ୍ରମିକ ବାନ୍ଦ୍ରାରେ ଏକାଠି ହୋଇଥିଲେ । ଆଉ ନିଜ ରାଜ୍ୟକୁ ଫେରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ । ଲକ ଡାଉନ ଗାଇଡ ଲାଉନ ଉଲଙ୍ଘନ ହୋଇ ଥିବାରୁ ପୋଲିସ ସେମାନଙ୍କ ଉପରେ ଲାଠି ଚାଳନା କରିଥିଲା । ଫଳରେ ଛତ୍ରଭଙ୍ଘ ଦେଇଥିଲେ ଶ୍ରମିକ । ଏହି ଶ୍ରମିକମାନେ ମୁଖ୍ୟତ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି ।