ନିଆଳି/ଭଦ୍ରକ: ଆନ୍ତଃଜିଲ୍ଲା ଡକାୟତକୁ ଧରିଲା ନିଆଳି ପୋଲିସ । ସାମ୍ବାଦିକଙ୍କୁ ହତ୍ୟା ପାଇଁ ରଚିଥିଲା ଷଡଯନ୍ତ୍ର । ଭଡାରେ କାର ଆଣି ଚୋରି କରିବା ପରେ କାର ଚଢାଇ ବାଲିପାଟଣାର ଜଣେ ସାମ୍ବାଦିକଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଅଭିଯୁକ୍ତ । କିନ୍ତୁ ଏହା ପୂର୍ବରୁ ହତ୍ୟା ଉଦ୍ୟମ ପଣ୍ଡ କରିଛି ନିଆଳି ପୋଲିସ । କାର ଚୋରି ଅଭିଯୋଗରେ ଅଭିଯୁକ୍ତ ରାଜୀବ ଲୋଚନ ସ୍ବାଇଁଙ୍କୁ ଗିରଫ କରାଯାଇଛି । ବର୍ଷ ବର୍ଷ ଧରି କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଥିଲା ନେଟୱାର୍କ । ଦାଦା ବଟି, ଗାଡି ଚୋରି, ଧମକ, ମାରପିଟ ଓ ରାହାଜାନୀ ଭଳି ୩୮ ମାମଲା ବିଭିନ୍ନ ଥାନା ରହିଥିବା ସାମ୍ବାଦିକ ସମ୍ମିଳନୀରେ ଖୁଲସା କରିଛନ୍ତି ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ । ସେପଟେ ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ତିହିଡି ପୋଲିସ ।
ଭଡାରେ କାର ଆଣି ହତ୍ୟା ଷଡଯନ୍ତ୍ର:
ସାମ୍ବାଦିକ ସମ୍ମିଳନୀରେ ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ସୂଚନା ଦେଇ କହିଛନ୍ତି," ନିଆଳି ଥାନାର କେସ ନମ୍ବର ୬/୨୦୨୫ରେ ଏକ ମାମଲା ରୁଜୁ ହୋଇଥିଲା । ସମ୍ବଲପୁର ଜିଲ୍ଲାର ମୁକେଶ ସାହୁଙ୍କ ହୁଣ୍ତା ସିଟି କାର ନିଆଳିରେ ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ । ଏନେଇ ତଦନ୍ତ କରିବା ପରେ ବନମାଳିପୁରର ରାଜୀବ ଲୋଚନ ସ୍ବାଇଁକୁ ଗିରଫ କରାଯାଇଛି । ଭଡାରେ ଗାଡି ଆଣି ନିଆଳିରୁ ଅତି ଚତୁରତାର ସହିତ କାରକୁ ନେଇ ଫେରାର ମାରିଥିଲା ଅଭିଯୁକ୍ତ । କଟକ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ କରାଯାଇ ଗତକାଲି ବନମାଳିପୁର ଅଞ୍ଚଳର ବାଘୁଆ ଠାରେ ପୋଲିସ ଠାବ କରିଥିଲା ଅଭିଯୁକ୍ତକୁ । କାରରୁ ଏକ ଖଣ୍ଡା ଓ ମୋବାଇଲ ଫୋନ ଗାଡିରୁ ମିଳିଛି । ତାଙ୍କୁ ପଚରାଯିବା ପରେ ସେ ପରିଚୟ ଦେଇଥିଲେ । ତା ନାମରେ ପୁରୀ, ଭୁବନେଶ୍ବର, ବାଲିପାଟଣା, ବାଲିଅନ୍ତା,ପିପିଲି, ନିମାପଡ଼ା ଓ ନିଆଳି ଥାନାରେ ମୋଟ ୩୮ ମାମଲା ରହିଛି । ବାଲିପାଟଣା ଅଞ୍ଚଳର ଜଣେ ସାମ୍ବାଦିକଙ୍କୁ ଲୁଟ କାରରେ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣଙ୍କ ପୋଲିସକୁ କହିଛି । '' ଆଜି ଅଭିଯୁକ୍ତ ରାଜେଶକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଆଇଆଇସି ।
ଏହା ମଧ୍ୟ ପଢନ୍ତୁ-ଫିଲ୍ମ ଷ୍ଟାଇଲରେ କାର୍ ଚୋରି, ଦୁଇ ଭାଇ ଗିରଫ - TWO ARRESTED IN CAR THEFT CASE
5 ଆନ୍ତରାଜ୍ୟ ଡକାୟତଙ୍କୁ କାବୁ କଲା ତିହିଡି ପୋଲିସ:
ପାଟ୍ରୋଲିଂ କରୁଥିବା ସମୟରେ ଏକ ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ କଲା ଭଦ୍ରକ ଜିଲ୍ଲା ତିହିଡି ଥାନା ପୋଲିସ । 5 ଜଣ ଆନ୍ତରାଜ୍ୟ ଡକାୟତଙ୍କୁ ଗିରଫ ସହ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦୋଳସାହି ଗୋରୁହାଟ ପଡିଆରୁ ଅସ୍ତ୍ରଶସ୍ତ୍ର ଧରି ଡକାୟତି କରିବା ପାଇଁ ସଜବାଜ ହେଉଥିଲେ ଡକାୟତ ମାନେ । ସେହି ସମୟରେ ଦୋଳସାହି, ଗାଜିପୁର ଏବଂ ଅଲିନଗର ଅଞ୍ଚଳରେ ତିହିଡ଼ି ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଅଭିଯୁକ୍ତ ଖସିପଲାଇବାକୁ ଉଦ୍ୟମ କରୁଥିବା ବେଳେ ପାଞ୍ଚ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ।
ପରେ ସେମାନଙ୍କୁ ଅଟକ ରଖି ତଲାସି କରିବାରୁ ସେମାନଙ୍କ ପାଖରୁ ଦୁଇଟି ଖଣ୍ଡା, ଗୋଟିଏ ଲୁହା ରଡ, ଛୁରୀ, ହାତୁଡି ମିଳିଥିଲା । ସ୍ଥାନୀୟ ଗୁଆମାଳ ଗାଁରେ ଏକ ଘରେ ଡକାୟତି କରିବା ପାଇଁ ଗୋରୁହାଟ ପଡିଆରେ ଏକଜୁଟ ହୋଇଥିଲେ ଅଭିଯୁକ୍ତ ମାନେ। ଏହି ଅପରାଧୀ ମାନେ ଆଗରୁ ବହୁ ଅପରାଧରେ ସମ୍ପୃକ୍ତ ଥିବାର ସୂଚନା ମିଳିଛି । ଭଦ୍ରକ ଚାନ୍ଦବାଲି ରାଜ୍ୟ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀ ତଥା ଅନ୍ୟାନ୍ୟ କିଛି ସ୍ଥାନ ମାନଙ୍କରେ ଘରୁ ଡକାୟତି କରିବାକୁ ସେମାନଙ୍କର ଯୋଜନା ଥିବା ତଦନ୍ତରୁ ଜଣା ଯାଇଛି । ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ପ୍ରସନ୍ନ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ନିଆଳି/ଭଦ୍ରକ