ମା' ଶାରଳାଙ୍କ ପୀଠରେ ଚୈତ୍ର ଘଟ ଯାତ୍ରା ଆରମ୍ଭ, ଦୁଲୁକୁଛି ଜଗତସିଂହପୁର

By ETV Bharat Odisha Team

Published : Mar 17, 2024, 7:55 AM IST

thumbnail

ଜଗତସିଂହପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠରେ ଗତକାଲି(ଶନିବାର) ଠାରୁ ଆରମ୍ଭ ହୋଇଛି ଘଟ ସ୍ଥାପନ ଉତ୍ସବ  । ଏକମାସ ବ୍ୟାପୀ ଏହି ଉତ୍ସବ ପାଳନ କରାଯିବ । ଗତ ମୀନ ସଂକ୍ରାନ୍ତି ଠାରୁ ଘଟ ପୂଜାର୍ଚ୍ଚନା ପରେ ଗତକାଲି ଘଟ ପାଟୁଆମାନେ ବିଭିନ୍ନ ଗ୍ରାମ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ମୀନ ସଂକ୍ରାନ୍ତି ଦିନ 15 ଜଣ ଘଟ ପାଟୁଆ ମା'ଙ୍କ ଘଟ ଧରି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ମା'ଙ୍କ ସିଂହାସନ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ମନ୍ଦିର ମଧ୍ୟରେ ଘଟ ରଖାଯାଇଥିଲା । ଗତକାଲି ମା' ଶାରଳାଙ୍କର ନୀତିକାନ୍ତି ସମାପନ ପରେ ଘଣ୍ଟ ପାଟୁଆମାନେ ଘଟ ଧରି ଘଟ ନୃତ୍ୟ ପରିବେଷଣ କରିଥିଲେ । ସନ୍ଧ୍ୟାରେ ମା'ଙ୍କ ମନ୍ଦିର ସମ୍ମୁଖରେ ଘଟ ନୃତ୍ୟ ପରିବେଷଣ କରାଯାଇଥିଲା । ଗତକାଲି ଠାରୁ ଘଣ୍ଟ ପାଟୁଆମାନେ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ 1 ମାସ ଧରି ବିଭିନ୍ନ ଗାଁକୁ ଯିବା ସହିତ ସେଠାରେ ଘଟ ନୃତ୍ୟ ପରିବେଷଣ କରି ମା'ଙ୍କ ମହିମା ପ୍ରଚାର କରିଥାନ୍ତି । ଗ୍ରାମାଞ୍ଚଳରେ ଏହି ଘଣ୍ଟ ପାଟୁଆଙ୍କୁ ସାକ୍ଷାତ ଦେବୀ ବୋଲି ଭାବି ଲୋକେ ପୂଜାର୍ଚ୍ଚନା କରିଥାନ୍ତି । ଏହି ଘଣ୍ଟ ପାଟୁଆମାନେ ମୀନ ସଂକ୍ରାନ୍ତି ଠାରୁ ମେଷ ସଂକ୍ରାନ୍ତି ଅର୍ଥାତ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ହାବିଷ୍ୟାର୍ଣ୍ଣ ଗ୍ରହଣ କରି ନିଷ୍ଠାର ସହିତ ରହିଥାନ୍ତି । ପଣା ସଂକ୍ରାନ୍ତି ଦିନ ସମସ୍ତ ଘଣ୍ଟ ପାଟୁଆମାନେ ମା'ଙ୍କ ମନ୍ଦିରରେ ପ୍ରବେଶ କରି ପୂଜାର୍ଚ୍ଚନା କରିବା ପରେ ମା' ଶାରଳାଙ୍କ ଚଳନ୍ତି ପ୍ରତିମାଙ୍କ ସହିତ ଘଣ୍ଟ ପାଟୁଆମାନେ ଲଣ୍ଡା ଦେଉଳକୁ ବିଜେ କରିଥାନ୍ତି । ସେଠାରେ ଅଗ୍ନି ଉତ୍ସବ ପାଳନ ବା ଝାମୁଯାତ୍ରା ପାଳନ କରାଯାଏ । ଏହି ଝାମୁଯାତ୍ରାକୁ ଦେଖିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୁଏ । 

ଏହା ମଧ୍ୟ ପଢନ୍ତୁ-୨୬ରୁ ମାଆ ତାରାତାରିଣୀଙ୍କ ଚୈତ୍ର ପର୍ବ, ପ୍ରସ୍ତୁତି ବୈଠକ ଶେଷ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.