ଆଖି ଦେଇନାହାନ୍ତି ଭଗବାନ, ଭିକ୍ଷାବୃତ୍ତି ଟଙ୍କାରେ ମନ୍ଦିର ତୋଳାଇଲେ ଭିକ୍ଷୁକ ରଘୁ - BLIND BEGGAR Construct TEMPLE

By ETV Bharat Odisha Team

Published : Aug 11, 2024, 7:38 PM IST

thumbnail
Blind Beggar Raghu Rout (ETV Bharat Odisha)

ଖୋର୍ଦ୍ଧା: ପିଲାଟି ବେଳରୁ ଦୃଷ୍ଟିହୀନ । ବାପା କି ମାଆ କାହାକୁ ଦେଖିନାହାନ୍ତି କି ଜାଣିନାହାନ୍ତି । ହେତୁ ପାଇବା ଦିନଠାରୁ ରାସ୍ତା କଡରେ ବଢିଛନ୍ତି ଏବଂ ଭିକ୍ଷାବୃତ୍ତିକୁ ଆପଣେଇ ନେଇଛନ୍ତି । ହେଲେ ସେ ଭାରି ଈଶ୍ବର ବିଶ୍ବାସୀ । ଭଗବାନଙ୍କୁ ସିନା ଦେଖି ନାହାନ୍ତି ହେଲେ ମନ୍ଦିରଟିଏ ତୋଳିବା ତାଙ୍କର ଭାରି ଇଚ୍ଛା । ଏଥିପାଇଁ ଭିକ୍ଷାବୃତ୍ତି କରି ଟଙ୍କା ସାଇତି ରଖିଥିଲେ ମନ୍ଦିର ତିଆରି ପାଇଁ । ଯିଏ ଯାହା ଦେଲା ତାକୁ ସଞ୍ଚୟ କରି ରଖିଥିଲେ ଏବଂ ନିଜର ସମସ୍ତ ସଞ୍ଚୟ ଧନକୁ ଏକ ଶନି ମନ୍ଦିର ନିର୍ମାଣ ପାଇଁ ଭିକ୍ଷା ଅର୍ଥ ଦାନ କରିଦେଇଛନ୍ତି । ତେବେ ଏଭଳି ଜଣେ ନିଆରା ଦୃଷ୍ଟିବାଧିତ ଭିକ୍ଷୁକ ହେଉଛନ୍ତି ଗଜପତି ଜିଲ୍ଲାର ରଘୁ ରାଉତ ।

ଗଜପତି ଜିଲ୍ଲାର ରଘୁ ରାଉତ । ପିଲାଟି ବେଳୁ ଖୋର୍ଦ୍ଧା ଜିଲ୍ଲା ବାଘମାରୀର ପ୍ରସିଦ୍ଧ ଏକାଦଶ ରୁଦ୍ର ବାବା ହଟକେଶ୍ବର ପୀଠ ନିକଟେର ଭିକ୍ଷାବୃତ୍ତି କରନ୍ତି । ତେବେ ମହିଳାମାନେ ଗଛ ମୂଳରେ ଶନି ଦେବଙ୍କ ପୂଜା କରୁଥିବା ଜାଣି ଏକ ଶନି ମନ୍ଦିର ନିର୍ମାଣ କରିବାର ଭାବନା ରଘୁଙ୍କ ମନରେ ଜାଗ୍ରତ ହୋଇଥିଲା । ନିଜେ ଭିକ୍ଷାବୃତ୍ତି କରି ଚଳୁଥିଲେ ମଧ୍ୟ ନିଜ ପେଟକୁ ନଖାଇ ଶନି ଠାକୁରଙ୍କ ପାଇଁ ମନ୍ଦିର ତିଆରି କରିବାର ଆଶାକୁ ଆଜି ସେ ପୂରଣ କରିଛନ୍ତି । ବାବା ହଟକେଶ୍ବର ପୀଠ ପ୍ରଭୁ ଶନିଦେବଙ୍କ ମନ୍ଦିର ତିଆରି ହୋଇଛି । ଏହି ମନ୍ଦିର ପାଇଁ ସମସ୍ତ ଟଙ୍କା ଦେଇଛନ୍ତି ରଘୁ । ଆଜି ମନ୍ଦିର ପ୍ରତିଷ୍ଠା ଥିବା ବେଳେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ଶନି, ରାହୁ, କେତୁ ୩ ଠାକୁରଙ୍କୁ ପ୍ରତିଷ୍ଠା କରି ରଘୁ ବେଶ ଆତ୍ମ ସନ୍ତୋଷ ଲାଭ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଶ୍ରାବଣ ତୃତୀୟ ସୋମବାର: ଆଖଣ୍ଡଳମଣିଙ୍କୁ ଜଳଲାଗି, 20 ହଜାରରୁ ଊର୍ଦ୍ଧ୍ଵ କାଉଡିଆଙ୍କ ସମାଗମ - Crowd At Akhandalamani Temple

ରଘୁ ନିଜର ସମସ୍ତ ସଞ୍ଚିତ ଅର୍ଥ ପାଖାପାଖି ୩ ଲକ୍ଷ ଟଙ୍କା ମନ୍ଦିର ବୋର୍ଡକୁ ଦାନ କରିଥିବା ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି । ତେବେ ଲୋକଙ୍କ ପାଖରେ କୋଟି କୋଟି ଟଙ୍କା ଥିଲେ ମଧ୍ୟ କେହି ଏପରି କାର୍ଯ୍ୟ କରିନାହାନ୍ତି ଯାହା ଆଜି ରଘୁ କରି ଦେଖାଇଛନ୍ତି । ରଘୁଙ୍କ ପରି ମଣିଷ ଯେ, ବିରଳ ଏକଥା କହିଲେ କିଛି ଭୁଲ ହେବ ନାହିଁ । ସମାଜ ପାଇଁ ରଘୁ ଏକ ଉଦାହରଣ ଏବଂ ପ୍ରେରଣା ମଧ୍ୟ । କେତେବେଳେ ରଘୁଙ୍କୁ ଏକୁଟିଆ ରାସ୍ତାରେ ଭିକ୍ଷାବୃତ୍ତି କରିବାର ଦେଖାଯାଏ ତ କେତେବେଳେ ମନ୍ଦିର ନିକଟ ରାସ୍ତାରେ ଭିକ୍ଷାବୃତ୍ତି କରୁଥିବାର ଦେଖାଯାଏ । କିନ୍ତୁ ତାଙ୍କର ଭିକ୍ଷାବୃତ୍ତି ପଛର କାରଣ ଜାଣି କେହି ବି ରଘୁଙ୍କୁ ପ୍ରଶଂସା ନକରି ରହିପାରୁନାହିଁ । ତେବେ ରଘୁଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ସରକାରଙ୍କ ତରଫରୁ ରଘୁଙ୍କୁ ଭିନ୍ନକ୍ଷମ ଭତ୍ତା ଶହ ପେନସନ ଯୋଗାଇ ଦେବାକୁ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ମନ୍ଦିରର ମୁଖ୍ୟ ପୂଜକ ।
 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.