ବେଙ୍ଗାଲୁରୁ: 7 ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାର କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସମିତିର ଅଧ୍ୟକ୍ଷ ରୂପରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏହି ସମୟରେ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଧାୟକ ତଥା ପୂର୍ବତନ ଅଧ୍ୟକ୍ଷ ଦିନେଶ ଗୁଣ୍ଡୁ ରାଓ ଶିବକୁମାରଙ୍କୁ ଦଳୀୟ ପତାକା ହସ୍ତାନ୍ତର କରି ତାଙ୍କର ସ୍ବାଗତ କରିଥିଲେ ।
ତେବେ ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ସିଦ୍ଧରମୈୟା, ମଲିକାର୍ଜୁନ ଖଡଗେ ଏବଂ ଅନ୍ୟାନ୍ୟ ବିଧାୟକ ଉପସ୍ଥିତ ଥିଲେ । ଏଆଇସିସି କର୍ଣ୍ଣାଟକ ପ୍ରଭାରି ମହାସଚିବ କେଶି ବେଣୁଗୋପାଳ ଏହି ଅବସରରେ ଦେଶର ଆର୍ଥିକ ସ୍ଥିତି ଏବଂ ସ୍ବାସ୍ଥ୍ୟ ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ ।
ସୂଚନାଯୋଗ୍ୟ ଯେ, ମାର୍ଚ୍ଚ 11 ତାରିଖରେ ହିଁ ଶିବକୁମାରଙ୍କୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସମିତିର ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଥିଲା । କିନ୍ତୁ ଲକଡାଉନ ଚାଲିଥିବା ଯୋଗୁଁ ରାଜ୍ୟ ସରକାର 3 ଥର ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ ।