ବାସୁଦେବପୁରରେ ଭାଙ୍ଗିଲା ବଂଶଗତ ରାଜନୀତିର ଧାରା, ବିଜେଡିକୁ ମାତ ଦେଲା କଂଗ୍ରେସ - Basudevpur Assembly constituency

By ETV Bharat Odisha Team

Published : Jun 10, 2024, 10:31 PM IST

thumbnail
Congress Break Dynastic Victory Of BJD (ETV Bharat Odisha)

Congress Break Dynastic Victory Of BJD : ଭଦ୍ରକ: ରାଜ୍ୟ ରେ ଦୀର୍ଘ ୨୪ ବର୍ଷର ବିଜେଡି ସରକାରର ପତନ ଘଟିଛି । ନୂଆ କରି ଶାସନ ଭାର ନେବାକୁ ଯାଇଛି ବିଜେପି । ଚଳିତ ବିଧାନସଭାରେ ଅନେକ ବରିଷ୍ଠ ଓ ଟାଣୁଆ ନେତାଙ୍କୁ ଦେଖିବାକୁ ପଡିଛି ପରାଜୟର ମୁହଁ । ସମସ୍ତ ଆକଳନକୁ ପଛରେ ପକାଇ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ଥର ବଂଶବାଦ ରାଜନୀତିକୁ ସମାପ୍ତ କରି କଂଗ୍ରେସ ବାଜିମାତ୍ କରିଛି । 1980 ଏବଂ 1985 ମସିହାକୁ ଛାଡି ଦେଲେ, 1977 ରୁ 2019 ମସିହା ପର୍ଯ୍ୟନ୍ତ ଗୋଟିଏ ପରିବାର ହାତରେ ରହି ଆସିଥିବା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଏଥର ଅନ୍ୟ ହାତକୁ ଯାଇଛି ।  

ଏଥିସହ ଭବିଷ୍ୟତରେ ତାଙ୍କ ପରିବାରରୁ ଅନ୍ୟ କେହି ରାଜନୀତିକୁ ଆସିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାସୁଦେବପୁରର ନବ ନିର୍ବାଚିତ ବିଧାୟକ ଅଶୋକ କୁମାର ଦାସ । ତେବେ ନିର୍ବାଚନ ସମୟରେ ଦେଇଥିବା ସମସ୍ତ ପ୍ରତିଶୁତି ପୁରଣ କରିବେ ବୋଲି ସେ କହିଛନ୍ତି । ଦଳ ମତରୁ ଉର୍ଦ୍ଧ୍ବରେ ରହି ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା, ବାସଗୃହ ତଥା ଗମନାଗମନ ଭଳି ମୌଳିକ ସମସ୍ୟା ସମାଧାନ କ୍ଷେତ୍ରରେ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ସରକାରଙ୍କ ଅନୁଦାନକୁ ବିନା ମୂଲ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇବା ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି ଅଶୋକ । ଏଥିସହ ଅତୀତର ଦୁର୍ନୀତିକାରୀଙ୍କ ବିରୋଧରେ ଦୃଢ଼ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।  

ଅଧିକ ପଢନ୍ତୁ... ନିର୍ବାଚନ ରଣକ୍ଷେତ୍ରରେ ଅଶୋକ ଦାସ, ବାସୁଦେବପୁରରେ ବାଜି ମାରିବ କି କଂଗ୍ରେସ ? - Congress Election Campaign

ଶାସକ ବିଜେଡିର ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଥିବା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଏଥର କଂଗ୍ରେସ ଭେଦ କରିବାରେ ସକ୍ଷମ ହୋଇଛି । ପ୍ରକାଶ ଥାଉକି କଂଗ୍ରେସ ପ୍ରାର୍ଥୀ ଭାବେ ଅଶୋକ କୁମାର ଦାସ 77843 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ 77212 ଖଣ୍ଡ ଭୋଟ ପାଇଥିଲେ । ଫଳ ସ୍ଵରୂପ ଅଶୋକ 631 ଖଣ୍ଡ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିଲେ । ହେଲେ ବିଜେପି ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି 42278 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହି ଯାଇଥିଲେ । ତେବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ନବ ନିର୍ବାଚିତ ହେବା ପରେ ଆଜି ତାଙ୍କ ସହିତ ସମୁଦ୍ର ତଟବର୍ତ୍ତୀ ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ନେଇ ଇଟିଭି ଭାରତର ଭଦ୍ରକ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ । 

ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.