ଧର୍ମଗଡରେ ନୂଆ ଓ ବୃତ୍ତିପ୍ରଦାନ କାର୍ଯ୍ୟକ୍ରମ, ଯୋଗଦେଲେ 5T ଅଧ୍ୟକ୍ଷ - Magic Card
🎬 Watch Now: Feature Video
Published : Mar 3, 2024, 4:52 PM IST
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ସାମ୍ନା ପଡ଼ିଆରେ ଆଜି ନୂଆ-ଓ ଛାତ୍ର ବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସହ ନୂଆ-ଓ ଛାତ୍ରବୃତ୍ତିର ଉଦଘାଟନ କରିବା ସହ ଅନୁମୋଦନ ଆଦେଶ ବଣ୍ଟନ କରିଥିଲେ । ସ୍ନାତକ ଓ ସ୍ନାତକୋତ୍ତର ପଢୁଥିବା ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କ ପାଇଁ ୧୦ ହଜାର ଟଙ୍କା ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଇଛି । ସେହିପରି ଅନୁସୂଚିତ ଜାତି, ଜନ ତଥା ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ବାର୍ଷିକ ୧୦ ହଜାର ଓ ଝିଅଙ୍କୁ ୧୧ ହଜାର ଟଙ୍କା ଛାତ୍ର ବୃତ୍ତି ଦିଆଯାଇଛି ।
ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଏବଂ ବେସରକାରୀ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତିରାଶି ସିଧାସଳଖ ନିଜ ବ୍ୟାଙ୍କ୍ ଆକାଉଣ୍ଟ ଖାତାରେ ପ୍ରଦାନ କରାଯାଉଛି । ଏହି ଛାତ୍ରବୃତ୍ତି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ, ଯେଉଁମାନଙ୍କର ପିତାମାତା ସ୍ଥାୟୀ ସରକାରୀ କର୍ମଚାରୀ ନୁହନ୍ତି କିମ୍ବା ଯେଉଁ ଅଭିଭାବକମାନେ ଆୟକର ଦିଅନ୍ତି ନାହିଁ ।
ଏହା ମଧ୍ୟ ପଢନ୍ତୁ... ବାଲେଶ୍ବରରେ ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ଛାତ୍ରବୃତ୍ତି, ଗୁରୁମନ୍ତ୍ର ଦେଲେ ୫ଟି ଅଧ୍ୟକ୍ଷ
ଏହି ଅବସରରେ ପାଣ୍ଡିଆନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମାର୍ଚ୍ଚ ୫ ତାରିଖରେ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡର ଶୁଭାରମ୍ଭ କରାଯିବ । ମୂଳତଃ ଏହି ମ୍ୟାଜିକ୍ କାର୍ଡ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଉଦ୍ଧିଷ୍ଟ । ଏହି କାର୍ଡ ଦ୍ବାରା ୱାଇଫାଇ ଆକ୍ସେସ୍ ,ବହି କିଣିବାରେ ରିହାତି, ଯାତ୍ରାରେ ରିହାତି (ବସ୍/ଟ୍ରେନ୍), ଅନଲାଇନ୍ କ୍ଲାସରୁମର ସୁବିଧା, ଅନଲାଇନ୍ କ୍ୟାରିୟର କାଉନସେଲିଂ, ଫୋନ୍ ପାଇଁ ରିଚାର୍ଜ କରିବା ଆଦି କାର୍ଯ୍ୟ ରେ ବ୍ୟବହାୀର କରାଯାଇପାରିବ ।
ସେହିପରି ମ୍ୟାଜିକ୍ କାର୍ଡକୁ ପାଠପଢା ଓ ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଜରିଆରେ ସିଲଭର ଓ ଗୋଲ୍ଡ କାର୍ଡରେ ରୂପାନ୍ତର କରିବାକୁ ଆହ୍ବାନ ଦେଇଛନ୍ତି ପାଣ୍ଡିଆନ । ଏହି ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଜରିଆରେ କଳାହାଣ୍ଡି ଜିଲ୍ଲାରେ ୩୩ ଟି କଲେଜରୁ ୧୩,୦୭୪ ଜଣ ଛାତ୍ରଛାତ୍ରୀଙ୍କୁ ୧୨,୯୩,୫୯,୦୦୦ ଟଙ୍କା ଛାତ୍ର ବୃତ୍ତି ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରୁ ୬୯୯୩ ଜଣ ଛାତ୍ର ଏବଂ ୬୦୮୧ ଜଣ ଛାତ୍ରୀ ଅଟନ୍ତି । ମଞ୍ଚରେ ୫ଟି ଅଧ୍ୟକ୍ଷ ୧୩ ଜଣ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଥିଲେ ।
ଇଟିଭି ଭାରତ, କଳାହାଣ୍ଡି