ରଜ ସଂକ୍ରାନ୍ତି 2024: ମା' ବରୁଣେଇ ପୀଠରେ ଜମୁଛି ରଜ ମଉଜ - Raja Sankranti 2024 - RAJA SANKRANTI 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 15, 2024, 7:01 PM IST

Raja Sankranti 2024: ଖୋର୍ଦ୍ଧା: ରଜ ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବରୁଣେଇ ଉତ୍ସବ ମୁଖର ହୋଇ ଉଠିଛି । ରଜ ଉତ୍ସବ ପାଇଁ ଏଠାରେ ପ୍ରବଳ ଜନସମାଗମ ହୋଇଛି । ମା' ବରୁଣେଇ ଓ କରୁଣେଇଙ୍କ ଦର୍ଶନ ସହ ରଜ ଉତ୍ସବକୁ ସମସ୍ତେ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି । ଏହି ପୀଠରେ ଦୀର୍ଘ ବର୍ଷ ଧରି ରଜମେଳା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହି ମେଳାରେ ବିଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ, ନିତ୍ୟ ବ୍ୟବହାର ସାମଗ୍ରୀ, ପିଲାମାନଙ୍କର ମନୋରଞ୍ଜନ ଲାଗି ବିଭିନ୍ନ ପ୍ରକାରର ଦୋଳି ଲାଗିଛି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ତିନିଦିନ ବ୍ୟାପି ବରୁଣେଇ ରଜ ମହୋତ୍ସବ ଅନୁଷ୍ଠିତ ହେବ । 

ବରୁଣେଇ ପୀଠକୁ ସ୍ଥାନୀୟ ଲୋକ ଓ ଦୂର ଦୁରାନ୍ତରୁ ପର୍ଯ୍ୟଟକମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ ସହ ରଜ ଦୋଳି, ରଜ ପାନ, ବିଭିନ୍ନ ପ୍ରକାର ପିଠାପଣାର ମଜା ନେଇଥାନ୍ତି । ଖୋର୍ଦ୍ଧା ରାଜାଙ୍କର ଆରାଧ୍ୟ ଠାକୁରାଣୀ ମା' ବରୁଣେଇ ଓ କରୁଣେଇ । ଏହି ପୀଠର ସୌନ୍ଦର୍ଯ୍ୟମୟ ପରିବେଶ ଏବଂ ଆଧ୍ୟାତ୍ମିକ ବାତାବରଣ ଶ୍ରଦ୍ଧାଳୁଙ୍କୁ ଏଠାକୁ ଟାଣିଆଣେ । ପର୍ବତର ଆଭ୍ୟନ୍ତରଣରୁ ଝରଣା ଦେବୀଙ୍କ ନାଭିସ୍ଥଳ ଦେଇ ପାଦ ତଳକୁ ବୋହି ଯାଇଛି । ଏହି ଝରଣାକୁ ସ୍ପର୍ଶ ଗଙ୍ଗା ମଧ୍ୟ କୁହାଯାଏ । ଠାକୁରାଣୀ ପୂଜା ପାଉଥ‌ିବା ସିଂହାସନ ତଳେ ଥିବା ଏକ କୁଣ୍ଡ ଦେଇ ଏହି ଝରଣା ଜଳ ପ୍ରବାହିତ ହୋଇଥାଏ । ଏହି କୁଣ୍ଡର ଜଳକୁ ଭକ୍ତମାନେ ପାଦୁକ ଭାବେ ପାଇଥାନ୍ତି । ବହୁ ଦୂରାରୋଗ ବ୍ୟାଧକୁ ଆରୋଗ୍ୟ କରିବାର ଶକ୍ତି ଏହି କୁଣ୍ଡ ଜଳରେ ରହିଛି ବୋଲି ବିଶ୍ଵାସ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆସିଛି ରଜ: ଶିଶୁଗୃହ ଓ ଜରାଶ୍ରମରେ ରଜ ପାଳିଲେ ଅନ୍ତେବାସୀ - Raja celebration in orphanages

ପଣସ ପତ୍ର ଠୋଲାରେ ଅରୁଆ ଚାଉଳରେ ପ୍ରସ୍ତୁତ ଖୁରି, ନଡିଆ ଗୁଡରେ ତିଆରି ପୁର ଦିଆ ଏଣ୍ଡୁରି ପିଠା ଏଠାରେ ଭୋଗ ହୋଇଥାଏ । ଏହି ପୀଠରେ ବର୍ଷର ବିଭିନ୍ନ ସମୟରେ ବହୁ ପର୍ବ ପାଳନ ହେଉଥିଲେ ମଧ୍ଯ ରଜ ପର୍ବ ଏଠାରେ ନିଆରା ଢଙ୍ଗରେ ପାଳିତ ହେଉଛି । ଆଜି ରଜ ସଂକ୍ରାନ୍ତିରେ ରୀତିନୀତି ଅନୁଯାୟୀ ଠାକୁରାଣୀଙ୍କ ସ୍ନାନ ପରେ ନୂତନ ବସ୍ତ୍ର ପରିଧାନ କରି ଭକ୍ତଙ୍କୁ ଦୁଗ୍ଧ ବେଶରେ ଦର୍ଶନ ଦେଉଛନ୍ତି, ସେହିପରି ମଧ୍ୟାହ୍ନରେ ଚନ୍ଦନଲାଗି ବେଶ କରାଯାଇଛି । ଏହି ବେଶରେ ଠାକୁରାଣୀମାନେ ରଜ ତିନି ଦିନ ଧରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି । ଏହି ବେଶ ଦର୍ଶନ ଲାଗି ପ୍ରବଳ ଜନସମାଗମ ହେଉଥିବା ଦେଖିବାକୁ ମିଳିଛି ।



ଇଟିଭି ଭାରତ, ଖୋର୍ଦ୍ଧା 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.