ହାଇଦ୍ରାବାଦ: ପୁଣି ଥରେ ବାରାଣାସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ । ଗତକାଲି ସେ ବାରାଣାସୀରେ ପହଞ୍ଚିଥିବା ବେଳେ ରାତିରେ ଦର୍ଶନ କରିଥିଲେ । ହେଲେ ମନ୍ଦିର ନୀତିକାନ୍ତି ପାଇଁ ଦର୍ଶନ ସମ୍ପୃର୍ଣ୍ଣ ହୋଇନଥିଲା । ଆଜି (ବୁଧବାର) ସେ ପୁଣି କାଶୀ ବିଶ୍ବନାଥ ମନ୍ଦିରରେ ଦର୍ଶନ କରିଥିଲେ । ନିକଟରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଅନନ୍ତ ଦେଶର ପ୍ରଖ୍ୟାତ ବିଭିନ୍ନ ମନ୍ଦିର ପରିଦର୍ଶନ କରିବାରେ ଲାଗିଛନ୍ତି । ସାଙ୍ଗରେ ତାଙ୍କର ଭାବି ପତ୍ନୀ ରାଧିକା ମର୍ଚାଣ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳୁଛି ।
ଗତକାଲି (ମଙ୍ଗଳବାର) ରାତିରେ ଅନନ୍ତ ଅମ୍ବାନୀ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ କରିବା ସହ ଉପାସନା କରିଥିଲେ । କିନ୍ତୁ ମନ୍ଦିରରେ ଶୟନ ଆରତୀ ବିଧି ଥିବାରୁ ସେ ମନ୍ଦିର ପରିସରରେ ଅଧିକ ସମୟ ରହିନଥିଲେ । ଏହି କାରଣରୁ ସେ ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ ନକରି ଫେରିଯାଇଥିଲେ । ଆଜି ସେ ପୁଣି କାଶୀ ବିଶ୍ବନାଥ ମନ୍ଦିରରେ ପହଞ୍ଚି ଦର୍ଶନ କରିଛନ୍ତି । ସେ ଆଜି ପୂର୍ବାହ୍ନରେ ପୁଣି ବିଶ୍ୱନାଥ ମନ୍ଦିର ଏବଂ ମାତା ଅନ୍ନପୂର୍ଣ୍ଣା ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ପକ୍ଷରୁ ତାଙ୍କୁ ଅଙ୍ଗବସ୍ତ୍ରମ ଓ ରୁଦ୍ରକଳା ବିଡି ପ୍ରଦାନ କରିଥିଲେ । ଏହା ପରେ ଅନନ୍ତ ମାତା ଅନ୍ନପୂର୍ଣ୍ଣାଙ୍କ ମନ୍ଦିର ପରିସରରେ ପହଞ୍ଚିଥିଲେ । ପରେ ଦର୍ଶନ ସାରିବା ପରେ ମନ୍ଦିର ପରିସରରେ ପ୍ରସାଦ ମଧ୍ୟ ସେବନ କରିଥିଲେ । ଅନନ୍ତଙ୍କ ଗସ୍ତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ନିକଟରେ ଅନନ୍ତ ଅମ୍ବାନୀ ପୁରୀ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଜଗନ୍ନାଥଙ୍କ ଦର୍ଶନ କରି ସେ ବେଶ ଆନନ୍ଦ ଅନୁଭବ କରୁଥିବା ମଧ୍ୟ ପ୍ରକାଶ କରିଥିଲେ । ପରେ ସେ ତିରୁପତି ବାଲାଜୀ ମନ୍ଦିର ସମେତ ଦେଶର ଅନ୍ୟ କିଛି ପ୍ରସିଦ୍ଧ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିବା ଜାରି ରଖିଛନ୍ତି । ଏହି କ୍ରମରେ ସେ ଏବେ ଉତ୍ତର ପ୍ରଦେଶର ବାରାଣାସୀର ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିରରେ ପହଞ୍ଚିଛନ୍ତି । ଏଠାରୁ ସେ ଅନ୍ୟ କିଛି ମନ୍ଦିର ପରିଦର୍ଶନରେ ଯିବା ନେଇ ମଧ୍ୟ ଅନୁମାନ କରାଯାଉଛି । ଖୁବଶୀଘ୍ର ଅନନ୍ତ ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଅନନ୍ତ ହେଉଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ