ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ସହିତ ଯୋଡି ହୋଇଛି ସଫଳତାର ଆଉ ଏକ ନୂଆ ଫର୍ଦ୍ଦ । ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର କଳେବର ଆଉ ଏକ ପାଦ ଆଗକୁ ବଢିଛି । ଉଦଘାଟିତ ହୋଇଛି ଲିଙ୍କ୍ ବିଲଡିଂ, ଯାହା ଫଳରେ ଟର୍ମିନାଲ-୧ ସହିତ ଟର୍ମିନାଲ-୨ ଯୋଡି ହୋଇଛି । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭି. କେ. ସିଂହ ।
୩୩୬୦ ବର୍ଗମିଟର ଅଞ୍ଚଳ ପରିମିତ ନୂଆ ଲିଙ୍କ୍ ବିଲଡିଂ ସ୍ୱତନ୍ତ୍ର ଭାବେ ଆନ୍ତର୍ଜାତିକ ବିମାନ ଯାତ୍ରୀଙ୍କ ଆଗମନ ପାଇଁ ବ୍ୟବହାର ହେବ । ଏହି ଲିଙ୍କ୍ ବିଲ୍ଡିଂରେ ଦୁଇଟି କନଭେୟର ବେଲ୍ଟ, ୩ଟି ଏସ୍କଲେଟର, ୩ଟି ଲିଫ୍ଟ ଓ ୧୨ଟି ଇମିଗ୍ରେସନ କାଉଣ୍ଟର ରହିଛି । ନୂଆ ଲିଙ୍କ୍ ବିଲ୍ଡିଂ ଯୋଗୁଁ ଭୁବନେଶ୍ଵର ବିମାନ ବନ୍ଦରର ଯାତ୍ରୀ ପରିବହନ କ୍ଷମତା ପୂର୍ବର ୪.୧୫ ନିୟୁତରୁ ବଢ଼ି ୪.୬୫ ନିୟୁତରେ ପହଞ୍ଚିଛି । ଡିସେମ୍ବର ମାସରେ ୪ ଲକ୍ଷରୁ ଅଧିକ ଯାତ୍ରୀ ପରିଚାଳନା କରିଛି ଭୁବନେଶ୍ଵର ବିମାନ ବନ୍ଦର । ଆଗାମୀ ମାର୍ଚ୍ଚ ସୁଦ୍ଧା ଭୁବନେଶ୍ଵର ବିମାନ ବନ୍ଦରର ଯାତ୍ରୀ ପରିଚାଳନା କ୍ଷମତାକୁ ୮.୮ ନିୟୁତକୁ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଭୁବନେଶ୍ଵର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।
ଏହା ମଧ୍ୟ ପଢନ୍ତୁ ... ମଙ୍ଗଳବାର କାର୍ଯ୍ୟକ୍ଷମ ହେବ ଭୁବନେଶ୍ବର ବିମାନବନ୍ଦର ଟର୍ମିନାଲ ଲିଙ୍କ ବିଲ୍ଡିଂ
ସୂଚନା ଅନୁଯାୟୀ, ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ରହିଛି ଦୁଇଟି ଟର୍ମିନାଲ ସମେତ ଗୋଟିଏ ଅନ୍ତର୍ଜାତୀୟ ଟର୍ମିନାଲ । ଦୈନିକ ଯାତ୍ରୀମାନଙ୍କ ବିମାନ ଯାତ୍ରାରେ ଅହେତୁକ ବୃଦ୍ଧି ନେଇ ଟର୍ମିନାଲ ବୃଦ୍ଧି କରାଯାଉଛି । ଭୁବନେଶ୍ୱରରୁ ବର୍ତ୍ତମାନ ସମୟରେ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକୁ ବିମାନ ଉଡାଣ କରୁଛି । ତେବେ ଆଗକୁ ଅନ୍ୟ ଦେଶକୁ ଏହି ତାଲିକାରେ ଯୋଡାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ । ଅନ୍ୟପଟେ ଖୁବଶୀଘ୍ର ସୁରଟ, ଡେରାଡୁନ, ଚଣ୍ଡିଗଡ, ଜମ୍ମୁକୁ ଉଡିବ ନୂଆ ବିମାନ । ତେବେ ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା ।
ବର୍ତ୍ତମାନ ସୁଦ୍ଧା ଦେଶର ୨୧ଟି ସହରକୁ ବିମାନପଥରେ ଯୋଡି ହୋଇଛି ଭୁବନେଶ୍ବର ବିମାନ ବନ୍ଦର । ରାଜ୍ୟ ସରକାର ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଥିଲେ । ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ବର୍ଷରେ ତିନିଟି ବିମାନ ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ମୂହୁର୍ତ୍ତରେ ଏହା ବନ୍ଦ କରି ଦିଆଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ୱର