ଥିରୁୱନନ୍ତପୁରମ: କେରଳରେ ସ୍ଥିତି ଗମ୍ଭୀର ରହିଛି । ଯଦିଚ ଏଠାରେ 300 ତଳେ ଆକ୍ରାନ୍ତ ରହିଛି ତଥାପି ବିଭିନ୍ନ ଜାଗାରେ ସରକାର କଟକଣା ଜାରି ରଖିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ କୋରୋନା ଆକ୍ରାନ୍ତ ବାହାରିଥିଲେ । ଏହାପରେ ସରକାରଙ୍କ ଉଚିତ ପଦକ୍ଷେପ ବଳରେ ଏହା ନିୟନ୍ତ୍ରଣରେ ରହିଛି ।
ତେବେ କେରଳ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଲାଗୁ କଟକଣା ଆଗକୁ ଜାରି ରହିବ ବୋଲି ସରକାର ସୂଚନା ଦେଇଛନ୍ତି । ବିଶେଷ କରି ଏର୍ଣ୍ଣାକୂଲମ ଜିଲ୍ଲାରେ ଏପ୍ରିଲ 24 ଯାଏଁ କୋଭିଡ 19 ଲକଡାଉନ ଲାଗୁ ରହିବ । କଟକଣା ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେରଳ ମନ୍ତ୍ରୀ ଭିଏସ ସୁନୀଲ କୁମାର କହିଛନ୍ତି । କୋଚିନ କର୍ପୋରେସନ ଓ ମୂଲ୍ଲାଭାଦୂକାଡୂ ପଞ୍ଚାୟତ କୋରୋନା ହଟସ୍ପଟ ଭାବେ ଘୋଷିତ ହୋଇଛି । ଉଭୟ ଜାଗାକୁ ବାହାର ଲୋକେ ଯାତ୍ରା କରିବା ଏବଂ ସେଠାକାର ଲୋକଙ୍କୁ ବାହାରକୁ ଆସିବା ଉପରେ ନିଷେଧାଦେଶ ଜାରି ରହିବ ବୋଲି ସେ କହିଛନ୍ତି ।
ତେବେ କଟକଣା ଉଠିବା ପରେ ଦୁଇ ଚକିଆ ଯାନର ଯାତାୟତକୁ ଅନୁମତି ରହିଛି । ଏଥିରେ କେବଳ ପରିବାର ସଦସ୍ୟ ଯାତ୍ରା କରିପାରିବେ । ସାଙ୍ଗସାଥୀ, ପ୍ରେମୀଯୁଗଳ କିମ୍ବା ଅନ୍ୟ କାହାକୁ ଏକାଠି ଯିବାଆସିବାର ଅନୁମତି ନାହିଁ । ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସମସ୍ତେ ଗାମୁଛା କିମ୍ବା ଘର ତିଆରି ମାସ୍କ ବ୍ୟବହାର କରିପାରିବେ । ଏହାସହ ଲକଡାଉନରେ ସମସ୍ତେ ଘର ଓ ଆଖପାଖ ପରିବେଶ ପରିଷ୍କାର ରଖିବାକୁ ବାଧ୍ୟ ବୋଲି ସୁନୀଲ କୁମାର କହିଛନ୍ତି ।
ସୌଜନ୍ୟ@ANI