ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ରହିଛି ବାରମାସରେ 13ପର୍ବର ପରମ୍ପରା । ବର୍ଷ ସାରା ଶ୍ରୀମନ୍ଦିରରେ ଲାଗିଥାଏ ବିଭିନ୍ନ ଜାନିଯାତ୍ରାର ଗହଳି ଚହଳିି । ଚତୁର୍ଦ୍ଧାମୂର୍ତିଙ୍କର ରହିଛି ଏକାଧିକ ଯାତ୍ରା ଅନେକ ନୀତିକାନ୍ତି, ଭୋଗ ଓ ବେଶ । ଏହା ମଧ୍ୟରୁ ଅନନ୍ୟ ହେଉଛି ସ୍ନାନ ଯାତ୍ରା । ଯାହା ଦେବସ୍ନାନ ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଥାଏ । ବର୍ଷ ସାରା ରତ୍ନ ସଂହାସନରେ ପ୍ରତିବିମ୍ବ ସ୍ନାନ କରୁଥିବା ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀକୁ ଆସି ପ୍ରତ୍ୟେକ୍ଷ ସ୍ନାନ କରନ୍ତି । ମହାପ୍ରଭୁ ଜଗନ୍ନାଥଙ୍କର ଏହି ପବିତ୍ର ଦିବ୍ୟସ୍ନାନ ନୀତି ମଧ୍ୟ ବେଶ ଦୁର୍ଲ୍ଲଭ । ଦାରୁଦିଅଁ 108 ଗରା ସୁବାସିତ ଦିବ୍ୟ ଜଳରେ ସ୍ନାନ କରନ୍ତି । ପରେ ମହାପ୍ରଭୁ ଅତ୍ୟଧିକ ସ୍ନାନ ହେତୁ ଜ୍ୱରରେ ଆକ୍ରାନ୍ତ ହୋଇ 15 ଦିନ ଅଣସର ଘରେ ଗୁପ୍ତ ଉପଚାର ହୁଅନ୍ତି । ଦଇତାପତି ସେବକମାନେ ଏହି ଗୁପ୍ତ ନୀତି ନିର୍ବାହ କରନ୍ତି । ତେବେ ଶ୍ରୀମନ୍ଦିର ଭିତରେ ଥିବା ଏକ ସ୍ବତନ୍ତ୍ର କୂପରୁ ଜଳ ଆସି ଅଭିମନ୍ତ୍ରିତ ହେବା ପରେ ମହାପ୍ରଭୁଙ୍କୁ ସ୍ନାନ କରାଯାଏ ।
ଶ୍ରୀମନ୍ଦିରରେ କେଉଁଠି ଅଛି ଏହି ସୁବର୍ଣ୍ଣ କୂପ:-
ମହାପ୍ରଭୁଙ୍କ ପାଇଁ ଜଳ ଆସୁଥିବା କୁଅକୁ ସୁବର୍ଣ୍ଣ କୂପ କୁହାଯାଏ । ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ବେଢା ମଧ୍ୟରେ ଦେବୀ ଶୀତଳା ଓ ବାହନ ସିଂହଙ୍କ ମଧ୍ୟରେ ପ୍ରାଚୀନ ସୁନାକୂଅ ଅବସ୍ଥିତ । ଏହି କୂଅର ରକ୍ଷକ ହେଉଛନ୍ତି ମା’ ଶୀତଳା । ଦେବସ୍ନାନ ପୂର୍ଣ୍ଣିମା ଦିନ ଠାକୁରମାନଙ୍କୁ ସ୍ନାନମଣ୍ଡପରେ ବସାଇ ୧୦୮ କଳସରେ ସ୍ନାନ କରିବାର ବିଧି ଅଛି । ସ୍ନାନପୂର୍ଣ୍ଣିମା ପୂର୍ବଦିନ ସୁନା କୂଅରୁ ପବିତ୍ର ଜଳ ଅଣାଯାଏ । ଏହାକୁ ଅଧିବାସ ଗୃହରେ ରଖାଯାଏ । ବର୍ଷକରେ ମାତ୍ର ଥରୁଟିଏ ସ୍ନାନପୂର୍ଣ୍ଣିମା ପୂର୍ବଦିନ ସୁନା କୂଅର ଅଭ୍ୟନ୍ତର ପରିଷ୍କାର କରାଯାଇ ଜଳ ଅଭିମନ୍ତ୍ରିତ ହେବା ପରେ ହୋଇ ୧୦୮ କଳସରେ ଜଳ ଅଣାଯାଏ । ଏହି ଜଳକୁ କେବଳ ସୁନାଗୋସାଇଁ, ମୁଦିରସ୍ତ ଓ ଗରାବଡୁ ସେବକମାନେ ଆଣିଥାନ୍ତି । ଜଳ ଆଣିସାରିବା ପରେ ପୁନର୍ବାର କୂଅକୁ ଘୋଡାଇ ଦିଆଯାଏ । ବର୍ଷେ ପର୍ଯ୍ୟନ୍ତ ଆଉ ସେ କୂଅର ଜଳ ବ୍ୟବହାର କରାଯାଏ ନାହିଁ । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଠାକୁରଙ୍କ ଜନ୍ମଦିନ । ତେଣୁ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସ୍ନାନପୂର୍ଣ୍ଣିମା ଦିନ ସୁନାକୂଅରୁ ୧୦୮ କଳସ ଜଳ ଆଣି ଠାକୁରଙ୍କୁ ସ୍ନାନ କରାଇଥିବାର ପୌରାଣିକ ବର୍ଣ୍ଣନା ରହିଛି ।
ଅତ୍ୟନ୍ତ ଅଲୌକିକ ଏହି ସୁବର୍ଣ୍ଣ କୂପ:-
ସୃଷ୍ଟିରେ ଯେତେ ତୀର୍ଥଜଳ ଅଛି ସମସ୍ତ ତୀର୍ଥଜଳ ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଏହି ସୁନାକୂଅକୁ ଅଣାଯାଇଥାଏ । ଜଗତର ଠାକୁର ଶ୍ରୀଜଗନ୍ନାଥଙ୍କର ସ୍ନାନପରେ ସବୁ ତୀର୍ଥଜଳ ସେ ସୁନା କୂଅରୁ ଅନ୍ତର୍ଦ୍ଧାନ ହୋଇଯାଇଥାନ୍ତି । ତେଣୁ ସେ କୂଅରୁ ଆଉ ଜଳ ବ୍ୟବହୃତ ହୋଇନଥାଏ । ବର୍ଷକ ପରେ ସ୍ନାନପୂର୍ଣ୍ଣିମାକୁ ସେ କୂଅରୁ ଜଳ ଆସେ । ଏହା ହେଉଛି ଶ୍ରୀମନ୍ଦିର ସୁନାକୂଅର ବିଶେଷତ୍ୱ । ତେବେ କୂଅକୁ ସୁନା କୂଅ କାହିଁକି କୁହାଯାଏ ସେ ନେଇ ଭକ୍ତଙ୍କ ମଧ୍ୟରେ ପ୍ରଶ୍ନ ଉଠେ । ସୁନାରେ କୂଅ ନିର୍ମିତ ହୋଇଛି କି ବୋଲି ଚର୍ଚ୍ଚା ହୁଏ । ତେବେ ସେଭଳି କିଛି ନ ଥିବା ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ସ୍ନାନବେଦୀରେ କାଳିଆ: ଚକାଆଖି ଦେଖି ଭାବବିହ୍ୱଳ ଭକ୍ତ - Snana Yatra 2024
ଯେହେତୁ ସ୍ନାନଯାତ୍ରା ପୂର୍ବ ଦିନ ସବୁ ତୀର୍ଥ ଜଳ ଏହି କୂଅକୁ ଆସିଥାଏ ଏଣୁ ଏହି ଜଳର ମୂଲ୍ୟ ଅତ୍ୟନ୍ତ ଦୁର୍ମୂଲ୍ୟ । ଏଣୁ ଏହାକୁ ସୁନା କୂଅ କୁହାଯାଏ । ତେବେ ଏହି ସୁନା କୂଅ ଜଳକୁ ବର୍ଷ ସାରା ବ୍ୟବହାର କରାଯାଏ ନାହିଁ । କେବଳ ସ୍ନାନଯାତ୍ରା ପୂର୍ବ ଦିନ ବର୍ଷକୁ ଗୋଟିଏ ଥର ଏହି ଜଳ ବ୍ୟବହାର ହୋଇଥାଏ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କୁହନ୍ତି ।
ଇଟିଭି ଭାରତ, ପୁରୀ