ପାରଳାଖେମୁଣ୍ଡି(ଗଜପତି): ଆଦିବାସୀ ତଥା ଅସହାୟ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବା ସୁବିଧା ଦେବା ସହ ସେଠାରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ସରକାର ଅନ୍ବେଷା ହଷ୍ଟେଲର ପରିକଳ୍ପନା କରିଥିଲେ । ଏବେ ସେହି ହଷ୍ଟେଲରେ ଅନ୍ତେବାସୀଙ୍କୁ ନିର୍ଯାତନା ଦିଆଯାଉଥିବା ଅଭି୍ଯୋଗ ସାମ୍ନାକୁ ଆସିଛି । ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଅନ୍ବେଷା ହଷ୍ଟେଲ ଅନ୍ତେବାସୀଙ୍କୁ ନିଯୁକ୍ତ ଅଧୀକ୍ଷକ ନିର୍ଯାତନା ଦେଉଥିବା ଅଭିଯୋଗର ତଦନ୍ତ ଚାଲୁଥିବା ବେଳେ, ହଷ୍ଟେଲ ଅଧୀକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସୁଲେମାନ ରାଇକା ।
ହଷ୍ଟେଲ ଅଧୀକ୍ଷକ ଛାତ୍ରୀଙ୍କୁ ମାଡ ମାରୁଥିବା ଅଭିଯୋଗ:
ଅନ୍ବେଷା ହଷ୍ଟେଲ ଅଧୀକ୍ଷକ ( hostel superintendent)ଙ୍କ ନାଁରେ ନିର୍ଯାତନାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । ନିର୍ଯାତନାର ଶିକାର ଜଣେ ଛାତ୍ରୀ କହିଛନ୍ତି ଯେ, '' ହଷ୍ଟେଲ ଅଧୀକ୍ଷକ ବିନା ଦୋଷରେ ମାଡ ମାରୁଛନ୍ତି । ମଦ ପିଇକି ଆସି ସମସ୍ତଙ୍କୁ ମାଡ଼ ମାରୁଛନ୍ତି । ଫଳରେ ବାଧ୍ୟ ହୋଇ ସେ ହଷ୍ଟେଲ ଛାଡ଼ି ବାହାରେ ରହୁଛି । ହଷ୍ଟେଲକୁ ମାଡ ଭୟରେ ଯାଉନାହିଁ । ''
ନିର୍ଯାତନାର ଶିକାର ଛାତ୍ରୀଙ୍କ ମାଆଙ୍କ ଅଭିଯୋଗ, ''ଅନ୍ବେଷା ହଷ୍ଟେଲରେ ରହି ମୋ ଝିଅ ପାଠ ପଢୁଥିଲା । ହେଲେ ସାର୍ ମାଡ ମାରିବାରୁ ସେ ଭୟ କରୁଛି ହଷ୍ଟେଲରେ ରହିବାକୁ । ଫଳରେ ଘର ଭଡା ନେଇ ସେ ରହୁଛି । ମୋ ଝିଅକୁ ସାର ମାଡ ମାରିବା ପରେ ସେ ଆମକୁ ଫୋନ କରିକି ଜଣାଇଥିଲା । ଆମେ ଝିଅ ପାଖକୁ ଯିବା ପରେ ତାର ହାତ ଗୋଡ଼ ଫୁଲି ଯାଇଥିଲା । ସାରଙ୍କୁ ପଚାରିବାରୁ ସେ ମାଡ ମାରିଥିବା ମାନି ନଥିଲେ । ''
କେବଳ ହଷ୍ଟେଲ ଅନ୍ତେବାସୀ ନୁହନ୍ତି, ହଷ୍ଟେଲ ମେଟ୍ରୋନ ମଧ୍ୟ ସଂପୃକ୍ତ ଅଧୀକ୍ଷକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ''ହଷ୍ଟେଲରେ ମୁଁ ୧୧ ମାସ କାମ କରିଛି । ହଷ୍ଟେଲ ଅଧୀକ୍ଷକ ମୋତେ ବହୁ ନିର୍ଯାତନା ଦେଇଛନ୍ତି । '' ସେ ଆହୁରି ମଧ୍ୟ କହିଛନ୍ତି ଯେ, " ସେ ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ । ଏହା ପରେ ତାଙ୍କ ଉପରେ ନିର୍ଯାତନାର ମାତ୍ରା ବଢ଼ିଥିଲା । ଫଳରେ ସେ ଚାକିରି ଛାଡ଼ି ଦେଇଥିଲେ । "
ଅନ୍ବେଷା ହଷ୍ଟେଲରେ ଛାତ୍ରୀଙ୍କୁ ମାଡ ମାରିବା ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ସଂପୃକ୍ତ ଛାତ୍ରୀ । ଜିଲ୍ଲା ମଙ୍ଗଳ ଅଧିକାରୀ ସୁଲେମାନ ରାଇକା କହିଛନ୍ତି, ''ସହକାରୀ ଶିକ୍ଷକ ଜଣଙ୍କ ହଷ୍ଟେଲରେ ଅଧୀକ୍ଷକ ଭାବେ କାମ କରୁଥିଲେ । ତାଙ୍କ ନାମରେ ଆମେ କିଛି ଅଭିଯୋଗ ପାଇଥିଲିୁ । ତଦନ୍ତ ପରେ ସେ କିଛି ଛାତ୍ରୀଙ୍କ ମାଡ ମାରିଥିବା ଜଣାପଡିଥିଲା । ଜିଲ୍ଲା ପ୍ରଶାସନ ତାଙ୍କୁ ଅନ୍ୟତ୍ର ବଦଳି କରିଛି । ଅଭିଯୋଗ ପରେ ସିଡବ୍ଲୁସି ତଦନ୍ତ କରିଥିଲା । ତଦନ୍ତରେ ସେ ଯଦି ଦୋଷୀ ପ୍ରମାଣିତ ହୁଅନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।''
ଅନ୍ବେଷା ହଷ୍ଟେଲର ୮୦୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ ରହୁଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୫୦୦ ଛାତ୍ରୀ । ଏତେ ସଂଖ୍ୟକ ଛାତ୍ରାଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଅଧୀକ୍ଷକଙ୍କ ଦ୍ବାରା ଏହି ହଷ୍ଟେଲ ପରିଚାଳିତ ହେଉଛି । ଏପରିକି ଏତେ ସଂଖ୍ୟକ ଛାତ୍ରୀ ରହୁଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ଜଣେ ହେଲେ ମହିଳା ଅଧୀକ୍ଷକ ନିଯୁକ୍ତି ପାଇନାହାନ୍ତି । ଛାତ୍ରୀ ନିର୍ଯାତନା ଘଟଣାକୁ ଆଦିବାସୀ ମହାସଂଘ ତୀବ୍ର ବିରୋଧ କରିଛି । ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଦିବାସୀ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଦିବାସୀ ଯୁବନେତା ମଜେଶ ଦଳବେହେରା କହିଛନ୍ତି ।
ଇଟିଭି ଭାରତ, ଗଜପତି