ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ତିନି ରଥରେ ଉଠିଲା ଦୁଆର ବେଢ଼ା - Puri Ratha construction work

By ETV Bharat Odisha Team

Published : Jul 2, 2024, 11:59 AM IST

thumbnail
ratha khala halchal (ETV Bharat Odisha)

Puri Ratha construction work underway  ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ । ଗତକାଲି ସିଂହାସନ ବେଦୀ ଉପର ପ୍ରଥମ ଭୂଇଁ ମଧ୍ୟଭାଗରେ କନକ ମୁଣ୍ଡି ବସିବା ସହ, ତିନି ରଥର ବିଜେ ଚକା ନିର୍ମାଣ ଏବଂ ଜିନିସାଟ ବୁହାବୋହି ପାଇଁ ତିନି ରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ଶାଙ୍ଗି ନିର୍ମାଣ ଶେଷ ହୋଇଥିଲା । ରୂପକାର ସେବକମାନେ ଅନୁକୂଳ ପୂଜା କରି ତିନି ରଥ ପ୍ରଭାରେ ରୂପ ଖୋଦେଇ ଚିତ୍ର ଅଙ୍କନ କରିବା ସହ ସହଯୋଗୀ ରୂପକାର ସେବକମାନେ ମିଶି ପ୍ରଭାରେ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକମାନେ ମିଶି ତିନି ରଥର ଚାରୋଟି ଲେଖାଏଁ ଦୁଆର ବେଢ଼ାକୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ ସହ ସଂଯୋଗ କରିବାକୁ ରଥରେ ଦଉଡ଼ି ଦ୍ଵାରା ବାନ୍ଧେଣୀ କରିଛନ୍ତି ।
 

ଏହାମଧ୍ୟ ପଢନ୍ତୁ.. ରଥଯାତ୍ରାରେ ଆସିବେ ରାଷ୍ଟ୍ରପତି ପ୍ରସ୍ତୁତ ପୁରୀ ପୋଲିସ ପ୍ରଶାସନ: ଏସପି - Security System for Ratha Yatra

ମହାରଣା ସେବକମାନେ ତିନି ରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ଆଠ ଆଁସି ଘୋଡ଼ା ଇସ ନିର୍ମାଣ ସହ ସେଥିରେ ଦୁଇଟି ଲେଖାଏଁ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି । ତିନି ରଥର ପ୍ରଭା ଖଞ୍ଜିବା ପାଇଁ ବେଦୀ ପଛ ଭାଗ ଚଉଦ ନାହାକାରେ ଦୁଇଟି ଲେଖାଏଁ ଧୂଳି ଦଣ୍ଡା ଖଞ୍ଜିଛନ୍ତି । ଚିତ୍ରକାର ସେବକମାନେ ତିନି ରଥକୁ ଦୁଆର ବେଢ଼ା ଉଠିବା ପାଇଁ ୨୪ଟି ନାଟ ଗୋଡର ଖୋଦେଇ ରୂପରେ ରଙ୍ଗ ଚିତ୍ର ଶେଷ କରି ଯୋଗାଇବା ସହ ତିନି ରଥ କଳସରେ ପଦ୍ମ ପାଖୁଡ଼ା ରଙ୍ଗ ଚିତ୍ର ଶେଷ କରିଛନ୍ତି । ଏଥିସହ ତିନି ରଥର ଘୋଡ଼ା, ସାରଥି, ରଥର ବାହ୍ୟ ଅଂଶ ସହ ହଂସ ପଟା, ପାର୍ଶ୍ଵ ଦେବ ଦେବୀ ଇତ୍ୟାଦିର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି ।


ଦରଜୀ ସେବକମାନେ ତିନି ରଥର ଘେର କନା ପ୍ରସ୍ତୁତ ଶେଷ କରି ପୋଟଳ କନା କାଟିବା ଶେଷ କରି ସେଥିରେ ଚିକ୍କଣ ଜରୀ ଲେସ ଖଞ୍ଜା ଜାରୀ ରଖିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଦୁଆର ବେଢ଼ା ପାଇଁ ଧ୍ଵଜ ବତା କଣ୍ଟା, ଘୋଡ଼ା ସାରଥିଙ୍କ ପାଇଁ ବାଗୁଆ କଣ୍ଟା ଶେଷ କରିବାସହ, ପୋଟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି  ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.