ଭୁବନେଶ୍ବର: ଶୀତ ଅଧିବେଶନର ଦ୍ବିତୀୟ ଦିବସରେ ଗୃହରେ ଉଠିଲା ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ପର୍ବତାଞ୍ଚଳରେ ଘରୋଇ କମ୍ପାନୀର ଜମି ଅଧିଗ୍ରହଣ ପ୍ରସଙ୍ଗ । ଗନ୍ଧମାର୍ଦ୍ଦନ ପାର୍ବତାଞ୍ଚଳରେ ବକ୍ସାଇଟ ଭରପୂର ରହିଛି । ସରକାର ଆଦାନୀ ସମୂହକୁ ଜମି ଅଧିଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି, ନା ଅନ୍ୟ କୌଣସି କମ୍ପାନୀକୁ ଅନୁମତି ମିଳିଛି କି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଏହି ପ୍ରସଙ୍ଗରେ ଉତ୍ତର ରଖିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ‘‘ଇତିହାସରେ ଗନ୍ଧମାର୍ଦ୍ଦନ ପର୍ବତର ସ୍ୱତନ୍ତ୍ର ସ୍ଥାନ ରହିଛି । ଗନ୍ଧମାର୍ଦ୍ଦନରେ ଅଦାନୀକୁ କୌଣସି କାରଖାନା କରାଇବାକୁ ଦେବୁନାହିଁ । ଆବଶ୍ୟକ ପଡିଲେ, ମୁଁ ମଧ୍ୟ ଛିଡା ହେବି ।’’ ବୋଲି କହିଛନ୍ତି କେ.ଭି ।
ସରକାର ପ୍ରତିଶ୍ରୁତି ପୂରଣ କରିବେ ଆଶା: ବିଜେଡି
ଗୃହ ବାହାରେ ଆଦାନୀ ସମୂହର ନାଁ ନନେଇ ପରୋକ୍ଷରେ ପ୍ରତିକ୍ରିୟା ରଖି ପ୍ରସନ୍ନ କହିଛନ୍ତି, ‘‘ବିଦେଶରେ ଭାରତକୁ ବଦନାମ କରିଥିବା ଏକ ବହୁଦେଶୀୟ କମ୍ପାନୀ ଗନ୍ଧମାର୍ଦ୍ଦନ ଅଞ୍ଚଳରେ ହଜାର ହଜାର ଏକର ଜମି କିଣୁଛି । ଏସମ୍ପର୍କରେ ସରକାର କେମିତି ତାକୁ ଅନୁମତି ଦେଲେ, ଦେଇଛନ୍ତି କି ନାହିଁ । ସେମ୍ପର୍କରେ ଆମେ ସ୍ପଷ୍ଟୀକରଣ ଆଶା କରିଥିଲୁ । ସରକାର ଗୃହରେ ସ୍ପଷ୍ଟୀକରଣ ରଖି, ଗନ୍ଧମାର୍ଦ୍ଦନକୁ କେବେ କେଉଁ କମ୍ପାନୀକୁ ଦିଆଯିବନାହିଁ ବୋଲି କହିଛନ୍ତି । ଆମେ ମଧ୍ୟ ଆଶା କରୁଛୁ, ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ । ଯଦି ସରକାର ଏହାର ବିପରୀତ କାର୍ଯ୍ୟ କରନ୍ତି, ତେବେ ବିଶାଳ ଜନଆନ୍ଦୋଳନ ହେବ ।’’ ସେହିପରି ବନୀକରଣ ପ୍ରସଙ୍ଗରେ ପ୍ରସନ୍ନ କହିଛନ୍ତି, ସୁନ୍ଦରଗଡରେ ଖଣି କରୁଛନ୍ତି, ହେଲେ ବୃକ୍ଷରୋପଣ ବଲାଙ୍ଗୀର ହେଉଛି । ଏହା ହାସ୍ୟାସ୍ପଦ ଘଟଣା । ସମୁଦ୍ରରେ ପୋଲ ନିର୍ମାଣ କରିବା ସଦୃଶ ।
ଏହା ମଧ୍ୟ ପଢନ୍ତୁ: ଗନ୍ଧମାର୍ଦ୍ଦନ ପର୍ବତରେ ଖଣି ଖନନ ଆବେଦନ କରିନାହାନ୍ତି କୌଣସି କମ୍ପାନୀ: ଡିଏଫଓ ଗନ୍ଧମାର୍ଦ୍ଦନ-ଆଦାନୀ ଜମି କିଣା ପ୍ରସଙ୍ଗ: ସ୍ପଷ୍ଟୀକରଣ ଲୋଡିଲା ବିଜେଡି, ଜବାବ ରଖିଲା ବିଜେପି |
କୌଣସି କମ୍ପାନୀକୁ ଜମି ଦିଆଯିବନି: କେଭି
ପ୍ରତିକ୍ରିୟାରେ ଉପମୁଖ୍ୟମନ୍ତ୍ରୀ କେଭି କହିଛନ୍ତି, ସରକାର କୌଣସି କମ୍ପାନୀକୁ ଅନୁମତି ଦେଇନାହାନ୍ତି । କିଛି କମ୍ପାନୀ ବନୀକରଣ ପାଇଁ ସୁନ୍ଦରଗଡରେ ସ୍ଥାନ ପାଇନଥିଲା । ଫଳରେ ସେମାନେ ବଲାଙ୍ଗୀରରେ ଜମି କିଣି ବନୀକରଣ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି । ଗନ୍ଧମାର୍ଦ୍ଦନ ଆମ ଜିଲ୍ଲାବାସୀଙ୍କ ଭବନା ସହ ଜଡିତ । ସେଠାରେ କୌଣସି କମ୍ପାନୀକୁ ଜମି ଦିଆଯିବନାହିଁ । ଯଦି ଏପରି ସ୍ଥିତି ସୃଷ୍ଟି ହୁଏ, ତେବେ ସେ ମଧ୍ୟ ଏହାକୁ ସିଧା ବିରୋଧ କରିବେ ବୋଲି କେଭି କହିଛନ୍ତି । ସେହିପରି ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ଗତ ସରକାରଙ୍କ ସମୟରେ ହୋଇଥିଲା । ସେତେବେଳେ ଏହାକୁ କେତେ ଜଣ ବିଜେଡି ନେତା ବିରୋଧ କରିଥିଲେ ବୋଲି କେଭି ପ୍ରଶ୍ନ କରିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର