କଟକ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡ଼ିଶା । ଏଣିକି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ-ଏସସିବି(SCB)ରେ ହେବ ହୃତପିଣ୍ଡ ପ୍ରତିରୋପଣ ବା ହାର୍ଟ ଟ୍ରାନ୍ସପ୍ଲାଣ୍ଟ । ଯାହାକି 3 ମାସ ମଧ୍ୟରେ ଆରମ୍ଭ ହେବ । ଚେନ୍ନାଇର ଏମଜିଏମ(MGM) ହସ୍ପିଟାଲ ସହାୟତାରେ ଏସସିବି ମେଡିକାଲରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ ହେବ । ଏନେଇ ଆଜି ଏସସିବି ମେଡିକାଲର ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ସିଟିଭିଏସ୍ ଓପିଡି ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
୩ ମାସରେ ହୃତପିଣ୍ଡ ପ୍ରତିରୋପଣ :
ଏହି କେନ୍ଦ୍ରରେ ରୋଗୀଙ୍କ ସ୍କ୍ରିନିଂ ସହ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କୁ ଚିହ୍ନଟ କରାଯିବ । ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ ହେବ । ଏସସିବି ମେଡ଼ିକାଲର ଡାକ୍ତରଙ୍କ ସହ ଏମଜିଏମ ଟିମ ଡାକ୍ତରମାନେ ସମସ୍ତ ପ୍ରକ୍ରିୟାର ତଦାରଖ କରିଛନ୍ତି । ପୂର୍ବରୁ ଏସସିବି ମେଡିକାଲରେ ଲିଭର, କିଡନୀ ଏବଂ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ କରାଯାଇଛି ।
ପ୍ରଥମ ଥର ସରକାରୀ ହସପିଟାଲରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ:
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି,‘ଗତ ମାସରେ ଏମଜିଏମ ସହ ରାଜ୍ୟ ସରକାରଙ୍କ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା । ତାହା ଆଜିଠୁ ଏକପ୍ରକାର କାର୍ଯ୍ୟକ୍ଷମ ହୋଇଛି । ଆଜିଠୁ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରଙ୍କ ନିୟମାବଳୀ ଅନୁସାରେ କରି ଏହି କାର୍ଯ୍ୟକ୍ରମ ଆମେ ଖୁବଶୀଘ୍ର ଆରମ୍ଭ କରିବୁ । ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପ୍ରଥମ ଥର ଗୋଟିଏ ସରକାରୀ ହସ୍ପିଟାଲ ଏସସିବିରେ ଆରମ୍ଭ ହେବ । ପ୍ରାଇଭେଟରେ କରାଯାଉଛି କିନ୍ତୁ ପ୍ରଥମ ଥର ସରକାରୀ ହସ୍ପିଟାଲରେ କରାଯିବ ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ । ସ୍କ୍ରିନିଂ ପ୍ରକ୍ରିୟାରେ କିଛି ନିୟମ ଅଛି । ତାହା ଡାକ୍ତରମାନେ କରିବେ । ଯାହାର ସ୍କ୍ରିନିଂ କରାଯାଇଥିବା ସେମାନଙ୍କୁ ଆମେ ଜଣାଇବୁ ।’
ଓଡ଼ିଶା ଟିମକୁ ସାହାଯ୍ୟ କରିବ ଏମଜିଏମ ହସ୍ପିଟାଲ:
ସେହିପରି ଏମଜିଏମ ହେଲ୍ଥ କେୟାର ବିଶେଷଜ୍ଞ ଡ. ସୁରେଶ କହିଛନ୍ତି, ଗତବର୍ଷ ଅର୍ଥାତ 2023ରେ ଜଣେ ରୋଗୀ ଏମଜିଏମ ହସ୍ପିଟାଲ ଆସିଥିଲେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ । କହିଲେ ଓଡ଼ିଶାରେ ଏସବୁ ନାହିଁ । ପରେ ଡାକ୍ତର ଟିମ ଚେନ୍ନାଇ ଆସିଥିଲେ ଟ୍ରେନିଂ ନେଇଥିଲେ । ଏହା ପରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଟ୍ରାନ୍ସ ପ୍ଲାଣ୍ଟ ସମୟରେ ଆମେ ଆସିବୁ ସମସ୍ତ ସାହାଯ୍ୟ କରିବୁ । ପ୍ରଥମେ କିଛି ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଆମ ଟିମ୍ ଏଠାକୁ ଆସିବ ଡାକ୍ତର ଟିମକୁ ସାହାଯ୍ୟ କରିବ ।
ଅକ୍ଟୋବର 23ରେ ହୋଇଥିଲା MOU ସ୍ବାକ୍ଷରିତ:
ସୂଚନାଯୋଗ୍ୟ, ଗତ 23 ଅକ୍ଟୋବରରେ ରାଜ୍ୟ ସରକାର ଚେନ୍ନାଇ ସ୍ଥିତ ଏମଜିଏମ ହେଲଥ କେୟାର ପ୍ରାଇଭେଟ ଲିମିଟେଡ଼ ସହ ଚୁକ୍ତି ସ୍ବାକ୍ଷର କରିଥିଲେ । ଚୁକ୍ତି ସ୍ଵାକ୍ଷର ପରେ ଉକ୍ତ ଟିମ ଏସସିବି ମେଡିକାଲରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ । ଆଜିର ସ୍କ୍ରିନିଂରେ ଏମଜିଏମ ହେଲଥ କେୟାରର ସହକାରୀ ନିର୍ଦେଶକ ଡା. ସୁରେଶ ରାଓଙ୍କ ସମେତ ଏସସିବି ହୃଦରୋଗ ବିଭାଗର ଡାକ୍ତର ସାମିଲ ଥିଲେ । ପ୍ରଥମ ଦିନରେ ମଧ୍ୟାହ୍ନ ସୁଦ୍ଧା ଡାକ୍ତର ଚାରିଜଣ ରୋଗୀଙ୍କ ସ୍କ୍ରିନିଂ କରିଛନ୍ତି । ହୃଦରୋଗ ବିଭାଗର ଆଉଟଡୋରରେ ଏହି ସ୍କ୍ରିନିଂ କରାଯାଇଥିଲା ପୂର୍ବରୁ ମେଡିକାଲ ପକ୍ଷରୁ ଦୁଇଜଣ ରୋଗୀଙ୍କୁ ଚୟନ କରାଯାଇଥିବାବେଳେ ଆଉ ଚାରିଜଣଙ୍କ ସ୍କ୍ରିନିଂ କରାଯାଇଛି । ଏପରିକି ଆଗାମୀ ତିନି ମାସ ମଧ୍ୟରେ ହୃତପିଣ୍ଡ ପ୍ରତିରୋପଣ କରାଯିବା ନେଇ ମେଡ଼ିକାଲ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।
ଇଟିଭି ଭାରତ, କଟକ