ବ୍ରହ୍ମପୁରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା, 17ରେ ସୁନାବେଶ - Bahuda Yatra in Berhampur - BAHUDA YATRA IN BERHAMPUR
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jul 15, 2024, 10:44 PM IST
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଇଯାଇଛି ପବିତ୍ର ବାହୁଡ଼ା ଯାତ୍ରା । ଆଷାଢ଼ ମାସର ଶୁକ୍ଲ ପକ୍ଷ ଦଶମୀ ତିଥି ଅବସରରେ ପବିତ୍ର ବାହୁଡା ଯାତ୍ରା ଆଜି ଦିନ ତମାମ ବର୍ଷା ସତ୍ତ୍ବେ ସହରର ପ୍ରମୁଖ ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଥିବା ବେଳେ ସଂନ୍ଧ୍ୟା ସୁଦ୍ଧା ରଥଗୁଡିକ ମନ୍ଦିର ସମ୍ମୁଖରେ ପହଞ୍ଚିଯାଇଛି । ରତ୍ନସିଂହାସନ ଛାଡି ଜନ୍ମବେଦୀରେ ଗତ 9ଦିନ ଧରି ଲୀଳାଖେଳା ଶେଷ କରି ମାଉସୀ ମା'ଙ୍କ ଘରୁ ପୋଡପିଠା ଖାଇବା ପରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ନିଜ ମୁଖ୍ୟ ମନ୍ଦିର ଅଭିମୁଖେ ବାହୁଡିଛନ୍ତି ମହାବାହୁ ।
ଆଜି ସକାଳ ବଡି ଭୋର ସମୟରେ ଠାକୁରଙ୍କ ମଙ୍ଗଳ ଆଳତୀ କରାଯିବା ପରେ ବାଳଭୋଗ, ଅନ୍ନଭୋଗ କରାଯିବା ପରେ ଶ୍ରୀଜିଉଙ୍କୁ ସିଂହାସନରୁ ଓହ୍ଲାଯାଇ ବେଶ କରାଯିବା ସହିତ ପୂର୍ବାହ୍ନ ୧୧ଟା ସମୟରେ ପହଣ୍ଡି କରାଯାଇ ଦିନ ୧ଟା ବେଳେ ପହଣ୍ଡି ଶେଷ ପରେ ରଥ ଉପରେ ଛେରା ପହଁରା କରାଯାଇଥିଲା । ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ କରାଯିବା ପରେ ଅପରାହ୍ନ ୪ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇ ସଂନ୍ଧ୍ୟା ସୁଦ୍ଧା ତିନି ରଥ ମୁଖ୍ୟ ମନ୍ଦିରର ସମ୍ମୁଖରେ ପହଞ୍ଚିଥିଲା । ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଗୁଣ୍ଡିଚା ମନ୍ଦିର ସମେତ ଏବଂ କୋର୍ଟପେଟା, ବିଜିପୁର, ହାତିବନ୍ଧସାହି, ଖୋଡାସିଙ୍ଗି, ଆଙ୍କୁଲି, ସାନବଜାର ଭଳି ବିଭିନ୍ନ ସ୍ଥାନରେ ପାରମ୍ପାରିକ ରୀତିନୀତିରେ ବାହାଡା ଯାତ୍ରା ସମ୍ପନ୍ନ ହୋଇଥିବା ବେଳେ ସହରର ଗୋଷାଣିନୂଆଗାଁ ଏବଂ କୋର୍ଟପେଟାଠାରେ ତିନି ରଥ ମଧ୍ୟରୁ ମାଁ ସୁଭଦ୍ରାଙ୍କ ରଥଙ୍କୁ ମହିଳାମାନେ ଟାଣିଥିଲେ ।
ସେପଟେ ଆସନ୍ତାକାଲି ଦଶମୀ ସହିତ ସଂକ୍ରାନ୍ତି ତୀର୍ଥୀ ରହିଥିବା ବେଳେ 17 ତାରିଖ ଦିନ ମହାପ୍ରଭୁଙ୍କୁ ବଡ ଏକାଦଶୀ ସହିତ ସୁନାବେଶ କରାଯିବ ବୋଲି କୁହାଯାଇଛି । ସେପଟେ ବାହୁଡା ଯାତ୍ରାକୁ ସୂଚାର ରୂପେ ପରିଚାଳନା କରିବା ପାଇଁ ମନ୍ଦିର କମିଟି, ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଇଟିଭି ଭାରତ, ବ୍ରହ୍ମପୁର