ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ; ବାଇଶି ପାହାଚରେ ବସିଲେ, ପରିକ୍ରମା ମାର୍ଗ ବୁଲିଲେ - CM MOHAN MAJHI VISITS PURI TEMPLE

By ETV Bharat Odisha Team

Published : Jun 13, 2024, 2:56 PM IST

thumbnail
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ; ବାଇଶି ପାହାଚରେ ବସିଲେ, ପରିକ୍ରମା ମାର୍ଗ ବୁଲିଲେ (ETV Bharat Odisha)

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ବାଇଶି ପାହାଚରେ ବସିଲେ ଓ ପରିକ୍ରମା ମାର୍ଗ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ସମୟରେ ଆଗାମୀ ଦିନରେ କିଭଳି ସବୁକିଛି ସୁଚାରୁରୂପେ କାର୍ଯ୍ୟ ହୋଇପାରିବ ସେନେଇ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପୁରା ଟିମ ତଥା ମନ୍ତ୍ରିମଣ୍ଡଳ ସଦସ୍ୟମାନେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ଭକ୍ତ ଭଳି ବାଇଶି ପାହାଚରେ କିଛି ସମୟ ବସିଥିଲେ । ପରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବୁଲି ଦେଖିଥିଲେ  । 

ଏଥିସହ ଶ୍ରୀମନ୍ଦିରର ୪ଦ୍ୱାର ମଧ୍ୟ ଖୋଲିଥିଲେ । ଭକ୍ତମାନେ କିଭଳି ସୁରୁଖୁରୁରେ ଶ୍ରୀମନ୍ଦିର ଚାରିଦ୍ୱାରରେ ପ୍ରବେଶ, ପ୍ରସ୍ଥାନ କରିବେ ଓ ଭକ୍ତଙ୍କ ପାଇଁ ପାନୀୟ ଜଳ, ଜୋତା ଷ୍ଟାଣ୍ଡ, ଛାଇ ପାଇଁ ସେଡ ବ୍ୟବସ୍ଥା କରିବାକୁ ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଶ୍ରୀମନ୍ଦିର ଚାରି ଦ୍ଵାରରେ ପ୍ରବେଶ କଟକଣା ହଟିବା ପରେ ସବୁ ଭକ୍ତ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି । 

ଏହା ମଧ୍ୟ ପଢନ୍ତୁ: ଭକ୍ତ-ଭଗବାନ ମଧ୍ୟରେ କମିଲା ଦୂରତା: ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ବାର, ନୂଆ ସରକାରର ନିଷ୍ପତ୍ତିକୁ ନେଇ କ’ଣ କହୁଛନ୍ତି ଶ୍ରଦ୍ଧାଳୁ

ତେବେ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ ପୂର୍ବରୁ ଗଣମାଧ୍ୟମ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଶ୍ରୀମନ୍ଦିର ସବୁ ଦ୍ୱାର ଖୋଲିବା ଦ୍ଵାରା ଭକ୍ତ ଆଉ ଅସୁବିଧା ଭୋଗିବେନି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ସମାପ୍ତ ହୋଇଛି । ଶ୍ରୀମନ୍ଦିର ଉନ୍ନତି ପାଇଁ ରାଜ୍ୟ ସରକାର 5ଶହ କୋଟି ଟଙ୍କାର ସ୍ଵତନ୍ତ୍ର କର୍ପସ ଫଣ୍ଡ କରିଛନ୍ତି । ସେହିପରି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାହେବ । ନୂତନ ସରକାର କାର୍ଯ୍ୟଭାର ଗ୍ରହଣ କରିଥିବା ବେଳେ ଖୁବଶୀଘ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହେବ । ଓଡ଼ିଶାବାସୀ ଧୈର୍ଯ୍ୟ ଧରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.