ହାତୀଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ବନବିଭାଗ, ୭ ଗିରଫ - ELEPHANT TUSKS SEIZED - ELEPHANT TUSKS SEIZED
ELEPHANT TUSKS SEIZED: ପୁଣି ଆକ୍ସନ ମୋଡକୁ ଆସିଛି ଶିମିଳିପାଳ ବନବିଭାଗ । ହାତୀଦାନ୍ତ ରାକେଟର ପର୍ଦ୍ଦାଫାସ କରିଛି ବନବିଭାଗ । ଶରତ ଥାନା ଅନ୍ତର୍ଗତ ରଜତନଗର ଅଞ୍ଚଳରୁ ୫ଟି ହାତୀଦାନ୍ତ ଜବତ ହୋଇଥିବାବେଳେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ
![ହାତୀଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ବନବିଭାଗ, ୭ ଗିରଫ - ELEPHANT TUSKS SEIZED ELEPHANT TUSKS SEIZED IN MAYURBHANJ](https://etvbharatimages.akamaized.net/etvbharat/prod-images/01-08-2024/1200-675-22102170-thumbnail-16x9-mayurbhanja.jpg?imwidth=3840)
![ETV Bharat Odisha Team author img](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Aug 1, 2024, 7:04 PM IST
ରାଇରଙ୍ଗପୁର: ଦୀର୍ଘ ସମୟ ପରେ ପୁଣି ଶିମିଳିପାଳ ବନ ବିଭାଗକୁ ମିଳିଛି ବଡ଼ ଧରଣର ସଫଳତା । ହାତୀଦାନ୍ତ ଡିଲ ହେଉଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇ ମିଳିତ ଭାବେ ବନ ବିଭାଗ ଟିମ ଚଢ଼ାଉ କରି ୫ଟି ହାତୀଦାନ୍ତ ଜବତ କରିଛି । ଏହି ଘଟଣାରେ ୭ଜଣ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ୩ଟି ବାଇକ ଜବତ କରାଯାଇଛି । ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡ ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ସମସ୍ତ ସୂଚନା ଦେଇଛନ୍ତି ।
![ELEPHANT TUSKS SEIZED IN MAYURBHANJ](https://etvbharatimages.akamaized.net/etvbharat/prod-images/01-08-2024/od-rrp-01-elephant-tusk-seized-avo-10010_01082024083246_0108f_1722481366_608.jpg)
ହାତୀଦାନ୍ତ ରାକେଟର ପର୍ଦ୍ଦାଫାସ:
ଗିରଫ ଅଭିଯୁକ୍ତମାନେ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ବିଦ୍ୟାଧର ନଗରର ନଉରୀ ସିଂ, ମହୁଲବରେଇ ଗ୍ରାମର ବିରଭଦ୍ର ସିଂ, ମହୁଲପଙ୍ଖା ଗ୍ରାମର ନିତ୍ୟାନନ୍ଦ ଗାଗରାଇ, ଉଦଳା ଥାନା ଅନ୍ତର୍ଗତ ଗୋବରାଷୋଳ ଗ୍ରାମର ସାମଲ ସିଂ, ବାଲେଶ୍ଵର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ଯମୁନା ଗ୍ରାମର ନିରଞ୍ଜନ ବେହେରା, କାଦୁଆଣିର ଅଜୟ ବାରିକ ଏବଂ ଔପଦା ଥାନା ଅନ୍ତର୍ଗତ ବେତେଇ ଗ୍ରାମର ସୁନିଲ କୁମାର ହୋ । ଏମାନେ ଶିମିଳିପାଳ ଅଭୟାରଣ୍ୟରୁ ହାତୀ ଶିକାର କରି ୫ଟି ହାତୀ ଦାନ୍ତ କାଟି ନେଇଥିଲେ । ହାତୀଦାନ୍ତ ବିକ୍ରି କରିବା ପାଇଁ ଚେଷ୍ଟା କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇଥିଲା ବନ ବିଭାଗ । ଏହାପରେ ଆକ୍ସନ ମୋଡରେ ଆସିଥିଲା ବନବିଭାଗ ।
ବନବିଭାଗକୁ ବଡ଼ ସଫଳତା:
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡ ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ବଡ଼ ଧରଣର ଚଢ଼ାଉ କରି ହାତୀଦାନ୍ତ ଜବତ କରିବା ରୂପରେଖ ପ୍ରସ୍ତୁତ କରିଥିଲେ । ପୂର୍ବ ଯୋଜନା ମୁତାବକ ବାରିପଦା ବନଖଣ୍ଡ ଅଧିକାରୀ ଏ ଉମା ମହେଶଙ୍କ ସମେତ ଏକ ସ୍ଵତନ୍ତ୍ର ଟିମ ଶରତ ଥାନା ଅନ୍ତର୍ଗତ ରଜତନଗର ଅଞ୍ଚଳରେ ଚଢାଉ କରିଥିଲେ । ଚଢ଼ାଉ ସମୟରେ ଜଣଙ୍କ ଘରୁ ୫ଖଣ୍ଡ ହାତୀଦାନ୍ତ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ଧରିଥିବାରେ ସଫଳ ହୋଇଥିଲା ବନ ବିଭାଗ ।
ଅଧିକ ପଢନ୍ତୁ.....ହାତୀଦାନ୍ତ ଡିଲ୍ ବେଳେ ମାଡି ବସିଲା ବନବିଭାଗ, ୩୦ କେଜିର ହାତୀଦାନ୍ତ ସହ ୧୦ ଅଭିଯୁକ୍ତ ଗିରଫ
ଗିରଫ ହେବେ କି ଅନ୍ୟ ଅଭିଯୁକ୍ତ ?
ଏହି ଘଟଣାରେ ଆଉ କିଏ କିଏ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି,ସେ ନେଇ ତଦନ୍ତ ଜାରି ରଖିଛି ବନ ବିଭାଗ । କପ୍ତିପଦା ବନ ରେଞ୍ଜ କାର୍ଯ୍ୟାଳୟରେ ବନବିଭାଗ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ସେମାନଙ୍କୁ ପଚରାଉଚରା କରାଯାଉଛି । ହାତୀଦାନ୍ତ ଶିକାର ଓ ବିକ୍ରି ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି । ସେନେଇ ବନ ବିଭାଗ ପକ୍ଷରୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି ।
ଇଟିଭି ଭାରତ, ମୟୂରଭଞ୍ଜ