3 କିମି ଖଟିଆରେ ବୁହା ହେଲେ ଗର୍ଭବତୀ, ବାଟରେ ପ୍ରସବ ପରେ ନବଜାତ ମୃତ - Pregnant Lady Carried On Cot

By ETV Bharat Odisha Team

Published : Aug 2, 2024, 9:54 PM IST

thumbnail
Road Problem (ETV Bharat Odisha)

ରାଇରଙ୍ଗପୁର: ପୁଣି ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର। ୩ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ । ଆଉ ଦୁନିଆ ଦେଖିବା ଆଗରୁ ଆଖି ବୁଜିଲା ଶିଶୁପୁତ୍ର । ଭଲ ରାସ୍ତା ଖଣ୍ଡିଏ ନ ଥିବାରୁ ଗାଁକୁ ଯାଇ ପାରୁନି ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ପରିବାର ଓ ସମ୍ପର୍କୀୟମାନେ ରୋଗୀ ତଥା ଗର୍ଭବତୀମାନଙ୍କୁ ଖଟିଆରେ ବୋହି 2 ରୁ 3 କିଲୋମିଟର ଦୂର ଆମ୍ବୁଲାନ୍ସ ନିକଟକୁ ଆଣୁଛନ୍ତି । 

କ'ଣ ଥିଲା ପୂରା ଘଟଣା?

ସୂଚନା ଅନୁସାରେ, ବିଶୋଇ ବ୍ଲକ ଖଡମବେଡା ପଞ୍ଚାୟତ ଅଧୀନ ହାତୀଛାଡବୁରୁଡି ଗ୍ରାମର ଦୁର୍ଗା ହେମ୍ବ୍ରମଙ୍କ ପତ୍ନୀଙ୍କୁ ପ୍ରସବ ବେଦନା ହୋଇଥିଲା। ଫଳରେ ପରିବାରଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ରାସ୍ତା ଖରାପ ଥିବା ଯୋଗୁଁ ଘର ପାଖକୁ ଆମ୍ବୁଲାନ୍ସ ଆସିପାରିନଥିଲା । ତେଣୁ ଦୁର୍ଗାଙ୍କ ପତ୍ନୀଙ୍କୁ ଖଟିଆରେ ୩ କିଲୋମିଟର ବୋହି ଆମ୍ବୁଲାନ୍ସ ପାଖକୁ ଆଣିଲେ ଗ୍ରାମବାସୀ। ସେଠାରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ହିଁ ଏକ ଶିଶୁପୁତ୍ରକୁ ସେ ଜନ୍ମ ଦେଇଥିଲେ । 

ଏହା ବି ପଢନ୍ତୁ...ବିକାଶକୁ ଉପହାସ: ଗାଁକୁ ନାହିଁ ପକ୍କା ରାସ୍ତା, ଖଟିଆରେ ବୁହା ହେଲେ ଗର୍ଭବତୀ ଓ ରୋଗୀ - PREGNANT LADY CARRIED ON COT

ନବଜାତ ମୃତ:

ପରେ ଉଭୟ ମା' ଓ ଶିଶୁଙ୍କୁ ବିଶୋଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଶିଶୁଟିର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର। ଶିଶୁଟିର ମୃତ୍ୟୁ ହୋଇଥିବା ଶୁଣିବା ପରେ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତୁରନ୍ତ ରାସ୍ତା ମରାମତି ପାଇଁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.