ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ବଙ୍ଗରେ ଜଣେ ବିଜେପି କର୍ମୀଙ୍କର 85 ବର୍ଷୀୟ ମା'ଙ୍କ ମୃତ୍ୟୁକୁ ନେଇ ସ୍ମୃତି ଇରାନୀ କହିଛନ୍ତି ବଙ୍ଗରେ ଟିଏମସିର ଗୁଣ୍ଡାରାଜକୁ ଆଉ ସହ୍ୟ କରାଯିବ ନାହିଁ ।
ଟିଏମସି ଜଣେ 85 ବର୍ଷୀୟ ବୃଦ୍ଧାଙ୍କୁ ପିଟିଛି । ତାଙ୍କର ଭୁଲ ଏତିକି ଯେ ତାଙ୍କ ପୁଅ ଜଣେ ବିଜେପି କର୍ମୀ । ତାଙ୍କୁ ବର୍ବରତାର ସହିତ ପିଟାଯାଇଛି ଫଳରେ ତାଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ ନିର୍ବାଚନ ସେହି ଅସଂଖ୍ୟ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଯେଉଁମାନେ ଟିଏମସିର ଗୁଣ୍ଡାରାଜ ପାଇଁ ଦୁର୍ଷ୍କମ, ନିର୍ଯାତିତ ଓ ହତ୍ୟାର ଶିକାର ହୋଇଛନ୍ତି । ପଶ୍ଚିମବଙ୍ଗର ଲୋକ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇ କହିଛନ୍ତି ଟିଏମସିର ଗୁଣ୍ଡାରାଜକୁ ସହ୍ୟ କରାଯିବନି । ଆଉ କାହା ଉପରେ ଅନ୍ୟାୟ ହେଉଥିବା ବରଦାସ୍ତ କରାଯିବନି ବୋଲି ଗଣମାଧ୍ୟମ ଜରିଆରେ କହିଛନ୍ତି ସ୍ମୃତି ଇରାନୀ ।
ଭାରତୀୟ ଜନତା ପାର୍ଟି କର୍ମୀ ଗୋପାଲ ମଜୁମଦାରଙ୍କ 85 ବର୍ଷୀୟ ମାଆ ଶୋଭା ମଜୁମଦାରଙ୍କୁ ଗତ ମାସରେ ଟିଏମସି କର୍ମୀ ପିଟିଥିବା ନେଇ ଅଭିଯୋଗ ହୋଇଛି । ଫଳରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି । ବୃଦ୍ଧାଙ୍କ ମୃତ୍ୟୁରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିବା ସହିତ ଏହା ମମତା ବାନାର୍ଜୀଙ୍କୁ ମହଙ୍ଗା ପଡିବ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ତାଙ୍କ ପରିବାରର ଦୁଃଖ ଓ ଯନ୍ତ୍ରଣା ପାଇଁ ମମତା ଦିଦିଙ୍କୁ ଅନୁତାପ କରିବାକୁ ପଡିବ । ବଙ୍ଗ ମାଆ ଭଉଣୀଙ୍କ ସୁରକ୍ଷା ପାଇଁ ବିଜେପି ଲଢିବ ବୋଲି କହିଛନ୍ତି ଶାହା ।
ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶେଭା ମଜମୁଦାରଙ୍କ ଆତ୍ମାର ସତଗତି କାମନା କରିଛନ୍ତି । ସେ ତାଙ୍କ ଜୀବନର ବଳିଦାନ ଦେଇଛନ୍ତି । ବିଜେପି ତାଙ୍କ ବଳିଦାନକୁ ସବୁବେଳେ ମନେ ରଖିବ । ସେ ବଙ୍ଗର ଝିଅ ଓ ମାଆ । ବିଜେପି ବଙ୍ଗର ମାଆ ଓ ଭଉଣୀଙ୍କ ପାଇଁ ବିଜେପି ସବୁବେଳେ ଲଢିବ ବୋଲି ଟ୍ବିଟ କରି କହିଛନ୍ତି ଜେପି ନଡ୍ଡା ।
ଯଦି ମୋ ମାଆଙ୍କ ଉପରେ ଆକ୍ରମଣ ହୋଇ ନଥାନ୍ତା ତେବେ ମୋ ମାଆ ମୋ ସହିତ ଆଉ କିଛି ଦିନ ରହିଥାନ୍ତେ । ମୁଁ ବହୁତ ଜଲଦି ମୋ ମାଆଙ୍କୁ ହରେଇଛି । ଏବେ ମୁଁ ସମ୍ପୂର୍ଣ୍ଣ ଏକା ହୋଇଯାଇଛି ବୋଲି କହିଛନ୍ତି ବିଜେପି କର୍ମୀ ମଜୁମଦାର । ଦିନକୁ ଦିନ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଗଣମାଧ୍ୟମରେ ଶିରୋନାମା ପାଲଟୁଛି । ରାଜ୍ୟରେ ଦ୍ବିତୀୟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
@ANI