ମୁମ୍ବାଇ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ...। ଆଉ ଏହି ଉକ୍ତି ପ୍ରତିପାଦିତ ହେଲା ଭଳି ଅନେକ ଘଟଣା ପୂର୍ବରୁ ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ଥାନେରୁ ଏପରି କିଛି ଘଟଣା ସାମନାକୁ ଆସିଛି ଯାହା ଆପଣଙ୍କ ଆଶ୍ଚର୍ଯ୍ୟ କରିଦେବ । 13 ମହଲାରୁ ତଳକୁ ଖସିପଡିଛି ଛୋଟ ଝିଅଟି । ହେଲେ ଏତେ ଉଚ୍ଚରୁ ପଡିବା ପରେ ବି ସେ ରକ୍ଷା ପାଇଯାଇଛି । ପିଲାଟିର ଜୀବନ ବଞ୍ଚିଯାିଥିବାବେଳେ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଭାବେଶ:
ଏହି ଘଟଣା ସମୟର ଭିଡିଓ ସାମନାକୁ ଆସିବା ପରେ ଦେବଦୂତ ଭଳି ଆସି ଝିଅଟିକୁ ରକ୍ଷା କରିଥିବା ବ୍ୟକ୍ତିଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ସେ ହିଁ ପ୍ରକୃତ ହିରୋ ବୋଲି ସମ୍ବୋଧନ କରିଛନ୍ତି ଲୋକେ । ଗତ ସପ୍ତାହରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଥାନେ ସ୍ଥିତ ଦେବୀଚାପଡା ଅଞ୍ଚଳରେ ଏଭଳି ଅଘଟଣ ଘଟିଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଭାବେଶ ମହାତ୍ରେ ନାମକ ଜଣେ ବ୍ୟକ୍ତି ଝିଅଟି ଖସିପଡୁଥିବା ସମୟରେ ତାକୁ ଉଦ୍ଧାର କରିବାକୁ ଦୌଡି ଯାଇଥିଲେ । ଯଦିଓ ସେ ଝିଅଟିକୁ ସମ୍ପୂର୍ଣ୍ଣ ଭାବେ ଧରିପକାଇବାରେ ସଫଳ ହୋଇନଥିଲେ ତଥାପି ତାଙ୍କର ପ୍ରୟାସ ଯୋଗୁ ପିଲାଟି ସିଧା ତଳେ ପଡି ପାରିନଥିଲା । ଏଣୁ ବିଶେଷ ଆଘାତ ଲାଗିନଥିବା ତା'ର ଜୀବନ ବଞ୍ଚିଯାଇଛି ।
ମାନବିକତା ଓ ସାହସିକତାରୁ ବଡ଼ ଧର୍ମ ନାହିଁ: ଭାବେଶ
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, "13 ମହଲାର ବାଲକୋନୀରୁ ପିଲାଟି ହଠାତ୍ ଖସି ପଡିଥିଲା । କିଛି ସମୟ ଧରି ସେ ବାଲକୋନିରେ ଝୁଲି ରହିଥିଲା । ଏହା ଦେଖିବା ପରେ ଭାବେଶ ତା' ଜୀବନ ବଞ୍ଚାଇବାକୁ ଆଗେଇ ଆସିଥିଲେ ।" ଏନେଇ ପ୍ରତିକ୍ରିୟା ରଖି ଭାବେଶ କହିଛନ୍ତି, "ସାହସିକତା ଓ ମାନବିକତାରୁ ବଡ଼ ଧର୍ମ କିଛି ନାହିଁ ।" ସେପଟେ ଏହି ଘଟଣା ପରେ ମହାନଗର ନିଗମର ଜଣେ ଅଧିକାରୀ ପ୍ରତିକ୍ରିୟା ରଖି ଭାବେଶଙ୍କୁ ତାଙ୍କର ମହାନତା ପାଇଁ ଖୁବଶୀଘ୍ର ସମ୍ମାନିତ କରାଯିବ ବୋଲି କହିଛନ୍ତି ।
ଏହା ବି ପଢନ୍ତୁ...ମହିଳାଙ୍କ ସାହସକୁ ସଲାମ ! ସ୍ବାମୀ ଜୀବନ ପାଇଁ ବାଘ ସହ ଲଢ଼ିଲେ ଏହା ବି ପଢନ୍ତୁ...ଯାଜପୁର ସୁନା ଲୁଟ୍ ଓ ଗୁଳିକାଣ୍ଡ ଘଟଣା, ୨ ମୃତକଙ୍କୁ ସାହାସିକତା ପୁରସ୍କାର ଦାବି ଏହା ବି ପଢନ୍ତୁ...ଘରେ ପଶିଥିଲା ଚିତାବାଘ, କୁନିପୁଅର ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଗଲା ଜୀବନ |