ଜଙ୍ଗଲ ଭିତରେ ଅଛି ମନ୍ଦିର କିନ୍ତୁ ନାହାନ୍ତି ଶିବ - ଶିବ ମନ୍ଦିରରେ ନାହିଁ ମୂର୍ତ୍ତି
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 8, 2024, 10:31 PM IST
Unique Shiv Temple: ବୌଦ୍ଧ: ଆଜି ପବିତ୍ର ମହାଶିବରାତ୍ରୀ । ଏଥିପାଇଁ ଗାଁ ଠାରୁ ସହର ସବୁଆଡେ ଉତ୍ସବର ମାହୋଲ । ବୌଦ୍ଧ ଜିଲ୍ଲାର 3 ଟି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠ ଗୁଡ଼ିକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜିଲ୍ଲାର ପ୍ରସିଦ୍ଧ ତଥା ଐତିହାସିକ ଗନ୍ଧରାଡ଼ି, ରାମେଶ୍ବର ମନ୍ଦିର ସମେତ କୁଶଙ୍ଗ, ହରଭଙ୍ଗା, ପୁରୁଣା କଟକ, ବୁରୁବୁଡା, ଖଣ୍ଡିଧଳପୁର, କରଡ଼ି, ରାମଗଡ, ମନମୁଣ୍ଡା,ବୀରନରସିଂହପୁର, କଣ୍ଟାମାଳ, ଘଣ୍ଟାପଡା ଅମୁର୍ଡା, ବାଉଶୁଣୀ ଭଳି ବିଭିନ୍ନ ସ୍ଥାନରେ ଥିବା ଶୈବପୀଠ ଗୁଡ଼ିକରେ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହୋଇଛି । ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାପ୍ରସାଦ ନିକଟସ୍ଥ ଏକ ଜଙ୍ଗଲ ପାହାଡ଼ର ଶୀର୍ଷରେ ରହିଛି ଏକ ବିରଳ ଶୈବପୀଠ ।
ଏହା ମଧ୍ୟ ପଢନ୍ତୁ...ମହାଶିବରାତ୍ରୀ ପାଇଁ ଉତ୍ସବମୁଖର ସମ୍ବଲପୁର, ସୋମନାଥ ପୀଠରେ ପ୍ରବଳ ଭିଡ଼
ଶତାଧିକ ବର୍ଷ ପୂର୍ବେ ଏହି ପାହାଡ ଶୀର୍ଷରେ ଭଞ୍ଜ ରାଜା ମହାଦେବ ଶଙ୍କରଙ୍କ ଉଦେଶ୍ୟରେ ଏକ ଅଷ୍ଟକୋଣୀୟ ମନ୍ଦିର ନିର୍ମାଣ କରିଥିଲେ । ସାଲୁଙ୍କୀ ନଦୀର ଅପର ପାର୍ଶ୍ୱରେ ଥିବା ଶୈବପୀଠ ଖଲିଆପାଲିର ଶିବଲିଙ୍ଗକୁ ଉଠାଇ ଆଣି ଏଠାରେ ସ୍ଥାପିତ କରିବା ନେଇ ଉଦ୍ଦେଶ୍ୟ ରହିଥିଲା । ଶିବଲିଙ୍ଗକୁ ସେଠାରୁ ଅଣାଯାଇ ନପାରିବାରୁ ଏହି ଇଟାରେ ନିର୍ମିତ ଶିବ ମନ୍ଦିରଟି କେବଳ ସ୍ମୃତି ପୀଠ ହୋଇ ରହିବା ସହିତ ଏହା ଦେଉଳ ଡୁଙ୍ଗୁରି ଭାବରେ ପରିଚିତ ଲାଭ କରିଥିଲା । ବିଭିନ୍ନ ସମୟରେ ଏଠାରେ ସ୍ଥାନୀୟ ଭକ୍ତ ଶ୍ରଦ୍ଧାଳୁ ପହଞ୍ଚି ପୂଜାର୍ଚ୍ଚନା କରିଥାନ୍ତି । ଆଜି ପବିତ୍ର ଜାଗର ଉତ୍ସବ ପାଇଁ ଏହି ଦେଉଳ ଡୁଙ୍ଗୁରି ପାହାଡ ଉପରକୁ ଶତାଧିକ ଶ୍ରଦ୍ଧାଳୁମାନେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ତଥା ଆଧ୍ୟାତ୍ମିକ ବାତାବରଣରେ ପରିପୂର୍ଣ୍ଣ ଏହି ସ୍ଥାନର ବିକାଶ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଇଟିଭି ଭାରତ, ବୌଦ୍ଧ