ବ୍ରହ୍ମପୁର: ଚାରି ଦିନ ଧରି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଥିବା ଗୋପାଳପୁର ବେଳାଭୂମି ମହୋତ୍ସବ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍ଯାପିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରରୁ ପ୍ରତ୍ୟେକ ଦିନ ବହୁ କଳାକାର ଆସି ମଞ୍ଚରେ ଲୋକକଳା, ସଂସ୍କୃତିକୁ ପରିବେଷଣ କରିଥିଲେ । ଶେଷ ସନ୍ଧ୍ୟାରେ ମଧ୍ୟ ଲୋକକଳା ପରିବେଷଣ ପରେ ମେଗାନାଇଟ୍ କାର୍ଯ୍ୟକ୍ରମରେ ବଲିଉଡ଼ କଣ୍ଠଶିଳ୍ପୀ ମିଥୁନ୍ ଶର୍ମା ଓ ଟିମ୍ଙ୍କ ସଂଗୀତ ଉଦଯାପନୀ ସନ୍ଧ୍ୟାକୁ ଆକର୍ଷୀତ କରିଥିଲା ।
ଶେଷ ସନ୍ଧ୍ୟାରେ ବ୍ରହ୍ମପୁର କଳାକାରଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ ପରେ ହିଞ୍ଜିଳିକାଟୁର ନୃତ୍ୟମ କଳା ଗବେଷଣା କେନ୍ଦ୍ର ପକ୍ଷରୁ ନୃତ୍ୟ ପରିବେଷଣ ସହିତ ବ୍ରହ୍ମପୁରର କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ କେତେ ଦୁଃଖ ଦେବୁରେ ଜାଳିଆ ନୃତ୍ୟନାଟିକା ପରିବେଷଣ କରିଥିବା ବେଳେ ଏହା ଦର୍ଶକଙ୍କ ମନକୁ ଛୁଇଁଥିଲା । ସେହିପରି କାର୍ଯ୍ୟକ୍ରମରେ ଗୋପାଳପୁର କଲଚରାଲ୍ ଆସୋସିଏସନ ପକ୍ଷରୁ ଗର୍ବା, ବ୍ରହ୍ମପୁରର ଅନ୍ୱେଷା ଜଳା କେନ୍ଦ୍ର ସମେତ ମୟୂରଭଞ୍ଜର ଛଉ ନୃତ୍ୟ, ବଲାଙ୍ଗୀରର ଦୁଦୁଲି ବଜା ନୃତ୍ୟ ସହିତ ପଦ୍ମଶ୍ରୀ ଇଲିଆନା ସୀତାରିଷ୍ଟଙ୍କ ଟିମ ପକ୍ଷରୁ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମ୍ପାଦନାରେ ପ୍ରକାଶିତ ବିଶେଷାଙ୍କ ‘ଶାମୁଜା ’ ଅତିଥି ମାନଙ୍କ ଦ୍ବାରା ଲୋକାର୍ପଣ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ....ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟା, ଦର୍ଶକଙ୍କ ମନ ମୋହିଲା ପ୍ରଜ୍ଞା ଓ ଶିଳ୍ପାଙ୍କ ସଂଗୀତ
ତେବେ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମେତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମେତ ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ମହାନଗର ନିଗମ ଜମିସନର ଜେ. ସୋନାଲ, ଗଞ୍ଜାମ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ୱି.କୀର୍ତ୍ତି ଭାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକନି ଯୋଗ ଦେଇଥିଲେ । ଏହି ମହୋତ୍ସବର ସଫଳତା ନେଇ ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିବା ସହିତ ସମସ୍ତ ମଞ୍ଚାସୀନ ଅତିଥିମାନେ ଗୋପାଳପୁର ବେଳାଭୂମି ମହୋତ୍ସବ ରାଜ୍ୟରେ କଟକ ଚାଲିଯାତ୍ରା ପରେ ଏହି ମହୋତ୍ସବ ଗତ କିଛି ବର୍ଷ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ନେଇ ଉତ୍ସାହିତ କରିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର