ଜୟପୁର: ଡିସେମ୍ବର 3 ତାରିଖ ପରେ ରାଜସ୍ଥାନରେ କଂଗ୍ରେସ ଆଉ ସତ୍ତାରେ ନଥିବ । କଂଗ୍ରେସ ରାଜ୍ୟକୁ ଅପରାଧ, ଦଙ୍ଗା ଓ ଅସାମାଜିକ କାର୍ଯ୍ୟକଳାପରେ ଦେଶରେ ନମ୍ବର ଓ୍ବାନ ସ୍ଥାନରେ ରଖିଛି । ଲୋକେ ଏଥର ନିଷ୍ପତ୍ତି ନେଇ ସାରିଛନ୍ତି, ଗେହେଲଟ ସରକାରକୁ ଆଉ ନିର୍ବାଚିତ କରିବେ ନାହିଁ । ଏଥର ଆଉ ଯାଦୁଗରକୁ ଭୋଟ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଜସ୍ଥାନର ଭରତପୁରରେ ଦଳ ପାଇଁ ଭୋଟ ମାଗିବା ସହ ଅଶୋକ ଗେହେଲଟଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଉପରେ ବିଭିନ୍ନ ପ୍ରସଙ୍ଗରେ ବର୍ଷିଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ଭରତପୁରରେ ଏକ ବିଶାଳ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । କଟାକ୍ଷ ଛଳରେ ,କହିଛନ୍ତି,‘‘3 ଡିସେମ୍ବର କଂଗ୍ରେସ ଛୁ ମନ୍ତର । ଆପଣମାନେ ଜାଣିଛନ୍ତି, ଗୋଟିଏ ପଟେ ଦେଶ ଏବେ ବିଶ୍ବରେ ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଅନ୍ୟପଟେ କଂଗ୍ରେସ ଶାସନରେ ରାଜସ୍ଥାନରେ ଗତ 5 ବର୍ଷ ମଧ୍ୟରେ କ’ଣ ହୋଇଛି, ତାହା ଆପଣମାନେ ଜାଣନ୍ତି । କଂଗ୍ରେସ ରାଜସ୍ଥାନକୁ ଦୁର୍ନୀତି, ଅପରାଧ ଓ ଦଙ୍ଗାରେ ଏକ ନମ୍ବର ରାଜ୍ୟ ଭାବେ ପ୍ରତିଷ୍ଠା କରିଛି । ତେଣୁ ଚଳିତ ଥର ରାଜ୍ୟବାସୀ ନିଷ୍ପତ୍ତି ନେଇ ସାରିଛନ୍ତି । ଯାଦୁଗରଙ୍କୁ କୌଣସି ଭୋଟ ମିଳିବ ନାହିଁ ।’’
‘‘କଂଗ୍ରେସର ଦୁର୍ବଳ ଶାସନ କାରଣରୁ ଆପଣମାନେ ରାମନବମୀ, ହନୁମାନ ଜୟନ୍ତୀ ଓ ଅନ୍ୟ ପର୍ବ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିପାରୁ ନାହାନ୍ତି । ପର୍ବ ପର୍ବାଣୀରେ ଦଙ୍ଗା ଓ ହିଂସା ହେଉଛି । ପଥରମାଡ ପରି ଘଟଣା ଫଳରେ କର୍ଫ୍ୟୁ ଜାରି କରିବାକୁ ପଡୁଛି । ମହିଳାମାନେ ମିଛ ଦୁଷ୍କର୍ମ ଅଭିଯୋଗ କରୁଛନ୍ତି ବୋଲି ନିଜେ ମୁଖ୍ୟମନ୍ତ୍ରୀ କହୁଛନ୍ତି । ଏପରି ସମୟରେ ସେମାନେ କ’ଣ ମହିଳାଙ୍କୁ ସୁରକ୍ଷା ଦେଇପାରିବେ । ଏହା ସତ୍ତ୍ବେ ମଧ୍ୟ ସେ କ’ଣ ମୁଖ୍ୟମନ୍ତ୍ରୀ ଆସନରେ ରହିବା ଉଚିତ କି ? ’’
ଏହା ମଧ୍ୟ ପଢନ୍ତୁ :- କଂଗ୍ରେସ ସାଂସଦଙ୍କ ଚରମପନ୍ଥୀ ବୟାନ,‘ବିନା ବିଚାରରେ ନେତାନ୍ୟାହୁଙ୍କୁ ଗୁଳି କରି ଦେବା କଥା’
ନଭେମ୍ବର 25 ତାରିଖରେ କଂଗ୍ରେସ ଶାସିତ ଏହି ପଶ୍ଚିମ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଯାଉଛି । କଂଗ୍ରେସ ଶାସନରେ ଥିବା ବେଳେ ବିରୋଧୀ ବିଜେପି ମଧ୍ୟ ଭଲ ସ୍ଥିତିରେ ରହିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ଯୁବନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଗୋଷ୍ଠୀ କନ୍ଦଳରୁ ବିଜେପି ଲାଭ ପାଇବା ନେଇ ଆଶା କରାଯାଉଥିଲା । ସଚିନ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ମାତ୍ର ସଚିନ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢୁଛନ୍ତି । ଦଳୀୟ କନ୍ଦଳକୁ ଆଢୁଆଳ କରି କଂଗ୍ରେସ ଶାସନ ବଞ୍ଚାଇବାକୁ ଚାହୁଁଥିବା ବେଳେ ବିଜେପି କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡିଛି । 25ରେ ଭୋଟିଂ ପରେ ଅନ୍ୟ 4 ରାଜ୍ୟ ସହ ଡିସେମ୍ବର 3 ତାରିଖରେ ଜନାଦେଶ ପ୍ରକାଶ ପାଇବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ