ଜିଲ୍ଲାରେ ବୃଦ୍ଧି ପାଉଛି ସାଇବର କ୍ରାଇମ, ଅନେକ ଅଞ୍ଚଳରେ ମୋବାଇଲ ସେବା ବିପର୍ଯ୍ୟସ୍ତ - Cyber Awareness Program
🎬 Watch Now: Feature Video
Cyber Awareness Program: ବୌଦ୍ଧ: ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଅପହଞ୍ଚ ମୋବାଇଲ ଓ ଇଣ୍ଟରନେଟ ସେବା । ଫଳରେ ଆଜି ମଧ୍ୟ ଅନେକ ଅଞ୍ଚଳର ସ୍ଥାନୀୟ ଅଧିବାସୀ ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛନ୍ତି । ଏହାଛଡା ଜିଲ୍ଲାରେ ବିଗତ କିଛି ବର୍ଷ ହେଲା ସାଇବର କ୍ରାଇମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇବା ସହ ଏନେଇ ବ୍ୟାପକ ଜନସଚେତନତାର ଉପରେ ଗୁରୁତ୍ୱାରୋପ କରାଯାଇଛି ।
ବୌଦ୍ଧ ଜିଲ୍ଲାର କୁଜଙ୍ଗ, ମହାଲିକପଡା, ତଳଗାଁ, ଆଢେଣୀଗଡ, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ ଭଳି ଅନେକ ଉପାନ୍ତ ପଞ୍ଚାୟତର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି । ଅନେକ ସ୍ଥାନରେ ଇଣ୍ଟରନେଟ ଓ ମୋବାଇଲ ସେବା ଠିକରେ କାର୍ଯ୍ୟକାରୀ ହେଉନଥିବା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜରୁରୀ କଲ୍ କରିବାକୁ ହେଲେ କେଉଁଠି ଗଛ ଉପରେ ଚଢ଼ି ତ ପୁଣି କେତେବେଳେ 10ରୁ 15 କିଲୋମିଟର ବଣ ଜଙ୍ଗଲ ଅତିକ୍ରମ କରି ନେଟୱର୍କ ଏରିଆକୁ ଉପଭୋକ୍ତାଙ୍କୁ ଆସିବାକୁ ପଡୁଛି । ଏଭଳି ସ୍ଥିତିରେ ଦୁର୍ଗମ ଅଞ୍ଚଳରେ ଅନେକ ସମୟରେ ଆଦିବାସୀମାନଙ୍କୁ ସାଇବର ଠକେଇର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି ।
ଏହାମଧ୍ୟ ପଢନ୍ତୁ.. ଅଲୋଡା ସନ୍ଥକବି ଭୀମଭୋଇଙ୍କ ମନ୍ଦିର, ଖୋଜୁଛି ବିକାଶ - Saint Bhima Bhoi Temple
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଗତ କିଛି ବର୍ଷ ହେଲା ସାଇବର କ୍ରାଇମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପଟରେ ଜିଲ୍ଲାରେ ସାଇବର ଅପରାଧ ରେକର୍ଡ ବଢୁଥିବା ବେଳେ ଅନ୍ୟପଟରେ ଜିଲ୍ଲାରେ ଏହାର ତଦନ୍ତ ପାଇଁ କୌଣସି ସ୍ବତନ୍ତ୍ର ସାଇବର ଥାନା ନଥିବାରୁ ଏଭଳି ଅପରାଧର ତଦନ୍ତ ଠିକରେ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଅଧିକ ଜନସଚେତନତାର ଆବଶ୍ୟକତା ରହିଥିବା ବେଳେ ଗୁରୁବାର ଟ୍ରାଇ ବା ଟେଲିକମ ରେଗୁଲେଟେରି ଅଫ ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ମଥୁରା ପଞ୍ଚାୟତଠାରେ ଅନୁଷ୍ଠିତ ହୋଇଥିଲା । ସେଠାରେ ବୌଦ୍ଧ ଜିଲ୍ଲାରେ ଟେଲିକମ କମ୍ପାନୀମାନେ ଗ୍ରାହକଙ୍କୁ ବ୍ୟାପକ ଶୋଷଣ ସହିତ ଉତ୍ତମ ସେବା ଯୋଗାଉ ନଥିବା ନେଇ ଅଭିଯୋଗ ହେବା ସହିତ ଏନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା ।
ଇଟିଭି ଭାରତ, ବୌଦ୍ଧ