ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖଣ୍ଟି । ଗତକାଲି (ବୁଧବାର) ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ଧନୁଯାତ୍ରା କମିଟି ତରଫରୁ ପୂଜାର୍ଚ୍ଚନା କରାଯାଇ ବିରାଟ ଶୋଭାଯାତ୍ରାରେ ଆଜ୍ଞାମାଳ ନେଇ ହାଟପଦା ସ୍ଥିତ ସଞ୍ଚାର ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନା କରାଯାଇଥିଲା । ଏହି ଶୋଭାଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ଏବଂ ସମସ୍ତ ସାଥି କଳାକାର ସାମିଲ ହୋଇଥିଲେ ।
ମା' ସମଲେଶ୍ୱରୀଙ୍କ ନିକଟରୁ ଆସିଲ ଆଜ୍ଞାମାଳ ?
ଚଳିତ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ଜାନୁଆରୀ 3ରୁ ଆରମ୍ଭ ହୋଇ 13 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହାକୁ ଦେଖିବା ପାଇଁ ବରଗଡ଼ବାସୀଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହାର ଲଗ୍ନଧାର୍ଯ୍ୟ କରାଯାଇଥାଏ । ଯାତ୍ରା ସୁରୁଖୁରୁରେ ସମାପନ ହେବ ପାଇଁ ଏହି ଶୁଭଖୁଣ୍ଟି ସ୍ଥାପନ କରାଯାଇଥାଏ । ପାରମ୍ପାରିକ ରିତୀନିତୀରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରା ବାହାରି ହାଟପଦା ସ୍ଥିତ ସଞ୍ଚାର ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନା କରାଯାଇଛି ।
ରାଜ୍ୟ ବାହାରୁ ଆସିବେ ସାଂସ୍କୃତିକ ଦଳ !
ଚଳିତ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉଭୟ ଯାତ୍ରାକମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥର ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳମାନଙ୍କୁ ଆଣିବା ପାଇଁ ଯୋଜନା ହୋଇଥିବା ଜଣାପଡ଼ିଛି । ସେପଟେ ଚଳିତ ଥର ମହାରାଜ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ବର ପ୍ରଧାନ ।
ଏମିତି କହିଲେ ଜିଲ୍ଲାପାଳ..
ଏନେଇ ଜିଲ୍ଲାପାଳ ଆଦିତ୍ୟ ଗୋୟଲ କହିଛନ୍ତି," ବରଗଡ ଧନୁଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନା କରାଯାଇଛି । ଯାତ୍ରା କମିଟି ସହଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କିଭଳି ଅଧିକରୁ ଅଧିକ ଲୋକେ ଏଠାକୁ ଆସିପାରିବେ ସେ ଦିଗରେ ଆମେ ଚେଷ୍ଟା କରୁଛୁ ।"
ଏହି ଶୋଭାଯାତ୍ରାରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଏସପି ପ୍ରହଲ୍ଲାଦ ସାହାଇ ମୀନା, ଧନୁଯାତ୍ରା କମିଟିର ସମ୍ପାଦକ ସୁରେଶ୍ୱର ଶତପଥୀ ଏବଂ ପୌର ପରିଷଦ ଅଧ୍ୟକ୍ଷ କଳ୍ପନା ମାଝୀ ଆଦି ସାମିଲ ହୋଇଥିଲେ ।
ଇଟିଭି ଭାରତ,ବରଗଡ଼