ଭୁବନେଶ୍ବର: ଆସିଲା ୨୦୨୫ ମସିହାର ସ୍କୁଲ ଛୁଟି ତାଲିକା । ତେବେ ଚଳିତ ବର୍ଷ ୮୨ ଦିନ ସ୍କୁଲ ଛୁଟି ରହିବ। ଆସନ୍ତୁ ନଜର ପକାଇବା ନୂଆ କ୍ୟାଲେଣ୍ଡର ଅନୁସାରେ କେଉଁ ଦିନମାନଙ୍କରେ ଛୁଟି ରହିବ ସ୍କୁଲ ।
ମାସେରୁ ଅଧିକ ଦିନ ଗ୍ରୀଷ୍ମ ଛୁଟି:
୨୦୨୫ରେ ସ୍କୁଲ ଗୁଡ଼ିକରେ ୩୯ ଦିନ ଗ୍ରୀଷ୍ମ ଛୁଟି ହେବ। ମେ ୬ ରୁ ସ୍କୁଲରେ ଖରା ଛୁଟି ଆରମ୍ଭ ହୋଇ ଜୁନ ୧୯ ତାରିଖ ପର୍ଯ୍ଯନ୍ତ ରହିବ । ତେବେ ୨୦୨୫ ବର୍ଷ ୮୨ ଦିନ ସ୍କୁଲ ଛୁଟି ରହିବ । ସେଥିମଧ୍ୟରୁ ୯ ଦିନ ସ୍କୁଲରେ ଉତ୍ସବ ପାଳନ କରାଯିବ। ଯେମିତିକି ସରସ୍ବତୀ ପୂଜା, ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ବାଧୀନତା ଦିବସ, ଗୁରୁ ଦିବସ, ଗଣେଶ ପୂଜା, ଗାନ୍ଧୀ ଜୟନ୍ତୀ ଓ ଶିଶୁ ଦିବସ ସମସ୍ତ ବିଦ୍ୟାଳୟରେ ପାଳନ କରାଯିବ। ତେବେ ଏହି ଦିନ ଗୁଡ଼ିକରେ ସ୍କୁଲ ଖୋଲା ରହିବ। ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଦଶହରା ଓ ବଡ଼ଦିନରେ ଛୁଟି ଅଧିକ:
"ଗ୍ରୀଷ୍ମ ଛୁଟି ବ୍ୟତୀତ ୨୦୨୫ ରେ ୮ ଦିନ ପୂଜା ଛୁଟି ରହିବ। ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୭ ତାରିଖ ଯାଏ ପୂଜା ଛୁଟି, ଡିସେମ୍ବର ୨୩ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବଡ଼ଦିନ ଛୁଟି ହେବ। ଏହାସହ ଅନ୍ୟ ଛୁଟି ଦିନଗୁଡ଼ିକ ଗୋଟିଏ ଦିନ ଲେଖାଏଁ ରହିଛି" ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କେଉଁ ମାସରେ କେତେ ଛୁଟି:
ଜାନୁଆରୀ ମାସରେ ୪ ଟି ଛୁଟି ରହିଥିବାବେଳେ ଫେବ୍ରୁଆରୀ ମାସରେ ଗୋଟିଏ ମାତ୍ର ଛୁଟି ରହିଛି । ସେହିପରି ମାର୍ଚ୍ଚ ମାସରେ ୪ ଟି ଛୁଟି ରହିଛି। ଏପ୍ରିଲ ମାସରେ ୩ ଟି ଛୁଟି ରହିଥିବାବେଳେ ମେ ମାସରୁ ଜୁନ ମାସ ପର୍ଯ୍ୟନ୍ତ ( ୩୯ ଦିନ ସମେତ ୬ ଟି ରବିବାର ମଧ୍ୟ ରହିଛି ) ଖରା ଛୁଟି ସମେତ ରଥଯାତ୍ରା ଛୁଟି ମଧ୍ୟ ରହିଛି। ସେହିପରି ଜୁଲାଇରେ ଗୋଟିଏ, ଅଗଷ୍ଟରେ ୩ଟି ଛୁଟି ରହିଛି । ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଦଶହରା ପୂଜା ପାଇଁ ୮ ଦିନ ଛୁଟି ସମେତ ଗୋଟିଏ ରବିବାର ଛୁଟି ରହିଛି। ସେହିପରି ସେପ୍ଟେମ୍ବରରେ ଗୋଟିଏ ଓ ଅକ୍ଟୋବର ଗୋଟିଏ ଛୁଟି ରହିଛି। ନଭେମ୍ବର ମାସରେ ୪ ଟି ଛୁଟି ରହିଛି। ଡିସେମ୍ବର ମାସରେ ୯ ଦିନ ଛୁଟି ରହିଛି।
ଏହା ବି ପଢନ୍ତୁ...ଶିକ୍ଷକଙ୍କ ପାଇଁ ଖୁସି ଖବର, ଏଣିକି ଘର ପାଇଁ ଟଙ୍କା ଦେବେ ମୋହନ ମାଝୀ ସରକାର
ସ୍କୁଲରେ କେତେ ସମୟ ରହିବେ ଶିକ୍ଷକ ଶିକ୍ଷୟତ୍ରୀ:
୨୦୨୪ ଶିକ୍ଷାବର୍ଷରେ ୨୩୧ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତା ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ବିଶେଷ ଭାବରେ ବିଦ୍ୟାଳୟରେ କାର୍ଯ୍ୟ ସମୟ ସକାଳ ସାଢ଼େ ୯ଟା ୩୦ରୁ ଅପରାହ୍ନ ସାଢ଼େ ୪ଟା ୩୦ ପର୍ଯ୍ୟନ୍ତ ପାଠପଢା ରଖାଯାଇଛି। ଶନିବାର ଦିନ ସକାଳ ୭ ଟାରୁ ଦିନ ୧ଟା ଯାଏଁ ପାଠପଢ଼ା ହେବ। ଏହାସହ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ରହିବା ବାଧ୍ୟତାମୂଳକ। ତେବେ ସ୍କୁଲରେ ୨୩୧ଟି କାର୍ଯ୍ୟ ଦିବସ ରହିଛି । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୨୨/୧୪୪୧୭ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର