ପାରାଦ୍ବୀପ: ଜିଲ୍ଲାର ପାରାଦ୍ୱୀପ ଅଞ୍ଚଳରେ ପ୍ରସ୍ତାବିତ ପେଟ୍ରୋ କେମିକାଲ ପ୍ରକଳ୍ପ ବିରୋଧରେ ଗ୍ରାମମେଳି । ଶହ ଶହ ଗ୍ରାମବାସୀ ଓ କୃଷକ ଏକତା ମଞ୍ଚ ପକ୍ଷରୁ କମ୍ପାନୀର ମାଟି ପରୀକ୍ଷଣକୁ ବିରୋଧ କରାଯାଇଛି । ଯେପର୍ଯ୍ୟନ୍ତ ଜମି ହରାଇଥିବା ଚାଷୀମାନଙ୍କୁ କ୍ଷତିପୂରଣ ନ ମିଳିଛି ସେ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ କରାଇ ଦିଆଯିବ ନାହିଁ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।
ପେଟ୍ରୋ କେମିକାଲ ପ୍ରକଳ୍ପ ବିରୋଧରେ ଗ୍ରାମମେଳି:
ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ନିକଟସ୍ଥ କୁଜଙ୍ଗ ତହସିଲ ଅନ୍ତର୍ଗତ ଫତେପୁର ଅଂଚଳରେ ପ୍ରସ୍ତାବିତ ପେଟ୍ରୋ କେମିକାଲ ପ୍ରକଳ୍ପର ମାଟି ପରୀକ୍ଷଣକୁ ବିରୋଧ କରାଯାଇଛି । ଏହାକୁ ନେଇ ଶହଶହ ଗ୍ରାମବାସୀ ଓ କୃଷକ ଏକତା ମଞ୍ଚ ପକ୍ଷରୁ ଶନିବାର ଗ୍ରାମମେଳି କରାଯାଇଥିଲା । ସେମାନେ ଶିଳ୍ପର ବିରୋଧୀ ନୁହଁନ୍ତି କିନ୍ତୁ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ନ ଦେଇ ଜୋର ଜବରଦସ୍ତ ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
'ପ୍ରଥମେ କ୍ଷତିପୂରଣ ତାପରେ ପ୍ରକଳ୍ପ କାର୍ଯ୍ୟ':
କୃଷକ ଏକତା ମଞ୍ଚର ସଭାପତି ସଂଗ୍ରାମ କେଶରୀ ରାଉତରାୟ କହିଛନ୍ତି,"ଜଗତସିଂହପୁର ସାଂସଦ ଓ ଜିଲ୍ଲାପାଳ ଆମ ସହିତ ଆଲୋଚନା କରିଥିଲେ । ଆମେ ସେମାନଙ୍କ ନିକଟରେ IOCLର ପେଟ୍ରୋ କେମିକାଲ ପ୍ରକଳ୍ପ ପାଇଁ ଚାଷ ଜମି ହରାଉଥିବା ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ନିବେଦନ କରିଥିଲୁ । କିନ୍ତୁ ଚାଷୀମାନଙ୍କ କ୍ଷତିପୂରଣ ବାବଦରେ କୌଣସି ଆଲୋଚନା କରାନଯାଇ କମ୍ପାନୀ ପକ୍ଷରୁ ଯେଉଁ ମୃତ୍ତିକା ପରୀକ୍ଷଣ କରାଯାଉଛି ତାହାକୁ ଆମେ ବିରୋଧ କରୁଛୁ ।"
'ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର'
ସେହିପରି ଫତେପୁର ସରପଞ୍ଚ ସିଦ୍ଧାର୍ଥ ପ୍ରସାଦ ପ୍ରଧାନ କହିଛନ୍ତି,"2002 ମସିହାରେ ପାରାଦ୍ୱୀପରେ ଯେତେବେଳେ IOCL ପ୍ରକଳ୍ପ ଆରମ୍ଭ ହେଲା ସେ ସମୟରେ ଫତେପୁର, ପ୍ରତାପପୁର ଓ ଗଣ୍ଡକିପୁର ଆଦି ଗ୍ରାମର ଅଧିକାଂଶ ଚାଷୀ ସେମାନଙ୍କ ପୈତୃକ ଭିଟାମାଟି କମ୍ପାନୀକୁ ଦେଇଥିଲେ । ଅବଶିଷ୍ଟ ଯାହା ଅଛି ତାହାକୁ ଏବେ କମ୍ପାନୀ ନେବାକୁ ଚାହୁଁଛି । ଆଇଓସିଏଲର ପେଟ୍ରୋ କେମିକାଲ (ନାପଥାକ୍ରାକର) ପ୍ରୋଜେକ୍ଟ ପାଇଁ ମୋଟ ତିନି ହଜାର ଏକର ଜମି ଆବଶ୍ୟକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ପାଇଁ 735 ଏକର ଜମି ଅଧିଗ୍ରହଣ ହୋଇ ସାରିଛି । ଆବଶ୍ୟକ ଅବଶିଷ୍ଟ ଜମିକୁ ଚାଷୀମାନେ ଦେବାକୁ ରାଜି ଅଛନ୍ତି । କିନ୍ତୁ ବର୍ଦ୍ଧିତ କ୍ଷତିପୂରଣ ପ୍ରଦାନ କରି କମ୍ପାନୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରୁ । ଆମେ ଶିଳ୍ପର ବିକାଶରେ ବାଧକ ହେବାକୁ ଚାହୁଁ ନାହୁଁ । ଏହି ଅଞ୍ଚଳରେ ଶିଳ୍ପ ହେଲେ ଏହି ଅଞ୍ଚଳରେ ବିକାଶ ହେବ । କିନ୍ତୁ ଉପଯୁକ୍ତ କ୍ଷତିପୂରଣ ଅର୍ଥ ପ୍ରଦାନ ନ କରାଯାଇ ଯେଉଁଭଳି ଭାବେ ମାଟି ପରୀକ୍ଷଣ ପାଇଁ କମ୍ପାନୀ ଉଦ୍ୟମ କରୁଛି ଏହାକୁ ଜୋରଦାର ବିରୋଧ କରାଯିବ ।"
ଅନ୍ୟପଟେ ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଥିଲେ ।
ଇଟିଭି ଭାରତ, ଜଗତସିଂହପୁର