ରାମୋଜୀ ରାଓଙ୍କ ବିୟୋଗ, ସ୍ୟାଣ୍ଡ ଆନିମେସନରେ ବାଲୁକାଶିଳ୍ପୀଙ୍କ ଶ୍ରଦ୍ଧାଞ୍ଜଳି - Tributes Paid To Ramoji Rao

By ETV Bharat Odisha Team

Published : Jun 8, 2024, 5:16 PM IST

thumbnail
ରାମୋଜୀ ରାଓଙ୍କ ବିୟୋଗ (ETV Bharat Odisha)

Tributes Paid To C Ramoji Rao: ବ୍ରହ୍ମପୁର: ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ତଥା ଅଧ୍ଯକ୍ଷ ପଦ୍ମବିଭୂଷଣ ସି. ରାମୋଜୀ ରାଓଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଅବସରରେ ଶୋକବ୍ୟକ୍ତ କରିଛନ୍ତି । ଆଜି ସକାଳ ସମୟରେ ତାଙ୍କର ପାର୍ଥିବ ଶରୀର ରାମୋଜୀ ଫିଲ୍ମ ସିଟିର ମୁଖ୍ୟାଳୟକୁ ଅଣାଯିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଦିନ ତମାମ ଶେଷ ଦର୍ଶନ କରୁଛନ୍ତି । ଏହି ଅବସରରେ ଦେଶର ମିଡ଼ିଆ ଜଗତର ମହାନାୟକ ତଥା ‘ଇଟିଭି’ ପ୍ରତିଷ୍ଠାତାଙ୍କ ବିୟୋଗରେ ବ୍ରହ୍ମପୁର ସହରର ଯୁବ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିଜର ବାଲୁକାକଳା ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସ୍ବର୍ଗତ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ଦେଶପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
 

ଓଡ଼ିଶାରେ ପ୍ରଥମଥର ପାଇଁ ଇଟିଭି ଏକ ସାଟଲାଇଟ୍ ନ୍ୟୁଜ୍ ଚ୍ୟାନେଲ ଭାବରେ ପ୍ରସାରଣ କରିବା ସହିତ ଦେଶରେ ରାମୋଜୀ ଫିଲ୍ମ ସିଟି ଏବଂ ରାମୋଜୀ ଗ୍ରୁପ ଏକ ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଥିଲା । ଆଜି ଭୋର୍ ୪ଟା ୫୦ ସମୟରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ରାମୋଜୀ ଗ୍ରୁପର ଅଧ୍ୟକ୍ଷ ଶେଷ ନିଶ୍ବାସ ତ୍ୟାଗ କରିଥିବା ଖବର ସାରା ଦେଶରେ ପ୍ରଚାରିତ ହୋଇଥିଲା । ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଦେଶରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ରାମୋଜୀ ରାଓ । ଏପରିକି 'ଇଟିଭି' ଓ 'ଇନାଡୁ' ସମ୍ବାଦପତ୍ର ମଧ୍ୟ ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ବେଳେ ଦେଶରେ ମନୋରଞ୍ଜନ ଓ ଖବର ସିଧାପ୍ରସାରଣ କ୍ଷେତ୍ରରେ ଅନେକ ଲୋକପ୍ରିୟତା ସାଉଁଟିଛି ‘ଇଟିଭି' । ସେହିପରି ଦେଶର ସର୍ବବୃହତ୍ତ ଡିଜିଟାଲ ନ୍ୟୁଜ ନେଟୱାର୍କ ‘ଇଟିଭି ଭାରତ' ମଧ୍ୟ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ମାର୍ଗଦର୍ଶନରେ ପ୍ରତିଷ୍ଠା ହୋଇଥିବା ବେଳେ ଇଂରାଜୀ ଓ ହିନ୍ଦୀ ସହିତ ଦେଶର ସମସ୍ତ ଆଞ୍ଚଳିକ ଭାଷାରେ ଡିଜିଟାଲ ଖବର ପରିବେଷଣ କରିଆସୁଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.