ନୂଆଦିଲ୍ଲୀ: ଆସନ୍ତା ମାସ ଆରମ୍ଭରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନର୍ଭାଣେ ନେପାଳ ଗସ୍ତ କରିବେ। ସେଠାରେ ତାଙ୍କୁ ନେପାଳୀ ସେନାର ‘ମାନ୍ୟବର ଜେନେରାଲ’ ପଦବୀ ପ୍ରଦାନ କରାଯିବ। ତେବେ ଦୁଇ ଦେଶର ତିକ୍ତତା ମଧ୍ୟରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନର୍ଭାଣେ ନେପାଳ ଗସ୍ତ କରିବେ।
ନେପାଳ ସେନାର ମୁଖପାତ୍ର ବ୍ରିଗେଡିୟର୍ ଏସ.ବି ପୌଦୟାଲ ଏକ ବିବୃତ୍ତି ଜାରି କରି କହିଛନ୍ତି, ନେପାଳ ସରକାର ଚଳିତ ବର୍ଷ ଫେବୃଆରୀ 3ରେ ଭାରତର ସେନା ମୁଖ୍ୟଙ୍କ ନେପାଳ ଗସ୍ତକୁ ଅନୁମୋଦନ କରିଥିଲେ। କିନ୍ତୁ ଉଭୟ ଦେଶରେ ଲକଡାଉନ କାରଣରୁ ଏହି ଗସ୍ତକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ ନଭେମ୍ବର ମାସରେ ନେପାଳ ଗସ୍ତ କରିବେ । କିନ୍ତୁ ଏପର୍ଯ୍ୟନ୍ତ ତାରିଖ ସ୍ଥିର ହୋଇନାହିଁ ।
ବ୍ରିଗେଡିୟର୍ ପୌଦୟାଲଙ୍କ କହିବାନୁସାରେ, ନେପାଳ ଗସ୍ତ ସମୟରେ ରାଷ୍ଟ୍ରପତି ସ୍ମୃତି ବିଦ୍ୟା ଦେବୀ ଭଣ୍ଡାରୀ ଏକ ସମାରୋହରେ ଜେନେରାଲ ଏମ.ଏମ ନର୍ଭାଣେଙ୍କୁ ନେପାଳ ସେନାର ‘ସମ୍ମାନଜନକ-ଜେନେରାଲ’ ମାନ୍ୟତା ଦେବେ।
ପ୍ରକାଶ ଥାଉକି, ସ୍ବାଧୀନତା ପରଠାରୁ ଭାରତ ଏବଂ ନେପାଳର ସୈନ୍ୟବାହିନୀ ମଧ୍ୟରେ ଏକ ସାମରିକ ପରମ୍ପରା ରହିଆସିଛି । ତାହା ହେଉଛି ଦୁଇ ଦେଶର ସେନା ପରସ୍ପରର ସେନା ମୁଖ୍ୟଙ୍କୁ ସମ୍ମାନଜନକ-ଜେନେରାଲ୍ ପଦବୀ ଦିଆଆଏ । ଜେନେରାଲ ନର୍ଭାଣେଙ୍କୁ ଯେପରି ସମ୍ମାନଜନକ-ଜେନେରାଲ ପଦବୀ ଦିଆଯିବ ସେହିଭଳି ଭାବରେ ନେପାଳ ସେନାର ମୁଖ୍ୟଙ୍କୁ ମଧ୍ୟ ଭାରତୀୟ ସେନାର ମାନ୍ୟବର-ଜେନେରାଲ ପଦବୀ ଦିଆଯିବ।