ନୂଆଦିଲ୍ଲୀ : ପଞ୍ଜାବ ସରକାର କିମ୍ବା ଦଳର ରାଜ୍ୟ ୟୁନିଟରେ ଏକ ନୂତନ ଭୂମିକା ନେଇ ଚାଲିଥିବା କଳ୍ପନା ଜଳ୍ପନା ମଧ୍ୟରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସୋମବାର ଦିନ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି । ଏହି ସାକ୍ଷାତକାର ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ହରିଶ ରାୱତ ଏବଂ କେସି ଭେନୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ସିଦ୍ଧୁ ଗଣମାଧ୍ୟମ ଠାରୁ ଦୂରେଇ ରହିଥିବା ବେଳେ ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ରାୱତ କହିଛନ୍ତି ଯେ, ଚାଷୀଙ୍କ ଆନ୍ଦୋଳନ ଉପରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଥିଲା । ସେ କହିଛନ୍ତି, "କଂଗ୍ରେସ ନେତୃ ବର୍ଗ କୃଷକଙ୍କ ବିରୋଧର ମୂଲ୍ୟାଙ୍କନ କରିଛନ୍ତି । ଆମେ ପଞ୍ଜାବର ଅନ୍ୟ ନେତାଙ୍କୁ ମଧ୍ୟ ଡାକିଛୁ । ନବଜୋତ ସିଂ ସିଦ୍ଧୁ ଆଜି ସେଥିପାଇଁ ଏଠାକୁ ଆସିଛନ୍ତି ।" କ୍ୟାବିନେଟ କିମ୍ବା କଂଗ୍ରେସର ପଞ୍ଜାବ ୟୁନିଟରେ ପରିବର୍ତ୍ତନ ଚର୍ଚ୍ଚା ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ, ଅନ୍ୟ ପ୍ରସଙ୍ଗ ଅପେକ୍ଷା ବର୍ତ୍ତମାନ କୃଷକଙ୍କ ଆନ୍ଦୋଳନ ଅଧିକ ଗୁରୁତ୍ୱପୂର୍ଣ୍ଣ ।
ରାଜ୍ୟସଭାରେ ତାଙ୍କ ଅଭିଭାଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିନ୍ଦା କରିବାବେଳେ ରାୱତ କହିଛନ୍ତି ଯେ, କଂଗ୍ରେସର ସର୍ବଦା ବିଜେପି ସହିତ ଆଦର୍ଶଗତ ମତଭେଦ ରଖିଛି । ହେଲେ ଆଜି ଆମେ ଯାହା ଦେଖୁଛୁ ତାହା କୃଷକ ତଥା ଗଣତନ୍ତ୍ର ପ୍ରତି ଧମକ ପରି ମନେ ହେଉଛି ।
କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରି କହିଛନ୍ତି, "ତାଙ୍କ ଭାଷଣ ଅତ୍ୟନ୍ତ ନିରାଶାଜନକ । ବେରୋଜଗାର ଉପରେ କୈଣସି ଉତ୍ତର ନାହିଁ, ଚାଷୀଙ୍କ ଦୁଃଖରେ କୌଣସି ଉତ୍ତର ପ୍ରତିକ୍ରୀୟା ନାହିଁ । ସେ ବର୍ତ୍ତମାନର ରାଜନୈତିକ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ବିକୃତ କରୁଛନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ