ଭୁବନେଶ୍ବର: ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ଦିଗରେ ରେକର୍ଡ । ୧୧୨ ଦିନ ମଧ୍ୟରେ ଦେଶର ୭୩୬ଟି ଜିଲ୍ଲାର ସରକାରୀ ଡାକ୍ତରଖାନା ଗୁଡ଼ିକରେ ୨୪୯୪ ପ୍ରେସର ସ୍ବିଙ୍ଗ ଆଡସୋର୍ପସନ (ପିଏସଏ) ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି । ଏହି ସବୁ ଅକ୍ସିଜେନ ପ୍ଲାଣ୍ଟରୁ ଦୈନିକ ୩,୩୨୪ ଟନ୍ ଅମ୍ଳଜାନ ଉତ୍ପାଦନ ହେଉଛି । ଏସବୁ ଅକ୍ସିଜେନ ପ୍ଲାଣ୍ଟ ମଧ୍ୟରୁ ପିଏମ କେୟାର୍ସ ପାଣ୍ଠି ଅଧୀନରେ ୧୧୮୩ଟି ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଉଥିବା କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଚିବ ଦୁର୍ଗା ଶଙ୍କର ମିଶ୍ର କହିଛନ୍ତି ।
ଦୁର୍ଗା ଶଙ୍କର ମିଶ୍ର କହିଛନ୍ତି ଯେ, ଚଳିତ ମାସ ଶେଷସୁଦ୍ଧା ପିଏମ କେୟାର୍ସ ପାଣ୍ଠି ଅଧୀନରେ ଅବଶିଷ୍ଟ ୪୧ଟି ପିଏସଏ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଏହି କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ ହେବ ବୋଲି ସେ ବିଶ୍ବାସ ରଖିଛନ୍ତି । ଲକ୍ଷ୍ୟ ଆଧାରିତ ଆଭିମୁଖ୍ୟ ନେଇ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଉଛି । ‘ସାମଗ୍ରିକ ସରକାର’ ମିଳିତ ଭାବେ କାର୍ଯ୍ୟ କରିବାର ଏହା ଏକ ଶ୍ରେଷ୍ଠ ଉଦାହରଣ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଅନ୍ୟାନ୍ୟ ସଂସ୍ଥାମାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୧୩୧୧ଟି ପିଏସଏ ପ୍ଲାଣ୍ଟ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି ।
ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠାର ସ୍ଥିତି ସଂକ୍ରାନ୍ତ ଦସ୍ତାବିଜରୁ ଜଣାପଡ଼ିଛି ଯେ, ପିଏମ କେୟାର୍ସ ପାଣ୍ଠି ଅଧୀନରେ ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୧୦୦ ପ୍ରତିଶତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି । ୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୯୦ ପ୍ରତିଶତ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଛି । ଅବଶିଷ୍ଟ ୫ଟି ରାଜ୍ୟରେ ୯୦ ପ୍ରତିଶତରୁ କମ ପ୍ଲାଣ୍ଟ କାର୍ଯ୍ୟ କରୁଛି । ସରକାର ସଙ୍କଟକୁ ସୁଯୋଗରେ ପରିଣତ କରି ପୂର୍ବରୁ ଅକ୍ସିଜେନ ସିଲିଣ୍ଡର ଉପରେ ନିର୍ଭରଶୀଳ ଡାକ୍ତରଖାନାଗୁଡ଼ିକରେ ଏହିସବୁ ପ୍ଲାଣ୍ଟ ସଂଯୋଗ କରିଛନ୍ତି ।
ବର୍ତ୍ତମାନ ଦେଶର ଅଧିକାଂଶ ଜିଲ୍ଲାରେ ଏହିସବୁ ସୁବିଧା ମାଧ୍ୟମରେ ମେଡ଼ିକାଲ ଅକ୍ସିଜେନ୍ ଆବଶ୍ୟକତା ଦୀର୍ଘକାଳୀନ ଭିତ୍ତିରେ ପୂରଣ କରାଯାଇପାରିବ । ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଲାଗି ବୈଷୟିକ ପୃଷ୍ଠଭୂମିର ପ୍ରାୟ ୭,୦୦୦ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସଚିବ କହିଛନ୍ତି ଯେ ଏସବୁ ପ୍ଲାଣ୍ଟରେ ‘ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍’ ଜ୍ଞାନକୌଶଳ ରହିଛି । ଡିସେମ୍ବର ଶେଷ ସୁଦ୍ଧା ସବୁ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ